ଭଟଲି:  ବରଗଡ଼ ଜିଲ୍ଲା ଭଟଲି ବ୍ଲକ୍‌ ଅନ୍ତର୍ଗତ କେଶେଇପାଲି ନିବାସୀ ତଥା ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ଡ. ବ୍ୟାସଦେବ ବେହେରା (୪୭ ବର୍ଷ)ଙ୍କ ଅକାଳ ବିୟୋଗ ଘଟିଛି। ମସ୍ତିଷ୍କ ଆଘାତଜନିତ ରୋଗରେ ପୀଡ଼ିତ ହୋଇ ସେ ଭୁବନେଶ୍ବରସ୍ଥିତ ଏମ୍‌ସ୍‌ରେ ଚିକିତ୍ସାଧୀନ ଥିଲେ। ବୁଧବାର ରାତି ପ୍ରାୟ ଗୋଟାଏ ବେଳେ ସେଠାରେ ତାଙ୍କର ବିୟୋଗ ହୋଇଥିଲା।

Advertisment

ଆର୍ଥିକ ଅଭାବ, ଅନଟନ ଓ ଅନେକ ଅସୁବିଧାର ସାମନା କରି ସ୍ଵକୀୟ ପ୍ରତିଭାରେ ସ୍ବର୍ଗତ ବେହେରା ଛାତ୍ର ଜୀବନରୁ ଜଣେ ମେଧାବୀ ଓ ଉଚ୍ଚଆକାଂକ୍ଷାସମ୍ପନ୍ନ ବ୍ୟକ୍ତି ଭାବରେ ଜଣାଶୁଣା ଥିଲେ। ନୂଆଦିଲ୍ଲୀସ୍ଥିତ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ ଲାଭ କରି ପରବର୍ତ୍ତୀ ସମୟରେ ଓଡ଼ିଶା ପ୍ରଶାସନିକ ସେବାରେ ଉତ୍ତୀର୍ଣ୍ଣ ହୋଇ ପ୍ରଥମେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ ବିଡିଓ ଭାବରେ ଯୋଗଦାନ କରିଥିଲେ। ପରବର୍ତ୍ତୀ ସମୟରେ ବିନିକା ବିଡିଓ ଭାବରେ କାର୍ଯ୍ୟ କରି ନିକଟ ଅତୀତରେ ଆଡିସିନାଲ ସବକଲେକ୍ଟର ପଦବିକୁ ପ୍ରମୋସନ ପାଇ ଧର୍ମଗଡ଼ରେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ତାଙ୍କର ଆକସ୍ମିକ ବିୟୋଗ ଘଟିଛି।

ସେ ଜଣେ ଦକ୍ଷ ପ୍ରଶାସନିକ ସହ ନମ୍ର, ଶାନ୍ତ, ସରଳ ଓ ନିରାଡ଼ମ୍ବର ସ୍ୱଭାବର ବ୍ୟକ୍ତି ଥିଲେ। ସେ ତାଙ୍କ ପଛରେ ବାପା ବିଜାରୁ ବେହେରା, ମା' ରମା ବେହେରା, ପତ୍ନୀ ହେମପ୍ରଭା ଓ ଏକମାତ୍ର କନ୍ୟା ଶିଳ୍ପୀଙ୍କୁ ଛାଡ଼ି ଚାଲିଯାଇଛନ୍ତି। ଆଜି ପୂର୍ବାହ୍ନରେ ମରଶରୀର ଜନ୍ମମାଟିରେ ପହଂଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ତାଙ୍କ ଅନ୍ତିମ ସଂସ୍କାର ସମୟରେ ଭଟଲି ବିଡିଓ ଭିକ୍ଟର ସୋରେନ, ବିନିକା ବ୍ଲକର ଅଧିକାରୀବୃନ୍ଦ, ସ୍ୱେଚ୍ଛାସେବୀ ସୁବ୍ରତ ସିଂ, ବିଜେପି ରାଜ୍ୟ ସମ୍ପାଦକ ଇରାଶିଷ ଆଚାର୍ଯ୍ୟ, ସ୍ୱେଚ୍ଛାସେବୀ ହେମନ୍ତ ପଣ୍ଡାଙ୍କ ସମେତ କେଶେଇପାଲି ଗ୍ରାମବାସୀ ତଥା ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରିଥିଲେ। ତାଙ୍କ ଝିଅ ଶିଳ୍ପୀ ମୁଖାଗ୍ନି ଦେଇଥିଲେ।