ଚାକିରିରୁ ବିଦା ହେଲେ ଲାଞ୍ଚୁଆ ପ୍ରଶାସିକା ସବିତା ସାହୁ

ବାଲେଶ୍ବର: ଲାଞ୍ଚ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବା ପରେ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ ପାଇଥିବା ଓଡ଼ିଶା ପ୍ରଶାସନିକ ଅଧିକାରୀ(ଓଏଏସ୍) ତଥା ବାଲେଶ୍ବର ଜିଲ୍ଲା ପୂର୍ବତନ ଡେପୁଟି କଲେକ୍ଟର ସବିତା ସାହୁଙ୍କୁ ଆଜି ଚାକିରିରୁ ସ୍ବେଚ୍ଛାକୃତ ଅବସର ଦିଆଯାଇଛି। ଅସଦ୍‌ ଉପାୟରେ ଜଣେ ଇଟାଭାଟି ମ୍ୟାନେଜର ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରିଥିବା ବେଳେ ସେ ଭିଜିଲାନ୍‌ସ ଦ୍ବାରା ଧରା ପଡ଼ିଥିଲେ। ଅସାଧୁତା କାରଣରୁ ଆଜି ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା‌ ଜଣାଯାଇଛି।୨୦୧୪ ମସିହାରେ ମୟୂରଭଞ୍ଜ ଜିଲ୍ଲା ଶାମାଖୁଣ୍ଟା ବ୍ଲକରେ ତହସିଲଦାର ଥିଲେ ସବିତା ସାହୁ। ସେତେବେଳେ ସ୍ଥାନୀୟ ଅଞ୍ଚଳର ପ୍ରଭା ଇଟା ଭାଟି ମ୍ୟାନେଜର ପ୍ରଫୁଲ୍ଲ ଦାଶବାବୁ ଶ୍ୟାମଖୁଣ୍ଟା ବ୍ଲକର ମହୁଳିଆ ମୌଜାରେ ପାଞ୍ଚଲକ୍ଷ କଞ୍ଚା ଇଟା ପୋଡ଼ିବା ପାଇଁ ତହସିଲଦାରଙ୍କ ଠାରୁ ଅନୁମତି ମାଗିଥିଲେ। ଏହି କାର୍ଯ୍ୟାଦେଶ ଦେବା ଲାଗି ତହସିଲଦାର ତାଙ୍କୁ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଶ୍ରୀ ଦାସବାବୁ ଏନେଇ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ତେବେ ୨୭.୧୧. ୨୦୧୪ ତାରିଖରେ ଭିଜିଲାନ୍ସ ଟିମ୍‌ର ପୂର୍ବ ଯୋଜନା ମୁତାବକ ତହସିଲଦାର ନିଜ କାର୍ଯ୍ୟାଳୟରେ ଇଟାଭାଟି ମ୍ୟାନେଜରଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଧରା ପଡ଼ିଥିଲେ ଏବଂ ତାଙ୍କୁ ଗିରଫ କରାଯାଇଥିଲା।

ଏହି ମାମଲାରେ ଗତ ମାର୍ଚ୍ଚ ୨୫ ତାରିଖରେ ବାରିପଦା ସ୍ଥିତ ସତନ୍ତ୍ର ଭିଜିଲାନ୍ସ କୋର୍ଟ ତାଙ୍କୁ ଦଫା ୧୩/୨ରେ ୨ ବର୍ଷର ଜେଲଦଣ୍ଡ ସହ ୧୦ହଜାର ଜରିମାନା ଏବଂ ଜରିମାନା ଅନାଦେୟ ହେଲେ ୩ ମାସର ଅଧିକ ଜେଲଦଣ୍ଡ ତାଙ୍କୁ ଶୁଣାଣି କରିଥିଲେ। ସେହିପରି ଦଫା ୭ରେ ଆଉ ଏକ ବର୍ଷ କାରାଦଣ୍ଡ ସହ ୫ହଜାର ଜରିମାନା ଏବଂ ଅନାଦେୟ ୩ ମାସ ଜେଲ୍‌ଦଣ୍ଡର ଶୁଣାଣି କରାଯାଇଥିଲା। ଶ୍ରୀମତୀ ସାହୁ ସେତେବେଳେ ବାଲେଶ୍ବର ଜିଲ୍ଲାରେ ଡେପୁଟି ସବ୍ କଲେକ୍ଟର ଭାବେ କାର୍ଯ୍ୟରତ ଥିଲେ। ପୂର୍ବରୁ ମଧ୍ୟ ତାଙ୍କ ନାଁରେ ଅନ୍ୟ ଏକ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ରହିଥିଲା। ଯେଉଁଥିରେ ଭିଜିଲାନ୍ସ କୋର୍ଟରେ କେସ୍‌ ନମ୍ବର ୧୬/୧୫ରେ ଏକ ମାମଲା ବିଚାରଧୀନ ଅବସ୍ଥାରେ ରହିଛି। ଏହି ମାମଲାରେ ତହସିଲଦାରଙ୍କ ନାମରେ ୪୫ ଲକ୍ଷ ୪୯ହଜାର ୬୩୨ ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ମଧ୍ୟ ରହିଥିବାର ଅଭିଯୋଗ ରହିଛି।

ସମ୍ବନ୍ଧିତ ଖବର