ଆନ୍ଧ୍ର ବିରୋଧରେ ଟାଣ ହେବ ଲଢିବାକୁ; ସବୁ ଦଳଙ୍କ ସହଯୋଗ ଲୋଡିଲେ ସଞ୍ଜୟ

କୋରାପୁଟ: କୋଟିଆରେ ବେଆଇନ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରି ଦେଶର ସର୍ବୋଚ୍ଚ ନ୍ୟାୟାଳୟର ଆଦେଶନାମାକୁ ଅବମାନନା କରିଛି ଆନ୍ଧ୍ର ସରକାର। ଖାଲି ଯେ ଅବମାନନା କରିଛି ତାହା ନୁହେଁ ଓଡ଼ିଆଙ୍କ ଅଶ୍ମିତା ଉପରେ ପ୍ରଶ୍ନ ଉଠାଇଛି। ତେଣୁ ସବୁ ଦଳ ନିର୍ବିଶେଷରେ ଆନ୍ଧ୍ର ବିରୋଧରେ ଲଢିବାକୁ ଆଜି ଆହ୍ବାନ ଦେଇଛନ୍ତି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସ ବର୍ମା।

ସ୍ଥାନୀୟ ସର୍କିଟ ହାଉସରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ସେ ଆନ୍ଧ୍ର ବିରୋଧରେ ବର୍ଷିଛନ୍ତି। ଆନ୍ଧ୍ର ବିରୋଧରେ ସ୍ବରକୁ ଶାଣିତ କରିବାକୁ ସବୁ ଦଳମତ ନିର୍ବିଶେଷରେ ଆଗକୁ ଆସନ୍ତୁ ବୋଲି କହିଛନ୍ତି।

ସେ କହିଛନ୍ତି ଯେ ଆନ୍ଧ୍ର ପ୍ରଦେଶ ଗଠନ ହେବା ପୂର୍ବରୁ ଓଡ଼ିଶା ଭାଷା ଭିତ୍ତିରେ ୧୯୩୬ ମସିହାରେ ଗଠିତ ହୋଇଥିଲା। ୧୯୫୧ ମସିହାରୁ କୋଟିଆ ଅଧିବାସୀ ଓଡିଶାର କୋରାପୁଟ ଲୋକସଭା ଓ ପଟାଙ୍ଗି ବିଧାନ ସଭା ନିର୍ବାଚନରେ ଭୋଟ ଦେଇ ଆସୁଛନ୍ତି। ୧୯୫୩ ମସିହାରେ ଆନ୍ଧ୍ର ପ୍ରଦେଶ ଗଠନ ହୋଇ ଓଡ଼ିଶାର ଏହି ୨୧ଟି ଗ୍ରାମପୁଞ୍ଜକୁ ଅକ୍ତିଆର କରିବାକୁ ବସିଛି।

କୋଟିଆ ଆମର ଥିଲା, ଭବିଷ୍ୟତରେ ମଧ୍ୟ ଆମର ରହିବ। ଏଭଳି ବିସ୍ତାରବାଦୀ ନୀତିରୁ ଆନ୍ଧ୍ର ତୁରନ୍ତ ନିବୃତ ରହିବା ଉଚିତ ବୋଲି ଆନ୍ଧ୍ରକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ଯୋଜନାବୋର୍ଡର ଉପାଧ୍ୟକ୍ଷ ସଂଜୟ ଦାଶବର୍ମା। ସୁପ୍ରିମ୍ କୋର୍ଟଙ୍କ ନିର୍ଦେଶକୁ ଅବମାନନା କରିଥିବାରୁ ରାଜ୍ୟ ସରକାର ସୁପ୍ରିମ୍ କୋଟର ଦ୍ବାରସ୍ଥ ହୋଇଛନ୍ତି। ପଞ୍ଚାୟତ ନିର୍ବାଚନକୁ ତୁରନ୍ତ ବାତିଲ କରିବା ସହ ଆନ୍ଧ୍ର ସରକାର ଓ ଆନ୍ଧ୍ର ପ୍ରଦେଶ ମୁଖ୍ୟ ଶାସନ ସଚିବ, ମୁଖ୍ୟ ନିର୍ବାଚନ କମିଶନର ଓ ବିଜୟନଗର ଜିଲ୍ଲାପାଳଙ୍କ ବିରୁଦ୍ଧରେ ଅଦାଲତା ଅବମାନନା ମାମଲା ଦାୟର କରିବାକୁ ପିଟିସନ ଦାଖଲ କରିଛନ୍ତି। ଆସନ୍ତାକାଲି ଏହାର ଶୁଣାଣି ରହିଥିବାବେଳେ ଓଡ଼ିଶା ପକ୍ଷରୁ କଠୋର ତଥ୍ୟ ଉପସ୍ଥାପନା କରାଯାଇଥିବାରୁ ଏହି ରାୟ ରାଜ୍ୟ ସପକ୍ଷରେ ଉଚ୍ଚନ୍ୟାଳୟ ନିଷ୍ପତ୍ତି ନେବେ ।

ସେ କହିଛନ୍ତି ଯେ ୨/୧୨/୬୮ରେ ରାଜ୍ୟ ସରକାର ସୁପ୍ରିମ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସୁପ୍ରିମ କୋର୍ଟର ୫ ଜଣିଆ ସମ୍ବିଧାନିକ ବେଞ୍ଚରେ ଆବେଦନର ବିଚାରକରି ସ୍ଥିତାବସ୍ଥା ବଜାଇ ରଖିବାକୁ ନିର୍ଦେଶ ଦେଇଥିଲେ। ୩୦/୦୩/୨୦୦୬ରେ ମାମଲଟିକୁ ସୁପ୍ରିମକୋର୍ଟ ଖାରଜ କରିଥିଲା ବେଳେ ୧୯୬୮ର ଦେଇଥିବା ସ୍ଥିତାବସ୍ଥା ବଜାଇ ରଖିବାକୁ କହିଥିଲେ। ତା’ସହ ଆନ୍ତଃ ରାଜ୍ୟ ସୀମା ବିବାଦ ଘଟଣା ହୋଇଥିବାରୁ ସମାଧାନ କରିବା ସକାଶେ ଭାରତ ସରକାର ଓ ସୀମା ନିର୍ଧାରଣ କମିଶନଙ୍କ ଦ୍ବାରସ୍ଥ ହେବାକୁ ପରାମର୍ଶ ଦେଇଥିଲେ। ହେଲେ ଏହାକୁ ନ ମାନି ଆନ୍ଧ୍ର ସରକାର ଏହି ଅଞ୍ଚଳର ତିନିଟି ଗାଁର ନାମ ବଦଳାଇ ନିର୍ବାଚନ କରିବାକୁ ଯୋଜନା କରିଛି। ୧୩ ତାରିଖରେ ନିର୍ବାଚନ ରହିଥିବାରୁ ଏନେଇ ଓଡ଼ିଶା ସରକାର ଗୁରୁତ୍ବକୁ ନେଇ ସୁପ୍ରିମକୋର୍ଟ ନିକଟରେ ପିଟିସନ ଦେଇଛନ୍ତି ବୋଲି ସେ କହିଛନ୍ତି। ଆଜିର ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ବିଜେଡି ନେତା ଇଂ.ଇଶ୍ବର ପାଣିଗ୍ରାହୀ, ତୁଳସୀ କ୍ରୀଶାନି, ଅଶ୍ବିନ ସାହୁ, ସୂର୍ଯ୍ୟନାରାୟଣ ରଥ ଓ ଦୁର୍ଗା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

 

ସମ୍ବନ୍ଧିତ ଖବର