ନୂଆପଡ଼ା: ନୂଆପଡ଼ା ଜିଲ୍ଲାର ୫ଟି ଯାକ ବ୍ଲକ୍କୁ କରୋନା ସଂକ୍ରମଣ ବ୍ୟାପିଛି। ଗୁରୁବାର ଜିଲ୍ଲାରୁ ମୋଟ ୨୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବହୁଦିନର ବ୍ୟବଧାନ ପରେ ଜିଲ୍ଲାର ସବୁ ବ୍ଲକ୍ରେ କରୋନା ସଂକ୍ରମଣ ଜଣାପଡ଼ିବା ପରେ ସମସ୍ତଙ୍କ ପାଇଁ ଏହା ଚିନ୍ତାର କାରଣ ହୋଇଛି। ପ୍ରକାଶ ଯେ କିଛିଦିନ ହେଲା କେବଳ ନିର୍ଦ୍ଦିଷ୍ଟ ୨ରୁ ୩ଟି ବ୍ଲକ୍ରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିଲେ। ଗୁରୁବାର ଜିଲ୍ଲାର ୫ଟି ଯାକ ବ୍ଲକ୍ରୁ ସଂକ୍ରମିତ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
କୋମନା ବ୍ଲକ୍ରେ ସର୍ବାଧିକ ୧୦ ଜଣ, ଖଡ଼ିଆଳରେ ୭ ଜଣ, ବୋଡେ଼ନରେ ଜଣେ, ସିନାପାଲିରେ ୨ଜଣ, ଜିଲ୍ଲା ମୁଖ୍ୟ ଡାକ୍ତରଖାନରେ ୨ଜଣ ଏବଂ ଖରିଆର ରୋଡ଼ରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲା କୋଭିଡ୍ ଅଧିକାରୀ ଡା. ଗୋପାଳ ଚନ୍ଦ୍ର ମଲ୍ଲିକ ପ୍ରକାଶ କରିଛନ୍ତି। ଏହି ୨୩ଜଣଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୨୯୪ରେ ପହଞ୍ଚିଛି। ଗତ ୧୭ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହା ଜିଲ୍ଲା ପ୍ରଶାସନର ମୁଣ୍ଡବଥାର କାରଣ ହୋଇଛି। ପ୍ରତିକାର ବ୍ୟବସ୍ଥା ସ୍ବରୂପ ଜିଲ୍ଲା ପ୍ରଶାସନ ପକ୍ଷରୁ ୫ଟି ଯାକ ବ୍ଲକ୍ରେ କଟକଣା ଜାରି କରାଯାଇଛି।
ସାମାଜିକ ଦ୍ବରତା ରକ୍ଷା କରିବା, ମାସ୍କ ବ୍ୟବହାର କରିବା, ଜନଗହଳି ସ୍ଥାନରେ ନରହିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ହେଲେ ଲୋକେ ଏହାକୁ ମାନୁନଥିବା ଦେଖିବାକୁ ମିଳିଛି। ନୂଆପଡ଼ା ଜିଲ୍ଲାରେ ଛତିଶଗଡ଼ଫେରନ୍ତାଙ୍କ ଠାରୁ କରୋନା ଲକ୍ଷଣ ବହାରିଥିବାରୁ ଜିଲ୍ଲା ପ୍ରଶାସନ ଛତିଶଗଡ଼ରୁ ଆସୁଥିବା ବ୍ୟକ୍ତିମାନଙ୍କ ଉପରେ ନଜର ରଖିବା ଜରୁରି ହୋଇପଡ଼ିଛି। ସେପରି ନୂଆପଡ଼ା ଜିଲ୍ଲାକୁ ପ୍ରତିଦିନ ଛତିଶଗଡ଼ରୁ ୪ରୁ ୫ଟି ଯାତ୍ରୀବାହୀ ବସ୍ ଆସୁଛି। ଏହି ବସ୍ଗୁଡ଼ିକରେ କରୋନା ନିୟମ ପାଳନ କରାଯାଉ ନଥିବା ଅଭିଯୋଗ ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/4jdgj4d564j56d4g6j54dg56j46d5gjdgjdgjdgjdgj.jpg)