କରୋନା ସଂକ୍ରମଣ ଶୃଙ୍ଖଳ କାଟିବାକୁ ତାଲାବନ୍ଦ ନିୟମ ମାନନ୍ତୁ: ଜିଲ୍ଲାପାଳ

ସୁନ୍ଦରଗଡ଼: କୋଭିଡ୍ ସଂକ୍ରମଣ ନିୟନ୍ତ୍ରଣ ପାଇଁ ମେ’ ୫ ତାରିଖରୁ ୧୯ ତାରିଖ ଯାଏଁ ସାରା ରାଜ୍ୟରେ ୧୪ ଦିନିଆ ତାଲାବନ୍ଦ ଲାଗୁ କରିଛନ୍ତି ରାଜ୍ୟ ସରକାର। ଏହି ନିୟମକୁ ଠିକ୍ ଭାବେ ପାଳନ କରି ଜିଲ୍ଲାରେ କରୋନା ସଂକ୍ରମଣର ଶୃଙ୍ଖଳ କାଟିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ। ‘‘କରୋନା ସଂକ୍ରମଣର ମୁକାବିଲା ପାଇଁ ଏବେ ତାଲାବନ୍ଦ କରାଯାଉଛି। ଏହି ସମୟରେ ଅତି ଜରୁରୀ ଆବଶ୍ୟକ ନହେଲେ ଆପଣମାନେ ଘରୁ ବାହାରକୁ ଆସନ୍ତୁ ନାହିଁ। ବନ୍ଦ ସମୟରେ ପରୀକ୍ଷା ଓ ଟିକାକରଣ କାର୍ଯ୍ୟ ଜାରି ରହିବ।

ସେହିପରି ନିତ୍ୟବ୍ୟବହାର୍ଯ୍ୟ ଜିନିଷ କିଣିବା ଲାଗି ସୁବିଧା କରାଯାଉଛି। ତେଣୁ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଆପଣମାନେ ବାରମ୍ବାର ବାହାରକୁ ଆସନ୍ତୁ ନାହିଁ କିମ୍ବା କୌଣସି ସ୍ଥାନରେ ଭିଡ଼ କରନ୍ତୁ ନାହିଁ’’ ବୋଲି ସେ ଅନୁରୋଧ କରିଛନ୍ତି। ପ୍ରତିଦିନ ସକାଳ ୬ଟାରୁ ଦିନ ୧୨ଟା ଯାଏଁ ଗ୍ରୋସରି, ପନିପରିବା, କ୍ଷୀର, ମାଛ, ମାଂସ ଓ ଅଣ୍ଡା ଆଦି ଖାଦ୍ୟ ସାମଗ୍ରୀ ଦୋକାନ ଖୋଲା ରହିବ।

ବିଭିନ୍ନ ହୋଟେଲ ଓ ରେସ୍ତୋରାଁରେ କେବଳ ପାର୍ସଲ ପାଇଁ ଅନୁମତି ରହିଛି। ବିଭିନ୍ନ ସାମଗ୍ରୀର ହୋମ ଡେଲିଭରି ଉପରେ ପ୍ରଶାସନ ଗୁରୁତ୍ୱ ଦେଉଛି। ତେଣୁ କୌଣସି ଦୋକାନରେ କିଣାବିକା ବେଳେ କୋଭିଡ୍ ନିୟମ ଉଲ୍ଲଂଘନ ନକରିବାକୁ ଜିଲ୍ଲାପାଳ ଜନସାଧାରଣଙ୍କୁ ଅପିଲ୍ କରିଛନ୍ତି। ତାଲାବନ୍ଦ ବେଳେ ବିଭିନ୍ନ ଜରୁରୀକାଳୀନ ସେବା ଜାରି ରହିବ। ଏହି ସମୟରେ କେଉଁ କାର୍ଯ୍ୟ ଚାଲୁ ରହିବ ଏବଂ କେଉଁ କାର୍ଯ୍ୟ ବନ୍ଦ ରହିବ ସେ ବାବଦରେ ରାଜ୍ୟ ସରକାର ଘୋଷଣା କରିଛନ୍ତି। ସେହି ନିୟମକୁ ସାଧାରଣ ଜନତା, ବ୍ୟବସାୟିକ ପ୍ରତିଷ୍ଠାନ, ବିଭିନ୍ନ ଘରୋଇ ସଂସ୍ଥା ଓ ବିଭିନ୍ନ ସେବା ପ୍ରଦାନକାରୀ ଅନୁଷ୍ଠାନ ଓ ବ୍ୟକ୍ତି ପାଳନ କରିବାକୁ ଜିଲ୍ଲା ପ୍ରଶାସନ ପରାମର୍ଶ ଦେଇଛି।

ଏହି ଅବସରରେ କୋଭିଡକୁ ନେଇ ଜିଲ୍ଲାବାସୀ ଭୟଭୀତ ନହେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। କୋଭିଡ୍ ମୁକାବିଲା ଲାଗି ପ୍ରଶାସନ ସବୁ ପ୍ରକାର ପଦକ୍ଷେପ ନେଉଥିବା ବେଳେ କୋଭିଡ୍ ରୋଗୀଙ୍କ ପାଇଁ ଜିଲ୍ଲାରେ ଅକ୍ସିଜେନ୍ ସିଲିଣ୍ଡର ଯଥେଷ୍ଟ ପରିମାଣରେ ମହଜୁଦ ଅଛି। ଜିଲ୍ଲାର ସବୁ କୋଭିଡ୍ ହସ୍ପିଟାଲ ଓ କୋଭିଡ୍ କେୟାର ସେଣ୍ଟରରେ ଅକ୍ସିଜେନ୍ ସୁବିଧା କରାଯାଇଛି। ତାଲାବନ୍ଦ ସମୟରେ ଜିଲ୍ଲାରେ କୋଭିଡ୍ ଚିକିତ୍ସା କ୍ଷେତ୍ରରେ କୌଣସି ବାଧା ଉପୁଜିବ ନାହିଁ। ସେହିପରି ଅନ୍ୟ ସମସ୍ତ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ଜାରି ରହିବ। ଆବଶ୍ୟକ ହେଲେ ଜଣେ ବ୍ୟକ୍ତି ଜିଲ୍ଲା ହେଲ୍ପଲାଇନ୍ (୧୮୦୦ ୩୪୫ ୭୪୬୧) ନମ୍ବରରେ ଯୋଗାଯୋଗ କରିପାରିବେ। ତା’ଛଡ଼ା ଜିଲ୍ଲା ପ୍ରଶାସନର ସୋସିଆଲ ମିଡିଆ ଚ୍ୟାନେଲ ମାଧ୍ୟମରେ ଲୋକେ ବିଭିନ୍ନ ବିଷୟରେ ପ୍ରଶାସନର ଧ୍ୟାନ ଆକର୍ଷଣ କରିପାରିବେ ବୋଲି ଜିଲ୍ଲାପାଳ ଶ୍ରୀ କଲ୍ୟାଣ କହିଛନ୍ତି।

ସମ୍ବନ୍ଧିତ ଖବର