ୟୁକ୍ରେନରେ ଫସିଛନ୍ତି ତେନ୍ତୁଳିଖୁଣ୍ଟି ବ୍ଲକର ଜଣେ ଡାକ୍ତରୀ ଛାତ୍ର 

ତେନ୍ତୁଳିଖୁଣ୍ଟି : ୟୁକ୍ରେନ ଓ ରୁଷିଆ ମଧ୍ୟରେ ଆରମ୍ଭ ହୋଇଛି ଲଢେଇ । ତେବେ ଲଢେଇର କ୍ରମଶଃ ଭୟଙ୍କର ଦିଗକୁ ଗତି କରୁଥିବା ବେଳେ ନବରଙ୍ଗପୁର ପାଇଁ ଆସିଛି ଚିନ୍ତାଜନକ ଖବର । ୟୁକ୍ରେନରେ ଅନେକ ଭାରତୀୟ ଫସି ରହିଥିବା ବେଳେ ସେଥିମଧ୍ୟରୁ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକର ଜଣେ ଛାତ୍ର ମଧ୍ୟ ଫସି ରହିଥିବାର ଖବର ଆସିଛି । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଅଞ୍ଚଳଗୁମ୍ମା ଗ୍ରାମର ସୁବାସ ସାହୁଙ୍କ ଏକମାତ୍ର ପୁତ୍ର ସୌରଭ ସାହୁ ୟୁକ୍ରେନ ସହରରେ ଫସି ଯାଇଛନ୍ତି । ସୌରଭ ଡାକ୍ତରୀ ପାଠ୍ୟକ୍ରମ ପାଇଁ ୟୁକ୍ରେନ ଯାଇଥିବା ବେଳେ ବର୍ତ୍ତମାନ ଏହା ତାଙ୍କ ପାଠ୍ୟକ୍ରମର ଶେଷ ବର୍ଷ ଥିଲା ।

ସେଠାକାର ପରିସ୍ଥିତି ଦେଖି ସେ ଆସନ୍ତା ୯ ତାରିଖରେ ସ୍ବଦେଶ ଫେରିଆସିବା ପାଇଁ ଟିକେଟ କରିଥିଲେ । କିନ୍ତୁ ତା’ ପୂର୍ବରୁ ରୁଷିଆ ଓ ୟୁକ୍ରେନ ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚିଛି । ଯାହାଫଳରେ ତାଙ୍କର ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବା ନେଇ ସନ୍ଦେହ ଉପୁଜିଛି । ଯେଉଁ ସହରରେ ସେମାନେ ଅବସ୍ଥାନ କରୁଛନ୍ତି ସେହି ସହରରେ ହିଁ ବିସ୍ଫୋରଣ ହୋଇଥିବାର ଖବର ଆସିଛି । ଏହାସହ ନିଜ ସ୍ବଦେଶକୁ ସୁରକ୍ଷିତ ଭାବେ ପ୍ରତ୍ୟାବର୍ତ୍ତନ ନେଇ ଭାରତୀୟ ଦୂତାବାସ ସହିତ ଯୋଗାଯୋଗରେ ରହିଥିବା ସୂଚନା ମିଳିଛି ।

ସମ୍ବନ୍ଧିତ ଖବର