କଟକ: ମହିଳାମାନେ ଅଳ୍ପରେ ସନ୍ତୁଷ୍ଟ ନ ହୋଇ ବଡ଼ ସ୍ବପ୍ନ ଦେଖନ୍ତୁ। ସେ ସ୍ବପ୍ନକୁ ସାକାର କରିବାକୁ ସେମାନେ ଆତ୍ମବିଶ୍ବାସ ବଢ଼ାନ୍ତୁ। ମହିଳାମାନେ ହେଉଛନ୍ତି ଅଧା ବିଶ୍ବ। ସେମାନଙ୍କୁ ଅଣଦେଖା କରାଯାଇପାରିବ ନାହିଁ। ମହିଳା ଉଦ୍ୟୋଗୀମା‌ନେ କେବଳ ଦ୍ରବ୍ୟଭିତ୍ତିକ ଉଦ୍ୟୋଗ ନ କରି ସେବାଧର୍ମୀ ଉଦ୍ୟୋଗ ପ୍ରତି ଆଗ୍ରହ ରଖି‌ ସେ ଦିଗରେ ଅଗ୍ରସର ହେବା ଉଚିତ ବୋଲି କଟକରେ ଆୟୋଜିତ ‘ଓଡ଼ିଶା-୫୦’ର ତୃତୀୟ ସଂସ୍କରଣରେ ଯୋଗଦେଇ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।

Advertisment

ସ୍ବାଧୀନତାର ଅମୃତ ମହୋତ୍ସବ ପରିପ୍ରେକ୍ଷୀରେ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ସହଯୋଗରେ ‘ସମ୍ବାଦ’ ଗ୍ରୁପ୍‌ ପକ୍ଷରୁ କଟକ ସାରଳା ଭବନଠାରେ ଆୟୋଜିତ ଏହି ମହିଳା ଉଦ୍ୟୋଗୀ ସମାବେଶରେ ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟଅତିଥି ଭାବେ ଯୋଗଦେଇ କଟକ ପୌର ନିଗମ (ସିଏମସି)ର କମିସନର ଆଇଏଏସ୍‌ ନିଖିଲ ପବନ କଲ୍ୟାଣ କହିଥିଲେ, ମହିଳାମ‌ାନେ କେବଳ ଦ୍ରବ୍ୟଭିତ୍ତିକ ଉଦ୍ୟୋଗରେ ନିଜକୁ ସୀମିତ ନ ରଖି ସେବାଧର୍ମୀ ଉଦ୍ୟୋଗ ପ୍ରତି ଆକୃଷ୍ଟ ‌ହେବା ଉଚିତ। ଏହାଦ୍ବାରା ମହିଳା ଉଦ୍ୟୋଗୀମାନେ ଅଧିକ ଲାଭବାନ ​ହେବା ସହ ଅଧିକ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିବେ। ମହିଳା ଉଦ୍ୟୋଗୀମାନେ କେବଳ ଦାୟିତ୍ବରେ ଥିବା ଅଧିକାରୀଙ୍କ ସହ କଥା ନ ହୋଇ ଅନ୍ୟ ଉଦ୍ୟୋଗୀଙ୍କ ସହ ଭାବବିନିମୟ କରି ସଂପୃକ୍ତି ବଢ଼ାଇଲେ, ଏଥିରୁ ନୂଆନୂଆ କୌଶଳ ଶିକ୍ଷା କରିପାରିବେ।

‘ସମ୍ବାଦ’ ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକ‌ା ତନୟା ପଟ୍ଟନାୟକ କହିଲେ, ମହିଳାମାନେ ଅଳ୍ପରେ ସନ୍ତୁଷ୍ଟ ନ ‌ହୋଇ ବଡ଼ ସ୍ବପ୍ନ ଦେଖନ୍ତୁ। ବଡ଼ ସ୍ବପ୍ନକୁ ପୂରଣ କରିବା ପାଇଁ ସେମାନଙ୍କ ପାଖରେ ସବୁପ୍ରକାର ସ‌ାମର୍ଥ୍ୟ ରହିଛି। ମହିଳାମାନେ ଆତ୍ମବିଶ୍ବାସ ବଢ଼ାଇ ଏ ଦିଗରେ ଅଗ୍ରସର ହେଲେ ସେମାନେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ସହିତ ରାଜ୍ୟ ତଥା ଦେଶ ପାଇଁ ଗୌରବ ମଧ୍ୟ ଆଣିପାରିବେ।

