ଭଦ୍ରାଚଳମରେ ଓଡ଼ିଆ ଦାଦନ ଶ୍ରମିକଙ୍କ ସଂଦେହଜନକ ମୃତ୍ୟୁ

ଝରିଗାଁ :ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଫୁପୁଗାଁ ପଂଚାୟତ ଅନ୍ତର୍ଗତ ବଡ଼ରାମସା ଗ୍ରାମର ଭଗତ ଭତ୍ରାଙ୍କ ପୁଅ ଡମ୍ବରୁ ଭତ୍ରା (୩୫)ଙ୍କ ଆଜି ସକାଳେ ତେଲେଙ୍ଗାନାର ଭଦ୍ରାଚଳମଠାରେ ଟ୍ରକ ଦୁର୍ଘଟଣାରେ ମୃତ୍ୟ ହୋଇଥିବା ସୂଚନା ମିଳିଛି । ମାତ୍ର ଏହି ଖବର ଆସିବା ପରେ ପରିବାର ବର୍ଗ ସହଜରେ ଗ୍ରହଣ କରିନପାରି ଏହା ଅନ୍ୟ କୌଣସି କାରଣ ଥାଇ ପାରେ ବୋଲି ଅଭିଯୋଗ କରିଛନ୍ତି ।

ବଡ଼ରାମସା ଗ୍ରାମର ମୃତ୍ୟ ଡମ୍ବରୁ ଭତ୍ରାଙ୍କ ଦାଦା ଲକ୍ଷ୍ମଣ ମାଝୀଙ୍କ କହିବା ପ୍ରକାରେ ଡମ୍ବରୁ ଭତ୍ରା ବିଭିନ୍ନ ସମୟରେ ଦାଦନ ଖଟିବା ପାଇଁ ଅନ୍ୟ ରାଜ୍ୟ ଯାଉଥିଲା । ସେହିପରି ଗତ ୩ ମାସ ତଳେ ଭଦ୍ରାଚଳମର ଜଣେ ବ୍ୟକ୍ତି ଗାଡ଼ିରେ ଆସି ଡମ୍ବରୁ ମାଝୀ ସହ ଗ୍ରାମର କମଳସାୟୀ ଭତ୍ରା,ମଙ୍ଗଲୁ ଭତ୍ରା,ଏବଂ ହେମନ୍ତ ଭତ୍ରାଙ୍କୁ ନଳକୂପ ଖନନ ଗାଡ଼ିରେ କାମ କରିବା ପାଇଁ ଭଦ୍ରାଚଳମ ଡ଼ାକି ନେଇଥିଲା । ତେବେ ଆଜି ଅପରାହ୍ଣ ୧ ଘଣ୍ଟା ସମୟରେ ଭଦ୍ରାଚଳମରୁ ଜଣେ ବ୍ୟକ୍ତି ଫୋନ କରି ଡମ୍ବରୁ ଭତ୍ରା ଇଟା ବୋଝେଇ ଟ୍ରକ ସହ ଧକ୍କା ହୋଇ ମୃତ୍ୟୁବରଣ କରିଥିବା ଜଣାଇଥିଲେ ।

ଖବର ପାଇ ପରିବାର ବିଚଳିତ ହେବା ସହ ଘଟଣାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ଏହା ଦୁର୍ଘଟଣା ନୁହେଁ, ମୃତ୍ୟୁର ଅନ୍ୟ କୌଣସି କାରଣ ହୋଇପାରେ ବୋଲି ପରିବାର ଲୋକ କହୁଛନ୍ତି । ସେହିପରି ମୃତ ଡମ୍ବରୁର ପରିବାର ଅନ୍ୟ ଏକ ଉପାନ୍ତ ଗ୍ରାମରେ ରହୁଥିବା ବେଳେ ପରିବାର ଆସିବା ପରେ ଆଲୋଚନା କରି ଅନ୍ୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଦାଦା ଲକ୍ଷ୍ମଣ ମାଝୀ କହିଛନ୍ତି ।

ସମ୍ବନ୍ଧିତ ଖବର