କୁଏତରେ ଗଂଜାମ ଯୁବକଙ୍କ ମୃତ୍ୟୁ, ମୃତଦେହ ଆଣିବାକୁ ଶ୍ରମ ଅଧିକାରୀଙ୍କୁ ନିବେଦନ କଲେ ବାପା

ଛତ୍ରପୁର: ଗଂଜାମ ଜିଲ୍ଲାର ଜଣେ ଯୁବକଙ୍କର କୁଏତରେ ମୃତ୍ୟୁ ହୋଇଛି । ତାଙ୍କର ନାମ ଡି. ରମେଶ (୨୯) ବୋଲି ଜଣାପଡ଼ିଛି । ଛତ୍ରପୁର ବ୍ଲକ କାଳୀପଲ୍ଲୀ ପଂଚାୟତର ବଡ଼କୋଟୀ ଗ୍ରାମର ରମେଶଙ୍କ ମୃତ୍ୟୁ ପରେ ତାଙ୍କର ପିତା ଡି ଗଣପତି ଛତ୍ରପୁରରେ ଶ୍ରମ ଅଧିକାରୀଙ୍କୁ ମୃତଦେହ ଫେରାଇ ଆଣିବା ପାଇଁ ନିବେଦନ କରିଛନ୍ତି । ରମେଶ କୁଏତସ୍ଥିତ ଏକ ଘରୋଇ କମ୍ପାନୀରେ ୱେଲଡର କାମ କରୁଥିଲେ । କୁଏତରେ କରୋନା ଭାଇରସ ବ୍ୟାପିବାରୁ ଓଡ଼ିଆ ଯୁବକ ରମେଶ ମଧ୍ୟ କ୍ୱାରେଣ୍ଟାଇନରେ ଥିଲେ । ତାଙ୍କର ନମୁନା ନେଗେଟିଭ ଆସିଥିଲା । ହୋମ କ୍ୱାରେଣ୍ଟାଇନ ସେଣ୍ଟରରେ ୨୪ ଘଣ୍ଟା ରହିବା ପରେ ତାଙ୍କର ମୃତ୍ୟୁ ହୋଇଥିଲା ।

ମିଳିଥିବା ସୂଚନା ଅନୁସାରେ କରୋନା ନେଗେଟିଭ ଥିବା ପରେ ବି ତାଙ୍କର ଦେହରେ ଜ୍ୱର ଓ କାଶ ଅଧିକ ମାତ୍ରାରେ ରହୁଥିଲା । ଆଜି ସକାଳୁ ତାଙ୍କର ସହକର୍ମୀମାନେ ରମେଶଙ୍କ ପାଖକୁ ଯାଇଥିଲେ । କିନ୍ତୁ ସେତେବେଳକୁ ରମେଶଙ୍କ ମୃତ୍ୟୁ ହୋଇ ସାରିଥିଲା । ଏହା ପରେ ରମେଶଙ୍କ ସହକର୍ମୀମାନେ ତାଙ୍କ ଘରକୁ ଫୋନରେ ମୃତ୍ୟୁ ଖବର ଦେଇଥିଲେ ।

ରମେଶଙ୍କ ବାପା ଡି ଗଣପତି ଓ ଗ୍ରାମବାସୀ ଆଜି ଜିଲ୍ଲା ଶ୍ରମ କାର୍ଯ୍ୟାଳୟକୁ ପହଞ୍ଚି ଶ୍ରମ ଅଧିକାରୀ ଶିବ ନାରାୟଣ ସାହୁଙ୍କୁ ଭେଟି ଘଟଣା ସଂପର୍କରେ ଅବଗତ କରିଛନ୍ତି । ଶ୍ରମ ଅଧିକାରୀ ରମେଶଙ୍କ ସଂପର୍କରେ ସମସ୍ତ ତଥ୍ୟ ରଖିଛନ୍ତି ଏବଂ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

ସୂଚନାଯୋଗ୍ୟ, ଡି ରମେଶ ନିଜର ଅନ୍ୟ ସାଙ୍ଗମାନଙ୍କର ସହିତ ଗତ ଜାନୁଆରି ମାସରେ କୁଏତ ଯାଇଥିଲେ । ସେଠାରେ ସେ ଭଲ ପଇସା ରୋଜଗାର କରୁଥିଲେ । ନିଜେ ଚଳିବା ସହିତ ପରିବାରକୁ ମଧ୍ୟ ଟଙ୍କା ପଠାଉଥିଲେ । ରମେଶଙ୍କ ମୃତ୍ୟୁ ପରେ ପରିବାର କେମିତି ଚଳିବ ଓ ତାଙ୍କର ମୃତଦେହ ପୈତୃକ ଗ୍ରାମକୁ କେମିତି ଫେରିବ ସେ ନେଇ ସମସ୍ତଙ୍କର ଚିନ୍ତାବଢ଼ିଛି । ରମେଶ ତିନି ବର୍ଷ ତଳେ ବିବାହ କରିଥିଲେ । ତାଙ୍କର ଜଣେ ଦେଢ଼ ବର୍ଷର ଶିଶୁ କନ୍ୟା ମଧ୍ୟ ଅଛି ।

ସମ୍ବନ୍ଧିତ ଖବର