ସଭାପତି ସୌମ୍ୟରଂଜନ ପଟ୍ଟନାୟକ କହିଲେ ଯେ ମହିଳାମାନେ ହେଉଛନ୍ତି ଅଧା ବିଶ୍ବ। ସେମାନଙ୍କ ସହଭାଗିତାକୁ ଅଣଦେଖା କରାଯାଇପାରିବ ନାହିଁ। ମହିଳାମାନେ ବଡ଼ ସ୍ବପ୍ନ ଦେଖନ୍ତୁ, ମାତ୍ର ଆବଶ୍ୟକତାକୁ ସଂକୁଚିତ କରି ଅଳ୍ପରେ ଚଳିବା ଶିଖିବା ଦରକାର। ଶ୍ରୀ ପଟ୍ଟନାୟକ ‘ମ-ନ’କୁ ନେଇ ଏକ ସୁନ୍ଦର ସୂତ୍ର ମହିଳାମାନଙ୍କୁ କହିଥି‌ଲେ। ଏହି ସୂତ୍ରକୁ ମହିଳାମାନେ ପାଳନ କରିବାକୁ ସେ ପରାମର୍ଶ ଦେଇଥିଲେ। ମା’କୁ ସମ୍ମାନ, ମାଟିକୁ ଭଲ ପାଇବା, ମାତୃଭାଷା ପ୍ରତି ମମତା, ମୋବାଇଲର ଉପଯୁକ୍ତ ବ୍ୟବହାର ଓ ମଦ ମୁକ୍ତ ସମାଜ ଗଠନ ପାଇଁ ଶ୍ରୀ ପଟ୍ଟନାୟକ ଆହ୍ବାନ ଦେବା ସହ ନିରୋଗ, ନିରାଡମ୍ବର, ନିରଂହକାର, ନିର୍ଡର ଓ ନିଶାମୁକ୍ତ ସମାଜ ଗଠନ ପାଇଁ ସଂକଳ୍ପ ନେବାକୁ କହିଥିଲେ।

କଟକ ଜିଲ୍ଲା ପ୍ରତିନିଧି ସୀମନ୍ତିକା ନନ୍ଦ ଅତିଥିମାନଙ୍କୁ ମଂଚକୁ ଆମନ୍ତ୍ରଣ କରିଥିବା ବେଳେ କଟକ ସଂସ୍କରଣ ମୁଖ୍ୟ ତଥା ଏଜିଏମ୍( ନ୍ୟୁଜ୍‌) କୃଷ୍ଣପ୍ରସାଦ ଦାସ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ଦେଇଥିଲେ। ମୁଖ୍ୟ ସହସଂପାଦକ ସଚ୍ଚିକାନ୍ତ ନାଥ ଧନ୍ୟବାଦ ଦେଇଥିଲେ।

ଦ୍ବିତୀୟ ଅଧିବେଶନରେ ବିଶେଷଜ୍ଞଙ୍କ ସହ ବିଷୟଗତ ଆଲୋଚନା କରାଯାଇଥିଲା। ‘ସମ୍ବାଦ’ କଟକ ସଂସ୍କରଣ ମୁଖ୍ୟ କୃଷ୍ଣପ୍ରସ‌ାଦ ଦାସଙ୍କ ସଂଯୋଜନାରେ ଆୟୋଜିତ ଏହି ଆଲୋଚନାଚକ୍ରରେ ଓରମାସ୍‌ର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ବିପିନ ବିହାରୀ ରାଉତ ପ୍ରକଳ୍ପ ଚୟନ ସଂପର୍କରେ ମତ ରଖିଥିଲେ। ସେହିଭଳି ନାବାର୍ଡର ଜିଲ୍ଲା ଉନ୍ନୟନ ଅଧିକାରୀ ପ୍ରକ୍ସିମା ପରିଡ଼ା ପୁଞ୍ଜି ଯୋଗାଡ଼ ସଂପର୍କରେ ପରାମର୍ଶ ଦେଇଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ ନଳନୀକାନ୍ତ ସାହୁ ବଜାର ବ୍ୟବସ୍ଥା ଓ ଏଥିପାଇଁ ଥିବା ସୁଯୋଗ ସଂପର୍କରେ କହିଥିଲେ। ଅଶ୍ବିନୀ ଗ୍ରୁପ୍ ଅଫ୍‌ ହସ୍ପିଟାଲର ନିର୍ଦ୍ଦେଶିକା ସୁମାଦେବୀ ଦାଶ ମହିଳା ଉଦ୍ୟୋଗୀଙ୍କ ପାଇଁ ପାରିବାରିକ ସହଯୋଗ ସଂପର୍କରେ ବକ୍ତବ୍ୟ ରଖିଥିଲେ। ସମ‌ାବେଶରେ କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, ଅନୁଗୁଳ ଜିଲ୍ଲାର ୪୭ଟି ବ୍ଲକରୁ ୧୫୦ରୁ ଅଧିକ ସଫଳ ମହିଳା ଉଦ୍ୟୋଗୀ ଯୋଗ ଦେଇଥିଲେ।