ସରକାରୀ କ୍ୱାଟର ନମିଳିବାରୁ ନର୍ସଙ୍କ ଧାରଣା

ଖୋର୍ଦ୍ଧା: କରୋନା ମହାମାରୀ ସମୟରେ ସମ୍ମୁଖ କରୋନା ଯୋଦ୍ଧାରେ ନର୍ସ, ସ୍ୱାସ୍ଥ୍ୟକର୍ମୀ, ଆଶାକର୍ମୀ ଆଦି ରହିଛନ୍ତି । ସେମାନଙ୍କ ସୁରକ୍ଷାକୁ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରାଥମିକତା ଦେଇଛନ୍ତି । କିନ୍ତୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଜଣେ ନର୍ସ ଦୀର୍ଘ ଦିନ ଧରି ସରକାରୀ କ୍ୱାଟର ନପାଇ ଧାରଣାରେ ବସିବା ଜିଲ୍ଲାରେ ସମ୍ମୁଖ କରୋନା ଯୋଦ୍ଧାଙ୍କ ପ୍ରତି ପ୍ରଶାସନର ବ୍ୟବସ୍ଥାକୁ ପଦାରେ ପକାଇଦେଇଛି ।

ଆଜି ସକାଳ ପ୍ରାୟ ୧୦ଟା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଷ୍ଟାଫ୍ ନର୍ସ ଭାବେ କାମ କରୁଥିବା ଭାଗ୍ୟବତୀ ସିଂହ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ଧାରଣା ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ କରୋନା ମହାମାରୀ ସମୟରେ ଅନେକ ସମୟରେ ଘରକୁ ଫେରିବାରେ ସମସ୍ୟା ହେଉଛି । ଏଣୁ ସେ ଗତ ୧ ବର୍ଷ ମଧ୍ୟରେ ଦୁଇ ଦୁଇ ଥର ନର୍ସଙ୍କ ପାଇଁ ଉଦ୍ଦିଷ୍ଟ ଥିବା ସରକାରୀ ଘର ପାଇଁ ଆବେଦନ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ । ସେ ଜଣେ ବରିଷ୍ଠ ନର୍ସ ଏଣୁ ଅଗ୍ରାଧିକାର ଭିତ୍‌ତିରେ ତାଙ୍କ ପାଇଁ ସରକାରୀ ଘରର ବ୍ୟବସ୍ଥା କରିବା କଥା, କିନ୍ତୁ ଏହା କରାଯାଇନାହିଁ । କିଛି ସମୟ ଧାରଣାରେ ବସିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ତାଙ୍କୁ ବୁଝାଶୁଝା କରି ସମସ୍ୟାର ତୁରନ୍ତ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ନର୍ସଜଣକ ଧାରଣାରୁ ଉଠିଥିଲେ ।

ସମ୍ବନ୍ଧିତ ଖବର