ମଠ ମନ୍ଦିରରେ ପ୍ରସାଦ ଖୁଆଇ ଓ ପାଦୁକ ଛୁଆଁଇ ଭୋଟରଙ୍କୁ ଶପଥ କରାଉଛନ୍ତି ପ୍ରାର୍ଥୀ

ବାଲିଅନ୍ତା :ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ବାଲିଅନ୍ତାର ବିଭିନ୍ନ ପଞ୍ଚାୟତରେ ସରପଞ୍ଚ, ସମିତି ସଭ୍ୟ ଏବଂ ଜିଲ୍ଲା ପରିଷଦ ପ୍ରାର୍ଥୀମାନେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ନିଜ ନିଜର ସମର୍ଥକଙ୍କୁ ସାଙ୍ଗରେ ଧରି ଘରକୁ ଘର ବୁଲି ଭୋଟଭିକ୍ଷା କରୁଛନ୍ତି। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରାର୍ଥୀମାନେ ଭିନ୍ନ ଭିନ୍ନ ରଣନୀତି ଆପଣାଉଥିବା ଲକ୍ଷ୍ୟ କରାଯାଉଛି । କିଏ ଗ୍ରାମର ବିଭିନ୍ନ ପ୍ରସଙ୍ଗ ଯଥା ପିଇବା ପାଣି ସମସ୍ୟା , ରାସ୍ତାଘାଟ, ଶ୍ମଶାନ ଓ ପକ୍କାଘର , ବାର୍ଦ୍ଧକ୍ୟ ଭତ୍ତା ଓ ବିଜୁଳି ଆଦି ସମସ୍ୟାର ସମାଧାନ ଆଦି ପ୍ରସଙ୍ଗକୁ ଆଧାର କରି ଲୋକଙ୍କ ମନରେ ବିଶ୍ବାସ ଜନ୍ମାଇ ଭୋଟ ପାଇବାକୁ ଚେଷ୍ଟା କରୁଛି ତ ଆଉ କିଏ  ମଠ ମନ୍ଦିର ବେଢ଼ାରେ ଭୋଟରଙ୍କୁ ପ୍ରସାଦ ଖୁଆଇ ତାଙ୍କ ସପକ୍ଷରେ ଭୋଟ ଦେବାକୁ କହି ଲୋକଙ୍କୁ ଶପଥ କରାଇବା ଭଳି ପନ୍ଥା ଆପଣାଉନ୍ତି। ଏନେଇ ମନ୍ଦିର ବେଢ଼ାରେ ଲୋକଙ୍କୁ ଅବଢ଼ା ଖାଇବା‌କୁ ଦେଉଛନ୍ତି। ଆଉ କିଏ ଖିରି ଖେଚୁଡ଼ି ରାନ୍ଧି ଘରକୁ ମୁଣ୍ଡ ପିଛା ହିସାବରେ ପାର୍ସଲ ପଠାଉଛନ୍ତି । ଆଜି ବାଲିଅନ୍ତା ଜୋନରେ ଜଣେ ଜିଲ୍ଲା ପରିଷଦ ପ୍ରାର୍ଥୀ ଅଟୋରେ ଅଭଡ଼ା ନେଇ ଘରକୁ ଘର ପହଞ୍ଚାଇଥିବା ଚର୍ଚ୍ଚା ଜୋର ଧରିଛି।‌ ଏନେଇ ତୀବ୍ର ଉତ୍ତେଜନା ଦେଖାଦେବାରୁ ପ୍ରାର୍ଥୀଜଣକ ଖସି ପଳାଇଥିଲେ। ବାଳକାଟି ମା‘ ଦୁଲ୍ଲାଦେବୀ ମନ୍ଦିରରେ ଜଣେ ବିଜେଡ଼ି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ଓ ସମିତି ସଭ୍ୟ ପ୍ରାର୍ଥୀ ନିଜ ନିଜ ସମର୍ଥିତ ଭୋଟରଙ୍କୁ ପରସ୍ପର ସପକ୍ଷରେ ଭୋଟ ଦେଇ ଶପଥ କରିଥିଲେ । ଏମିତିକି ନିର୍ବାଚନରେ ଜିତିଲେ ପଞ୍ଚାୟତ ପରିଚାଳନା ବୁଝାମଣାରେ କରିବାକୁ ମା’ଙ୍କ ପାଦୁକ ଖାଇ ଶପଥ କରିଥିଲେ। ସେମାନଙ୍କ ମଧ୍ୟରେ ଆଲୋଚନ ବେଳେ ଅନ୍ୟ ୪ଜଣ ପ୍ରତ୍ୟକ୍ଷଦର୍ଶୀ ଉପସ୍ଥିତ ଥିଲେ। ସେହିପରି ପ୍ରଚାର କ୍ଷେତ୍ରରେ ୱାର୍ଡ଼ ସଭ୍ୟ ପ୍ରାର୍ଥୀ ମଧ୍ୟ ପଛରେ ନାହାନ୍ତି। ନିଜ ନିଜ ୱାର୍ଡ଼ରେ ପ୍ରଚାର ଚଳାଇଛନ୍ତି। ଅନୁରୂପ ଭାବେ ବାଲିଅନ୍ତା ପଞ୍ଚାୟତ ନିକୁଞ୍ଜବିହାରୀ ମନ୍ଦିର ପ୍ରାଙ୍ଗଣରେ ସ୍ଥାନୀୟ ସରପଞ୍ଚ ଏବଂ ସମିତି ସଭ୍ୟ ପ୍ରାର୍ଥୀ ପାଦୁକା ଛୁଇଁ ପରସ୍ପରକୁ ଭୋଟ ଦେବାକୁ ଶପଥ କରିଥିଲେ । ଅନ୍ୟ ଏକ ବୈଠକ ବସିବା ନେଇ ଜଣେ ପ୍ରମୁଖ ନେତୃତ୍ବଙ୍କ ଇସାରାରେ ଉଭୟ ସରପଞ୍ଚ ଏବଂ ସମିତି ସଭ୍ୟଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର ନେଇ  ସମର୍ଥକ ଅପେକ୍ଷା କରିଥିଲେ ମଧ୍ୟ ପ୍ରାର୍ଥୀ ଆସିନଥିଲେ।

ସମ୍ବନ୍ଧିତ ଖବର