କେନ୍ଦୁଝର ପରେ ମୟୂରଭଞ୍ଜ: ଏଡିଏମଙ୍କୁ ଫୋନ ଯୋଗେ କେନ୍ଦ୍ରମନ୍ତ୍ରୀଙ୍କ ଗାଳିଗୁଲଜ ଅଭିଯୋଗ

କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱରଙ୍କ ଆକ୍ରମଣାତ୍ମକ ମନୋଭାବ ଜାରି

ବାରିପଦା: ସରକାର ଅଧିକାରୀଙ୍କ ପ୍ରତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ଆକ୍ରମଣାତ୍ମକ ମନୋଭାବ ଜାରି ରହିଛି। ପ୍ରଥମେ କେନ୍ଦୁଝରରେ ଅନୁଷ୍ଠିତ ଏକ ବୈଠକରେ ସରକାରୀ ଅଧିକାରୀଙ୍କୁ ମାଡ ପଡୁନି କହିବା ପରେ ମୟୂରଭଞ୍ଜରେ ପୁଣି ଜଣେ ଅଧିକାରୀଙ୍କୁ ଫୋନ ଜରିଆରେ ଗାଳିଗୁଲଜ କରି ଚର୍ଚ୍ଚାରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ। ତେବେ ଶ୍ରୀ ଟୁଡୁଙ୍କ ଏପରି ଆଚରଣକୁ ଜୋରଦାର ବିରୋଧ କରିଛି ଜିଲ୍ଲା ଓଏଏସ ସଂଘ। ଗତ ୯ ତାରିଖରେ ଘଟିଥିବା ଏହି ଘଟଣାକୁ ବିରୋଧ କରି ଆଜି ଜିଲ୍ଲାରେ କାର୍ଯ୍ୟରତ ଓଏଏସ ଅଧିକାରୀମାନେ କଳା ବ୍ୟାଜ ପିନ୍ଧି ପ୍ରତିବାଦ କରିଛନ୍ତି।

କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳସମ୍ପଦ ମନ୍ତ୍ରୀ ଶ୍ରୀ ଟୁଡୁଙ୍କ ଏପରି ଆଚରଣକୁ ନିନ୍ଦା କରିବା ସହ ତାଙ୍କ ଆଚରଣରେ ପରିବର୍ତ୍ତନ ଦାବି କରି ଓଡ଼ିଶା ପ୍ରଶାସନିକ ସେବା ସଂଘ ପକ୍ଷରୁ କଳା ବ୍ୟାଚ ପ୍ରଦର୍ଶନ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ଗତ ଶନିବାର ଦିନ ଅତିରିକ୍ତ ଜିଲ୍ଲାପାଳ ରୁଦ୍ର ନାରାୟଣ ମହାନ୍ତିଙ୍କୁ କେନ୍ଦ୍ରମନ୍ତ୍ରୀ ଫୋନରେ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି। ଉକ୍ତଦିନ କେନ୍ଦ୍ରମନ୍ତ୍ରୀ ବାରିପଦା ସର୍କିଟ୍ ହାଉସକୁ ଆସିଥିବା ସମୟରେ ସେଠାରେ ମରାମତି କାର୍ଯ୍ୟ ଚାଲିଥିଲା। ତେବେ ଏନେଇ ନିଜର ବିରକ୍ତି ଭାବ ପ୍ରକାଶ କରିବା ସହ ଏ ବାବଦରେ ମୟୂରଭଞ୍ଜ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ତଥା ଓଏଏସ୍ ସଂଘ ଜିଲ୍ଳା ଶାଖାର ସଭାପତି ରୁଦ୍ରନାରାୟଣ ମହାନ୍ତିଙ୍କୁ କେନ୍ଦ୍ରମନ୍ତ୍ରୀ ଫୋନ କରି ଅଭଦ୍ର ଭାଷାରେ ଗାଳିଗୁଲଜ କରିଥିଲେ ।

ଏହା ପୂର୍ବରୁ ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କର ଆଚାର ବ୍ୟବହାରରେ ଅତିଷ୍ଠ ହୋଇ ତାଙ୍କର ଏଭଳି ଅସଦ ଆଚରଣକୁ ନିନ୍ଦା କରିବା ସହ ଯଥାଶୀଘ୍ର କେନ୍ଦ୍ରମନ୍ତ୍ରୀଙ୍କର ଆଚରଣରେ ପରିବର୍ତ୍ତନ ଦାବିକରି କଳା ବ୍ୟାଚ ପ୍ରଦର୍ଶନ କରିଛନ୍ତି । ଭବିଷ୍ୟତରେ କେନ୍ଦ୍ରମନ୍ତ୍ରୀ ନିଜର ଆଚରଣରେ ପରିବର୍ତ୍ତନ ଆଣନ୍ତୁ ବୋଲି ଅତିରିକ୍ତ ଜିଲ୍ଲାପାଳ ତଥା ଓଏଏସ୍ ସଙ୍ଘ ମୟୂରଭଞ୍ଜ ଶାଖା ସଭାପତି ରୁଦ୍ରନାରାୟଣ ମହାନ୍ତି ଦାବି କରିଛନ୍ତି।

ସମ୍ବନ୍ଧିତ ଖବର