ଜୟପୁର: ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ଫଳରେ କୋରାପୁଟ ଜିଲ୍ଲା ଜୟପୁରର ହିକକା ରାମେଶ୍ବରୀ ୪୧୩ ରାଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି। ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟର ଚତୁର୍ଥଶ୍ରେଣୀ ମହିଳା କର୍ମଚାରୀ ରାଜେଶ୍ବରୀ ହିକକାଙ୍କ ଝିଅ ରାମେଶ୍ବରୀ ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ଛୋଟ ବେଳରୁ ହିଁ ସେ ମେଧାବୀ ଥିଲେ। କୋରାପୁଟ ନିକଟସ୍ଥ ଲାଣ୍ଡିଗୁଡା ଜବାହାର ନବୋଦୟ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିଲେ। ଯୁକ୍ତତିନି କଳାରେ ସେ ଜୟପୁର ବିକ୍ରମ ଦେବ ମହାବିଦ୍ୟାଳୟରେ ଇଂରାଜୀ ସମ୍ମାନରେ ୨୦୧୫ ମସିହାରେ ପାସ କରିଥିଲେ। ଭୁବନେଶ୍ବର ବାଣୀବିହାରସ୍ଥ ଉତ୍କଳବିଶ୍ବବିଦ୍ୟାଳୟରେ ସେ ସ୍ନାତ୍ତକୋତ୍ତର ପଢ଼ିଥିଲେ। ଏହା ପରେ ସେ ପ୍ରଶାସନିକ ସେବା ପରୀକ୍ଷା ପାଇଁ ପ୍ରସ୍ତୁତି ଜାରୀ ରଖିଥିଲେ। ବାପା ଏଚ୍ ରାମନାୟକ ଜୟପୁର ବ୍ଲକରେ ହାଡିଆ ପଞ୍ଚାୟତର ପିଇଓ ଭାବେ କାର୍ଯ୍ୟ କରି ଆସୁଥିଲେ।
୨୦୧୨ମସିହାରେ ତାଙ୍କ ମୃତ୍ୟୁ ହେବା ପରେ ବହୁ ପ୍ରୟାସ କରି ରାଜେଶ୍ବରୀ ଚତୁର୍ଥଶ୍ରେଣୀ କର୍ମଚାରୀ ଭାବେ ନିଯୁକ୍ତି ପାଇଥିଲେ। ସ୍ବାମୀଙ୍କ ମୃତ୍ୟୁ ପରେ ଦୁଇପୁଅ ଓ ଝିଅଙ୍କୁ ମଣିଷ କରିବାକୁ ରାଜେଶ୍ବରୀଙ୍କୁ ବହୁ କଷ୍ଟ ସହି ଆସିଛନ୍ତି। ରାମେଶ୍ବରୀଙ୍କ ସଫଳତା ପରେ ଅଞ୍ଚଳବାସୀଙ୍କ ପ୍ରଶଂସାର ସୁଅ ଛୁଟିବା ସହିତ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ହୋଇ ଜୀବନର ଝଡ଼ଜଞ୍ଜାକୁ ସହି ନିଜ ଝିଅକୁ ପ୍ରଶାସନିକ ସେବାରେ ସଫଳତା ହାସଲ କରାଇବାରେ ରହିଥିବା ଅବଦାନକୁ ମଧ୍ୟ ପ୍ରଶଂସିତ କରାଯାଉଛି। ପ୍ରଥମଥର ସେ ଫେଲ୍ ମାରିଥିଲେ ହେଁ ଦ୍ବିତୀୟ ଥର ସଫଳତା ରାମେଶ୍ବରୀ ହାସଲ କରିଥିଲେ। ତେଣୁ ପିଲା ମାନେ ଥରେ ଫେଲ୍ ହେଲେ ନିରାଶ ନ ହୋଇ ନିଜର ଲକ୍ଷ୍ୟ ସହ ବାପା ମାଙ୍କ ସମ୍ମାନ ବୃଦ୍ଧି ଦିଗରେ ପ୍ରୟାସ କରିବା ଆବଶ୍ୟକ ବୋଲି କହିଛନ୍ତି ରାମେଶ୍ବରୀ। ଯଦି ଝିଅ ଜୟପୁର ବ୍ଲକକୁ ପ୍ରଶାସନିକ ଅଧିକାରୀ ଭାବେ ଆସିଲେ ସୁଦ୍ଧା ସେ ଖୁସି ହୋଇ ସ୍ବାଗତ କରିବେ କିନ୍ତୁ ସେ ନିଜ କର୍ମକୁ ଛାଡ଼ିବେ ନାହିଁ ବୋଲି କହିଛନ୍ତି ରାଜେଶ୍ବରୀ।