ତିଗିରିଆ: କଟକ ଜିଲ୍ଲା ତିଗିରିଆ ବ୍ଲକ୍ ଅନ୍ତର୍ଗତ ପାଞ୍ଚଗାଁ ପଞ୍ଚାୟତ ବୈଦ୍ୟସାହିର ଯୁବ ବୈଜ୍ଞାନିକ ଡକ୍ଟର ଇନ୍ଦ୍ରଜିତ ସାହୁ। ବୟସ ତାଙ୍କର ୩୫ ବର୍ଷ। ଏତେ କମ୍ ବୟସରେ ସେ ଭାରତ ସମେତ ଅନ୍ୟ ଦେଶରୁ ୧୨ରୁ ଅଧିକ ପୁରସ୍କାର ଲାଭ କରିସାରିଛନ୍ତି। ସମ୍ପ୍ରତି ଆମେରିକାରେ କ୍ୟାନ୍ସର୍ ରୋଗ ଓ ଏହାର ଚିକିତ୍ସା ପାଇଁ ଔଷଧ ଉଦ୍ଭାବନ ଦିଗରେ ଗବେଷଣା କରୁଥିବା ଇନ୍ଦ୍ରଜିତ୍ ୧୦ରୁ ଅଧିକ ଦେଶର ସମ୍ମିଳନୀରେ ନିଜ ଅନୁଭୂତି ସମ୍ପର୍କିତ ସନ୍ଦର୍ଭ ଉପସ୍ଥାପନ କରିଛନ୍ତି। କେବଳ ସେତିକି ନୁହେଁ, କ୍ୟାନ୍ସର ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ ଗବେଷଣା ପାଇଁ ତାଙ୍କୁ ୨୦୧୭ ମସିହାରେ ୟୁରୋପିଆନ୍ ୟୁନିଅନ୍ ପକ୍ଷରୁ ଦେଢ଼କୋଟି ଟଙ୍କାର ପୁରସ୍କାର ମିଳିଛି। ପାଞ୍ଚଗାଁ ବୈଦ୍ୟସାହିର ସ୍ବର୍ଗତ ନରେନ୍ଦ୍ର ସାହୁଙ୍କ ଏକମାତ୍ର ପୁଅ ଇନ୍ଦ୍ରଜିତ୍ ଦଧିବାମନଜିଉ ବିଦ୍ୟାପୀଠରୁ ୨୦୦୧ରେ ମାଟ୍ରିକ୍, ଢେଙ୍କାନାଳ ଜୁନିୟର ମହାବିଦ୍ୟାଳୟରୁ ଯୁକ୍ତ ଦୁଇ ବିଜ୍ଞାନ ଓ ରେଭେନ୍ସା ମହାବିଦ୍ୟାଳୟରୁ ଜୁଲୋଜି ଅନର୍ସ ରଖି ବିଏସ୍ସି ପରୀକ୍ଷାରେ କୃତିତ୍ବର ସହ ଉତ୍ତୀର୍ଣ୍ଣ ହୋଇଥିଲେ। ୨୦୦୮ରେ ସେ ଓୟୁଏଟି ବିଶ୍ୱବିଦ୍ୟାଳୟରୁ ମାଇକ୍ରୋ ବାୟୋଲୋଜି ବିଷୟରେ ଏମ୍ଏସ୍ସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସେଠାରେ ଏକ ବର୍ଷ ପାଇଁ ଅଧ୍ୟାପନା କରିଥିଲେ।
୨୦୧୦ରେ ମୁମ୍ବାଇ ଟାଟା କ୍ୟାନ୍ସର ହସ୍ପିଟାଲ୍ରେ ଇନ୍ଦ୍ରଜିତ୍ ପିଏଚ୍ଡି କରିବା ସହିତ କ୍ୟାନ୍ସର ବାୟୋଲୋଜିରେ ଡକ୍ଟରେଟ୍ ହାସଲ କରିଥିଲେ। ପରେ ତାଙ୍କୁ ଇସ୍ରାଏଲ୍ର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରେ ସାଢ଼େ ୫ବର୍ଷ ପାଇଁ ବ୍ରେନ୍ ଡିଜିଜ୍ ସମ୍ବନ୍ଧୀୟ ପୋଷ୍ଟ୍ ଡକ୍ଟରେଟ୍ ଗବେଷଣା ପାଇଁ ନିଯୁକ୍ତି ମିଳିଥିଲା। ୨୦୨୧ ମାର୍ଚ୍ଚ ମାସରୁ ବର୍ତ୍ତମାନ ପର୍ଯ୍ୟନ୍ତ ଇନ୍ଦ୍ରଜିତ୍ ହାଭାର୍ଡ ବିଶ୍ବବିଦ୍ୟାଳୟ ଓ ଡାନା ଫାର୍ବର କ୍ୟାନ୍ସର ଇନ୍ଷ୍ଟିଚ୍ୟୁଟ୍ରେ କ୍ୟାନ୍ସର୍ ବାୟୋଲୋଜି ଏବଂ କ୍ୟାନ୍ସର ଔଷଧ ଉଦ୍ଭାବନ ନିମନ୍ତେ ଗବେଷଣା ଜାରି ରଖିଛନ୍ତି। କ୍ୟାନ୍ସର ରୋଗ ଉପରେ ବିଜୟ ଲାଭ ପାଇଁ ଗବେଷଣାରୁ ମିଳିଥିବା ଅନୁଭୂତିକୁ ନିଜ ଦେଶରେ ଉପଯୋଗ କରିବା ପାଇଁ ସେ ଲକ୍ଷ୍ୟ ରଖିଛନ୍ତି। ଆଗାମୀ ଦିନରେ ଅଞ୍ଚଳର ମେଧାବୀ ଛାତ୍ରଛାତ୍ରୀଙ୍କୁ ସହାୟତା ଯୋଗାଇ ଦେବାକୁ ପଦକ୍ଷେପ ନେବେ ବୋଲି ସେ କହିଛନ୍ତି। ଏହା ସହିତ ନିଜ ବାପାଙ୍କ ନାମରେ ପାଞ୍ଚଗାଁ ଦଧିବାମନଜିଉ ବିଦ୍ୟାପୀଠର ନବମ ଶ୍ରେଣୀରେ ପଢ଼ୁଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବେ ବୋଲି ସେ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ ପ୍ରତିବର୍ଷ ଜୁନ୍ ୨୦ ତାରିଖରେ ପାଞ୍ଚଗାଁ ଗ୍ରାମାଞ୍ଚଳ ବହୁମୁଖି ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନର ଜନ୍ମୋତ୍ସବରେ ମାଟ୍ରିକ ଟପ୍ପର୍ଙ୍କୁ ଆର୍ଥିକ ପୁରସ୍କାର ସହ ବୈଜ୍ଞାନିକ ଇନ୍ଦ୍ରଜିତ୍ ସାହୁ ଟ୍ରଫି ପ୍ରଦାନ କରାଯାଉଛି।