ପଶ୍ଚିମବଙ୍ଗରେ ପଣବନ୍ଦୀ ଥିବା ଓଡ଼ିଆ ଯୁବକ ଉଦ୍ଧାର, ୮ଲକ୍ଷ ଟଙ୍କା ପାଇଁ ଥିଲେ ପଣବନ୍ଦୀ

ବାଲେଶ୍ବର: ପଶ୍ଚିମବଙ୍ଗର ଚବିଶପ୍ରଗଣାରୁ ବାଲେଶ୍ବର ଜିଲ୍ଲା ସୋର ଅନ୍ତର୍ଗତ କେଶପୁର ଗାଁର ଯୁବକ ତାପସ ମହାନ୍ତି ଉଦ୍ଧାର ହୋଇଛନ୍ତି।‌ କୋଲକାତା ପୁଲିସ ସହାୟତାରେ ପଣବନ୍ଦୀ ଥିବା ଯୁବକଙ୍କୁ ସୋର ପୁଲିସ ଉଦ୍ଧାର କରିଥିବା ଜଣାଯାଇଛି। ଚାକିରି କରାଇଦେବାକୁ କହି ଦୁର୍ବୃତ୍ତମାନେ ଡାକି ନେଇ ପଣବନ୍ଦୀ କରି ରଖିଥିଲେ। ପରିବାର ଲୋକଙ୍କ ଅଭିଯୋଗ ପରେ ପୁଲିସ ଚବିଶପ୍ରଗଣାରୁ ସଂପୃକ୍ତ ଯୁବକଙ୍କୁ ଉଦ୍ଧାର କରାଯାଇଛି। ଅନ୍ୟପଟରେ ଯୁବକ ଜଣକ ଉଦ୍ଧାର ହୋଇଥିଲେ ମଧ୍ୟ ଅପହରଣକାରୀମାନେ ଧରାପଡ଼ି ନାହାନ୍ତି।

ଅପହରଣକାରୀମାନେ କୋଲକାତାରେ ଭଲ କାମ ଦେବାକୁ କହି ଡାକି ନେଇଥିଲେ। ସେଠାରେ ସେମାନେ ୮ଲକ୍ଷ ଟଙ୍କା ପାଇଁ ଯୁବକଙ୍କୁ ପଣବନ୍ଦୀ କରି ରଖିଥିଲେ । ବନ୍ଧୁକ ମୁନରେ ହତ୍ୟା ଧମକର ଭିଡିଓ ତାପସଙ୍କ ସ୍ତ୍ରୀଙ୍କୁ ପଠାଇଥିଲେ । ଏ ନେଇ ସୋର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା ।

ସୂଚନାଯୋଗ୍ୟ, ଗତ ୨୮ତାରିଖ ଦିନ ତାପସ ମହାନ୍ତିଙ୍କ ପାଖକୁ ଏକ ଅଜଣା ନମ୍ବରରୁ କଲ୍ ଆସିଥିଲା । ତାପରେ ସେ କୋଲକାତା ଚାଲିଯାଇଥିଲେ । ଏହାପରେ ତାପସଙ୍କ ପତ୍ନୀ ସୁକାନ୍ତିଙ୍କୁ ଏକ ଅଜଣା ନମ୍ବରରୁ କଲ୍ ଆସିଥିଲା ଏବଂ ୮ଲକ୍ଷ ଟଙ୍କା ନଦେଲେ ତାପସକୁ ଜୀବନରୁ ମାରି ଦିଆଯିବ ବୋଲି କୁହାଯାଇଥିଲା । ମାର୍ଚ୍ଚ ୨ତାରିଖରେ ସେହି ନମ୍ବରରୁ ତାପସଙ୍କ ହାତଗୋଡ ବନ୍ଧା ଯାଇଥିବା ଏବଂ ବନ୍ଧୁକ ଓ ଟାଙ୍ଗିଆ ରଖି ହତ୍ୟା ଧମକ ଦିଆଯାଉଥିବାର ଏକ ଭିଡିଓ ତାଙ୍କ ପତ୍ନୀଙ୍କୁ ପଠାଯାଇଥିଲା । ଯେଉଁଥିରେ ଭୟଭୀତ ହୋଇ ସୁକାନ୍ତି ଦିଆଯାଇଥିବା ଏକ ବ୍ୟାଙ୍କ ଆକାଉଣ୍ଟରେ ୫୦ହଜାର ଟଙ୍କା ଦେଇଲେ । ଏନେଇ ତାପସଙ୍କ ପତ୍ନୀ ସୁକାନ୍ତି ସୋର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ସମ୍ବନ୍ଧିତ ଖବର