ହାଇଦ୍ରାବାଦରେ ନାବାଳକ ଦାଦନ ଶ୍ରମିକ ମୃତ

ପାଟପୁର : ଗଂଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍‌ ଦିଗପହଣ୍ଡି ଥାନା ଛଣମେରି ଗ୍ରାମର ତବତିଆ ପ୍ରଧାନ ନାବାଳକ ପୁଅ ଶିବରାମ ପ୍ରଧାନ (୧୭) ହାଇଦ୍ରାବାଦର ଏକ ସୁତା କଳରେ କାମ କରୁଥିଲେ। ଆଜକୁ ୨ ବର୍ଷ ହେଲା ସେ ଶ୍ରମିକ ଭାବେ କାମ କରୁଥିଲେ। ଗତ ଏକ ମାସ ଧରି ଜ୍ଵରରେ ଆକ୍ରାନ୍ତ ହୋଇଥିଲେ। ଗତ ରାତିରେ ଶିବରାମ ଗୁରୁତର ହେବାରୁ ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ସୂଚନା ଯୋଗ୍ୟ ଯେ, ଗ୍ରାମର ଜଣେ ଦଲାଲ ଶ୍ରମିକ ଚାଲାଣ କରୁଥିବା ଶିବରାମକୁ ମଧ୍ୟ ହାଇଦ୍ରାବାଦ ନେଇଥିଲେ । ଶିବରାମ ଅସୁସ୍ଥ ହୋଇଯିବାରୁ ଗ୍ରାମକୁ ଫେରିବାକୁ ଚାହୁଥିଲେ ମଧ୍ୟ ଦଲାଲ ଜଣକ ଗ୍ରାମକୁ ନଫେରିବାକୁ ବାଧ୍ୟ କରିବା ଓ ଉପଯୁକ୍ତ ଚିକିତ୍ସା ଅଭାବରୁ ମୃତ ହୋଇଥିବା ଅଭିଯୋଗ ହୋଇଛି। ମୃତ ନାବାଳକର ଶବ ଫେରିନଥିବାରୁ ତୁରନ୍ତ ପଦକ୍ଷେପ ନେବାକୁ ପ୍ରଶାସନକୁ ମୃତ ନାବାଳକର ପରିବାର ନିବେଦନ କରିଛନ୍ତି। ଶିବଙ୍କ ବାପା ରୋଗକ୍ରାନ୍ତ ବ୍ୟକ୍ତି ହୋଇଥିବା ବେଳେ ଓ ତିନି ଝିଅ ମଧ୍ୟରେ ଶିବରାମ ଏକ ମାତ୍ର ପୁତ୍ର ଥିଲେ। ପୁଅର ମୃତ୍ୟୁ ଖବର ପାଇବା ପରେ ବାପା ମାଆ ଚେତା ଶୂନ୍ୟ ହୋଇପଡିଛନ୍ତି। ଏହି ଅସହାୟ ପରିବାର ପ୍ରତି ତୁରନ୍ତ ସରକାରୀ ସହାୟତା ପାଇଁ ଦାବି ହୋଇଛି।

ସମ୍ବନ୍ଧିତ ଖବର