କେସିଙ୍ଗା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ଆୟୋଜିତ ବୁଢ଼ା ଡଙ୍ଗର ଲୋକ ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି। ଢୋଲ, ମହୁରୀ, ନିଶାନ, ତାସାରେ ମଞ୍ଚ ଦୁଲୁକିଲା। ସେହିପରି ଓଡ଼ିଆ ଅଭିନେତ୍ରୀ ଭୂମିକା ଦାସଙ୍କ ନୃତ୍ୟରେ ଦର୍ଶକ ଝୁମିଥିଲେ। ସ୍ଥାନୀୟ ବୁଢ଼ା ଡଙ୍ଗର ମନ୍ଦିରରୁ ଏକ ସାଂସ୍କୃତିକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ସନ୍ଧ୍ୟାରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ରାଜ୍ୟ ଓସେପା ନିର୍ଦ୍ଦେଶକ ତଥା ଅତିରିକ୍ତ ଦାୟିତ୍ୱରେ ଥିବା ଶ୍ରମ କମିସନର ଅନୁପମ ସାହା ମୁଖ୍ୟ ଅତିଥି, ସଙ୍ଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ ରଥ ବିଶିଷ୍ଟ ଅତିଥି ଓ କେସିଙ୍ଗା ଏନ୍ଏସି ଅଧ୍ୟକ୍ଷ ନୃପରାଜ ଯାଦବ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।
ସଭାପତି ସୁଶାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ସମ୍ପାଦକ ଅକ୍ଷୟ ଦାସ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଲାଳିତ୍ୟ ରଞ୍ଜନ ପଟ୍ଟନାୟକ, ଘୁମୁରା ଗୁରୁ ସୁରୁ ବାରିକ, ଡିଲେଶ୍ବର ରଣା, କୁନି ବୈଜ୍ଞାନିକ ଓଁ ରାଜ୍ ମିଶ୍ର, ସୌମ୍ୟ ରଞ୍ଜନ ସିଂ, ଅନିତା କୈବର୍ତ୍ତ ଓ ଅପର୍ଣ୍ଣା ନନ୍ଦଙ୍କୁ ସମ୍ମାନିତ କରାଯାଇଥିଲା। ବିଭିନ୍ନ ପ୍ରତଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ରାଜ୍ୟ ସଂସ୍କୃତି ବିଭାଗ ଦ୍ଵାରା ପ୍ରାୟୋଜିତ ଓଡ଼ିଶୀ, ବଜାଶାଲ, କଳାଜୀବୀର ସମ୍ବଲପୁରୀ, ପଶୁ ନୃତ୍ୟ ଦର୍ଶକଙ୍କ ମନ ମୋହିଥିଲା। ଓଡ଼ିଆ ଅଭିନେତ୍ରୀ ଭୂମିକାଙ୍କ ନୃତ୍ୟ ଦର୍ଶକଙ୍କୁ ବାନ୍ଧି ରଖିଥିଲା। ସର୍ବେଶ୍ୱର ଓ ସଂଗୀତା ରାଉତଙ୍କ ସମ୍ବଲପୁରୀ ଅର୍କେଷ୍ଟ୍ରାରେ ବିଳମ୍ବିତ ରାତି ଯାଏଁ ଲୋକ ନାଚିଥିଲେ।