ଘରୋଇ ନର୍ସିଂ ହୋମରୁ ନବଜାତ ଶିଶୁ ନିଖୋଜ ଘଟଣା: କାର୍ଯ୍ୟାନୁଷ୍ଠାନ ଶୂନ, ମିଳିମିଶି ଚାପିଦେଲେ!

ରାୟଗଡ଼ା: ମାମଲା ରୁଜୁକୁ ମାସେ ପୂରିବାକୁ ଯାଉଛି। ଅଥଚ ସରୁନି ପୁଲିସ୍ ତଦନ୍ତ । ଶିଶୁ ସୁରକ୍ଷା କମିଟି ଥାନାରେ ଅଭିଯୋଗ କରି ଚୁପ୍ ବସିଛି। ଏଏନ୍ଏମଙ୍କୁ ନିଲମ୍ବନ କରି ସ୍ବାସ୍ଥ୍ୟ ବିଭାଗ ଦାୟିତ୍ବ ସାରି ଦେଇଛି। ତଦନ୍ତ ଆଳରେ ପୁଲିସ୍-ପ୍ରଶାସନର ଲୁଚକାଳି ଖେଳ ଭିତରେ ନିଖୋଜ ଶିଶୁ ଜୀବିତ କି ମୃତ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରୁନି। ଫଳରେ ଘରୋଇ ନର୍ସିଂ ହୋମରୁ ଶିଶୁ ନିଖୋଜ ଭଳି ସ୍ପର୍ଶକାତର ଘଟଣାକୁ ସଭିଁଏ ମିଳିମିଶି ଚପାଇଦେବାକୁ ମସୁଧା ଚଳାଇଛନ୍ତି। ନର୍ସିଂ ହୋମରୁ ର୍ଶିଶୁ ନିଖୋଜ ଘଟଣା ପଦାକୁ ଆସିବା ପରେ ପ୍ରଶାସନ ଯେପରି ତତ୍ପରତା ପ୍ରକାଶ କରିବା କଥା ସେଭଳି କିଛି କରିନଥିବା ଅଭିଯୋଗ ହୋଇଛି। ପ୍ରଶାସନର କୋହଳ ମନୋଭାବ ଯୋଗୁ ନିଖୋଜ ଶିଶୁର ପରିବାର ଲୋକଙ୍କୁ ଆର୍ଥିକ ଲୋଭ ଦେଖାଇ ମାମଲାକୁ ରଫାଦଫା କରିବାକୁ ଉଦ୍ୟମ ହୋଇଛି। ଯେଉଁଥି ପାଇଁ ଘଟଣା ସମୟରେ ପରିବାର ଲୋକ ଶିଶୁକୁ ଫେରି ପାଇବା ପାଇଁ ଦାବି କରୁଥିବା ବେଳେ ଏବେ ଚୁପ୍ ବସି ରହିଛନ୍ତି। ସେପଟେ ପୁଲିସ୍ କ୍ଲିନିକରୁ କାଗଜପତ୍ର ଜବତ କରିବା ସହ ପରିବାର ଏବଂ କ୍ଲିନିକ୍ କର୍ତ୍ତୃପକ୍ଷଙ୍କ ବୟାନ୍ ରେକର୍ଡ କରି ତଦନ୍ତକୁ ଶିଥିଳ କରି ଦେଇଛି।

