ସକ୍ରିୟଙ୍କ ସଂଖ୍ୟା ଚିନ୍ତା ବଢ଼ାଉଛି: ଆଜି ୮୬ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୬ଶହ ଛୁଇଁଲା

କୁମ୍ଭମେଳା ଏବଂ ସମ୍ବେଦନଶୀଳ ରାଜ୍ୟ ଫେରନ୍ତାଙ୍କ ଉପରେ ସତର୍କ ଦୃଷ୍ଟି ରଖିବାକୁ ନିର୍ଦ୍ଦେଶ

ବାରିପଦା: ମୟୂରଭଞ୍ଜରେ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତବର୍ଷ କରୋନା ଶୀର୍ଷରେ ଥିବାବେଳେ ଯେତିକି ସଂଖ୍ୟକ ଆକ୍ରାନ୍ତ ‌ଚିହ୍ନଟ ହେଉଥିଲେ ଏବେ ସେପରି ସ୍ଥିତି ଉପୁଜିଛି। ଆଜି ସଂକ୍ରମିତଙ୍କ ସଂଖ୍ୟା ଶହେ ତଳେ ରହିଛି। ଆଜି ୮୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଗତ ଦୁଇ ଦିନ ‌ଧରି ଏହା ଶହେ ଉପରେ ଥିଲା। ଆଜିକୁ ମିଶାଇ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୧୫,୨୮୪ରେ ପହଞ୍ଚିଛି। ତେବେ ଜିଲ୍ଲାରେ ସକ୍ରିୟଙ୍କ ସଂଖ୍ୟା ବୃଦ୍ଧି ଚିନ୍ତାର କାରଣ ପାଲଟିଛି। ଏକଦା ସକ୍ରିୟଙ୍କ ସଂଖ୍ୟା ଏକ ଅଙ୍କକୁ ଖସିଥିବାବେଳେ ଆଜି ସୁଦ୍ଧା ଏହି ସଂଖ୍ୟା ୬ଶହ ଧରିଲାଣି। ଯାହାକି ଉଦ୍‌ବେଗଜନକ। ଏପରି ସ୍ଥଳ‌େ ଜିଲ୍ଲାପ୍ରଶାସନ ପକ୍ଷରୁ ବାଙ୍କିଶୋଳଠାରେ କୋଭିଡ୍‌ ହସ୍‌ପିଟାଲ ପୁନଃକାର୍ଯ୍ୟକ୍ଷମ କରିବାକୁ ପ୍ରକ୍ରିୟା ତ୍ବରାନ୍ବିତ କରାଗଲାଣି।

ସେହିପରି ବେତନଟୀ ବ୍ଲକ୍‌ କେସିପୁରରେ ଶହେ ଶଯ୍ୟା ବିଶିଷ୍ଟ ଏବଂ ରାଇରଙ୍ଗପୁରରେ ଆଉ ଏକ କୋଭିଡ କେୟାର ସେଣ୍ଟର୍‌ କାର୍ଯ୍ୟକାରୀ ହେଲାଣି। ଅନ୍ୟ ଦୁଇ ଉପଖଣ୍ଡରେ ମଧ୍ୟ ଏହା କାର୍ଯ୍ୟକାରୀ କରାଯିବା ନେଇ ବ୍ୟବସ୍ଥା ହେଉଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏପରି ସ୍ଥଳ‌େ କୁମ୍ଭ ମେଳାରୁ ଫେରିଥିବା ଭକ୍ତ ଏବଂ ଛତିଶଗଡ଼, ମହାରାଷ୍ଟ୍ର ଭଳି ସର୍ବାଧିକ ପ୍ରଭାବିତ ରାଜ୍ୟଗୁଡ଼ିକରୁ ଫେରୁଥିବା ଲୋକଙ୍କ ଉପରେ ସତର୍କ ଦୃଷ୍ଟି ଦେବାକୁ ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ତହସିଲଦାର, ବିଡିଓ, ପୌରପାଳିକା/ଏନଏନସି ନିର୍ବାହୀ ଅଧିକାରୀ, ସିଡିଏମଓ ଏବଂ ପିଡି ଡିଆରଡିଏଙ୍କୁ ପତ୍ର ଲେଖାଯାଇଛି।

ଏନେଇ ଦୈନିକ ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଛି। ମିଳିଥିବା ସୂଚନା ଅନୁସାରେ ଜିଲ୍ଲାକୁ ଏଯାବତ ଦୁଇ ଜଣ କୁମ୍ଭ ମେଳାରୁ ଫେରିଛନ୍ତି। ଏହି ସବୁ ଫେରନ୍ତାଙ୍କ ନିକଟରେ କୌଣସି ସାମାନ୍ୟ ଲକ୍ଷଣ ଦେଖାଦେଲେ କରୋନା ପରୀକ୍ଷା କରିବା ସହିତ କଡ଼ା କଟକଣାରେ ରଖିବାକୁ କୁହାଯାଇଛି। ଜିଲ୍ଲାରୁ ୧୪,୫୯୨ ଜଣ ସୁସ୍ଥ ହୋଇଥିବା ଜଣାପଡ଼ିଛି। କେବଳ ଚଳିତ ମାସରେ ୮୫୯ ପଜିଟିଭ କେଶ ଚିହ୍ନଟ ହୋଇସାରିଲାଣି। ନିକଟରେ ଜଣେ ସରକାରୀ କର୍ମଚାରୀ ଏବଂ ଆଉ ଜଣେ ଯୁବକ କରୋନାରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ମାତ୍ର ସରକାରୀ ଭାବେ ଏହା ଘୋଷଣା କରାଯାଇନାହିଁ। ଫଳରେ ଜିଲ୍ଲାରେ କରୋନାଜନିତ ମୃତ୍ୟୁସଂଖ୍ୟା ୯୨ରେ ସ୍ଥିର ଅଛି। ଜିଲ୍ଲାରେ କରୋନା ଚେନ୍‌ ଭାଙ୍ଗିବାକୁ ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିଛି। ସେହିପରି ସପ୍ତାହାନ୍ତ ସଟ୍‌ଡାଉନ ମଧ୍ୟ କାର୍ଯ୍ୟକାରୀ ହେବ।

ସମ୍ବନ୍ଧିତ ଖବର