ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାର ଜୀବନରେଖା କୁହାଯାଉଥିବା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ ଓ ହସ୍‌ପିଟାଲ (ଭିମସାର)ରେ କାର୍ଯ୍ୟରତ ୬୦୦ ଜଣ ନର୍ସଙ୍କ ମଧ୍ୟରୁ ୪୫୩ ଜଣ ହେଉଛନ୍ତି ଚୁକ୍ତିଭିତ୍ତିକ କିନ୍ତୁ ଉକ୍ତ ଚୁକ୍ତିଭିତ୍ତିକ ନର୍ସଙ୍କୁ ଭିମସାର କର୍ତ୍ତୃପକ୍ଷ ଅବହେଳା କରୁଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଛି। ନର୍ସଙ୍କୁ ବେତନ ଦେବାରେ ଅହେତୁକ ବିଳମ୍ବ, ବାର୍ଷିକ ପୋଷାକ ଆଲାଉନ୍ସ ପ୍ରଦାନରେ ଟାଳଟୁଳ ନୀତି, ଇନ୍‌କ୍ରିମେଣ୍ଟ ପ୍ରଦାନରେ ବିଳମ୍ବ ଆଦି ଦାବି ନେଇ ନର୍ସମାନେ ଭିମସାର ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ କାର୍ଯ୍ୟବନ୍ଦ ଆନ୍ଦୋଳନରେ ବସିଛନ୍ତି।

Advertisment

୧୧୦୦ ବେଡ ଥିବା ଭିମସାର ଉପରେ ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ସୋନପୁର, ବୌଦ୍ଧ, କଳାହାଣ୍ଡି, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ଦେବଗଡ଼ର ରୋଗୀ ନିର୍ଭର କରିଥାନ୍ତି। ମାତ୍ର ଯେଉଁଠି ୧୦୦୦ରୁ ଅଧିକ ନର୍ସର ଆବଶ୍ୟକତା ରହିଛି, ସେଠାରେ କେବଳ କାର୍ଯ୍ୟକରନ୍ତି ୬୦୦ ଜଣ ନର୍ସ। ସେଥିରୁ ପୁଣି ୪୫୩ ଜଣ ଆନ୍ଦୋଳନରେ ବସିଥିବା ବେଳେ ରୋଗୀ ସେବା ପାଇଁ ଅବସ୍ଥା ଯାହା ଥିବ, ବର୍ଣ୍ଣନା କରିବାର ଆବଶ୍ୟକତା ନାହିଁ।

ଏହି ଦାବି ଗୁଡ଼ିକ ତୁରନ୍ତ ପୂରଣ କରିବା ନେଇ ଭିମସାର ଚୁକ୍ତିଭିତ୍ତିକ ନର୍ସ ସଂଘ, ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଅବଗତ କରିଥିବା ବେଳେ ଗତ ୭ ତାରିଖରେ ଅଧିକ୍ଷକଙ୍କୁ ଭେଟି ଉକ୍ତ ଦାବି ପତ୍ର ପୁନର୍ବାର ପ୍ରଦାନ କରିଥିଲେ। ସେହି ସମୟରେ ନର୍ସ ସଂଘ ପକ୍ଷରୁ ସ୍ପଷ୍ଟ ଭାବେ ଜଣାଇ ଦିଆଯାଇଥିଲା ଯେ, ୭ ଦିନ ମଧ୍ୟରେ ଦାବି ପୂରଣ ନ ହେଲେ ୧୪ ତାରିଖରୁ ସେମାନେ ଆନ୍ଦୋଳନରେ ବସିବେ କିନ୍ତୁ ସବୁ ଥର ଭଳି ଏଥର ମଧ୍ୟ ଭିମସାର କର୍ତ୍ତୃପକ୍ଷ ସେମାନଙ୍କର ଦାବି ଓ ଅଭିଯୋଗକୁ ଖାତି କରି ନଥିଲେ। ତାହାକୁ ନେଇ ନର୍ସସଂଘ ମଧ୍ୟରେ ଅସନ୍ତୋଷ ଦେଖାଯାଇଥିଲା ଓ ସେମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ। ଅପରାହ୍ଣରେ ମେଡିକାଲ ଅଧିକ୍ଷକ ଡ. ଜୟଶ୍ରୀ ଦୋରା ଆନ୍ଦୋଳନରତ ନର୍ସମାନଙ୍କୁ ଡାକି ଆଲୋଚନା କରିଥିବା ଜଣାପଡ଼ିଛି।