ଖୋଦ୍ ରାୟଗଡ଼ା ଥାନା ଅଧିକାରୀ ମାମଲାର ତଦନ୍ତ କରୁଥିଲେ ମଧ୍ୟ ଏଯାବତ୍ କୌଣସି ନିର୍ଯ୍ୟାସରେ ପହଞ୍ଚି ପାରିନାହାନ୍ତି। ଏଏନଏମ୍-କ୍ଲିନିକ୍ କର୍ତ୍ତୃପକ୍ଷଙ୍କୁ ମୁହାଁମୁହିଁ ଜେରା ସମୟରେ ଉଭୟଙ୍କ କଥାରେ କୌଣସି ତାଳମେଳ ରହୁନଥିବା ଜଣା ପଡିଛି। ତଥାପି ପୁଲିସ୍ ପ୍ରମାଣ ନଥିବା ଦର୍ଶାଇ ମାମଲାକୁ ଗଡ଼ାଇ ଚାଲିଛି। ପୁଲିସ୍ କାର୍ଯ୍ୟାନୁଷ୍ଠାନରେ ବିଳମ୍ବକୁ ନେଇ ସନ୍ଦେହ ଦୃଢ଼ୀଭୂତ ହେଉଥିବା ବେଳେ କାହା ଚାପରେ ପୁଲିସ୍ ଚୁପ୍ ରହିଛି ତାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି। ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନିଜ ଜିଲ୍ଲାରେ ନ୍ୟାୟ ମିଳିବାରେ ବିଳମ୍ବକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି। ମାମଲାର ତଦନ୍ତ ପରେ ପ୍ରମାଣ ଅନୁଯାୟୀ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇନ ମନ୍ତ୍ରୀ ଶ୍ରୀ ସାରକା କହିଥିଲେ। ହେଲେ ପୁଲିସ୍, ପ୍ରଶାସନ ଦୋଷୀଙ୍କୁ ଘଣ୍ଟ ଘୋଡାଇ ଚାଲିଥିବାରୁ ନ୍ୟାୟ ଆଶା ମଉଳିବାରେ ଲାଗିଛି। ସୂଚନାଯୋଗ୍ୟ,ଯେ ରାୟଗଡ଼ା ବ୍ଲକ୍ କାରୁବାଇ ଗ୍ରାମର ରାଇସିଂ ମେଲେକାଙ୍କ ସ୍ତ୍ରୀ ପ୍ରଭାତି ମେଲେକା ମାର୍ଚ୍ଚ ୧୭ ତାରିଖରେ ନବଜାତ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ।

ଶିଶୁପୁତ୍ରର ଜନ୍ମ ପରେ ପ୍ରଭାତି ଆଖି ବୁଜିଥିବା ବେଳେ ଏଏନ୍ଏମ୍, ମହିଳା ସ୍ବାସ୍ଥ୍ୟକର୍ମୀ ଶିଶୁକୁ ଉଦ୍ଧାର କରି ଚିକିତ୍ସା ପାଇଁ ରାୟଗଡ଼ାର ଏକ ଘରୋଇ କ୍ଲିନିକରେ ଭର୍ତ୍ତି କରିଥିଲେ। ମେଡ଼ିକାଲରେ ଭର୍ତ୍ତି ପରେ ଶିଶୁର ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବା ଦର୍ଶାଇ କ୍ଲିନିକ୍ କର୍ତ୍ତୃପକ୍ଷ ଚିକିତ୍ସା ଆରମ୍ଭ କରିଥିଲେ। ମାର୍ଚ୍ଚ ୨୬ ତାରିଖରେ ଶିଶୁର ବାପା ଏବଂ ପୂର୍ବତନ ସରପଞ୍ଚ କ୍ଲିନିକକୁ ଶିଶୁକୁ ନେବା ଆସିଥିଲେ। କିନ୍ତୁ ଚିକିତ୍ସା ବାବଦକୁ ୩୭ ହଜାର ଟଙ୍କା ଦେଲେ ଶିଶୁ ପୁତ୍ରକୁ ହସ୍ତାନ୍ତର କରାଯିବ ବୋଲି କହିବା ପରେ ଶିଶୁର ବାପା ଓ ପୂର୍ବତନ ସରପଞ୍ଚ ଟଙ୍କା ଯୋଗାଡ଼ କରିବାକୁ ଚାଲି ଯାଇଥିଲେ। ଏହା ପରଠୁ ଶିଶୁ ପୁତ୍ର ନିଖୋଜ ହୋଇ ଯାଇଛି। ଏଏନ୍ଏମ୍ ଶିଶୁପୁତ୍ରକୁ ନେଇ ବିକ୍ରି କରି ଦେଇଥିବା ଅଭିଯୋଗ ଉଠୁଥିବା ବେଳେ ନିଜ ଦୋଷ, ଦୁର୍ବଳତା ଲୁଚାଇବାକୁ କ୍ଲିନିକ୍ କର୍ତ୍ତୃପକ୍ଷ ଶିଶୁର ମୃତ୍ୟୁ ହୋଇଥିବା କହିଛନ୍ତି। ତେବେ ମୃତ ଶିଶୁର ଅନ୍ତିମ ସଂସ୍କାର କିଏ କଲା, କେଉଁଠି ହେଲା ସେ ନେଇ କୌଣସି ସ୍ପଷ୍ଟ ସୂଚନା ଦେଉନାହାନ୍ତି କ୍ଲିନିକ୍ କର୍ତ୍ତୃପକ୍ଷ।

 

ସମ୍ବନ୍ଧିତ ଖବର