ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକର ଖଇରଚ୍ଛଟା ଗ୍ରାମରେ ବସବାସ କରୁଥିବା ଜଣେ ପ୍ରବାସୀ ଶ୍ରମିକଙ୍କ ସୁରାଟରେ ମୃତ୍ୟୁ ହୋଇଛି। ମୃତ ଶ୍ରମିକ ନାମ ସିଲୁ ଜେନା। ପ୍ରବାସୀ ଶ୍ରମିକ ସୁରକ୍ଷା ମଞ୍ଚ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ପୋଲସରା ବ୍ଲକର ଖଇରଚ୍ଛଟା ଗ୍ରାମର ପ୍ରଫୁଲ୍ଲ ଜେନାଙ୍କ ପୁଅ ସିଲୁ ଜେନା ସୁରାଟରେ ରହି କାମ କରୁଥିଲେ। ଲକ୍ଡାଉନ୍ ପରେ ଲାକ୍ଡାଉନ୍ ଜାରି ହେବାରୁ ସମସ୍ତ କାମଧନ୍ଦା ଠପ୍ ହୋଇଯାଇଥିଲା। ଖାଇବାକୁ ପିଇବାକୁ ନପାଇ ପ୍ରବାସୀମାନେ ଘରକୁ ଫେରି ଆସୁଥିବା ବେଳେ ଏହି କ୍ରମରେ ସିଲୁ ବି ଘରକୁ ଫେରିବା ପାଇଁ ସ୍ଥିର କରିଥିଲେ। ସୁରାଟ ଷ୍ଟେସନ୍ରେ ପହଞ୍ଚିବା ପାଇଁ ତାଙ୍କୁ ବସ୍ରେ ଆସିବାର ଥିଲା। ତେଣୁ ସେ ବସ୍ ଟିକେଟ ପାଇଁ ୪ଘଣ୍ଟା ଧରି ଭୋକରେ ଧାଡ଼ିରେ ଛିଡ଼ା ହୋଇଥିଲେ। ଶେଷରେ ଟିକେଟ ପାଇବା ପରେ ସେ ତାଙ୍କ ମାମୁଙ୍କ ସହ ବସ୍ରେ ବସି ଷ୍ଟେସନ୍ରେ ପହଞ୍ଚିଥିଲେ। ବସ୍ରୁ ଓହ୍ଲାଇବା ପରେ ହଠାତ ସିଲୁଙ୍କର ଚେତା ବୁଡ଼ି ଯାଇଥିଲା। ବହୁ ଚେଷ୍ଟା ପରେ ବି ତାଙ୍କର ଚେତା ଫେରି ନ ଥିଲା।
ତେଣୁ ଚିକିତ୍ସା ପାଇଁ ସିଲୁଙ୍କୁ ସୁରଟ ସିନିୟର ମେଡିକାଲକୁ ଅଣାଯାଇଥିଲା। ସେଠାରେ ଡାକ୍ତର ସିଲୁକୁ ମୃତ ବୋଲି ଘୋଷଣା କରିଥିଲେ। ବ୍ୟବଚ୍ଛେଦ ପରେ ସିଲୁଙ୍କ ପରିବାରଲୋକଙ୍କୁ ମୃତଦେହ ହସ୍ତାନ୍ତର କରି ଦିଆଯାଇଛି।