ଅଲଗା ଜାତିରେ ବିବାହ ପାଇଁ କମୁଛି ଉତ୍ସାହ, ଆକର୍ଷିତ କରିପାରୁନି ୨.୫୦ ଲକ୍ଷ ପ୍ରୋତ୍ସାହନ ରାଶି

ରାୟଗଡ଼ା (ନବୀନ ଚନ୍ଦ୍ର ସାହୁ): ଜାତି ବାହାରେ ବିବାହ ପାଇଁ କମୁଛି ଉତ୍ସାହ। ଆଖିଦୃଶିଆ ସରକାରୀ ପ୍ରୋତ୍ସାହନ ରାଶି ସତ୍ତ୍ବେ ରାୟଗଡ଼ା ଜିଲ୍ଲାରେ ବଢ଼ୁନି ବିବାହ ସଂଖ୍ୟା। ଗତ ୬ ବର୍ଷରେ ହୋଇଥିବା ୫୦ ଆବେଦନ ମଧ୍ୟରୁ ମାତ୍ର ୧୫ ଦମ୍ପତି ଏହି ପ୍ରୋତ୍ସାହନ ରାଶି ପାଇଛନ୍ତି। ୬ଟି ଆବେଦନ ନାକଚ ହୋଇଥିବା ବେଳେ ୨୯ଟି ଆବେଦନର ତଦନ୍ତ କରଛି କଲ୍ୟାଣ ବିଭାଗ। ଅନୁସୂଚିତ ଜାତି ଓ ସାଧାରଣ ବର୍ଗ ମଧ୍ୟରେ ଥିବା ଅସ୍ପୃଶ୍ୟ ମନୋଭାବକୁ ଦୂର ପାଇଁ ସରକାର ୨୦୦୭ ମସିହାରୁ ଏହି ପ୍ରୟାସ ଆରମ୍ଭ କରିଛନ୍ତି। ବିବାହ କରିଥିବା ପୁଅ-ଝିଅ ମଧ୍ୟରୁ କେହି ବି ଜଣେ ଅନୁସୂଚିତ ଜାତି ଓ ଜଣେ ସାଧାରଣ ବର୍ଗ ଶ୍ରେଣୀର ହୋଇଥିଲେ ପ୍ରୋତ୍ସାହନ ରାଶି ପାଇବାକୁ ଯୋଗ୍ୟ ହେବେ ବୋଲି ସରକାର ଘୋଷଣା କରିଛନ୍ତି। ଯୋଜନା ପ୍ରାରମ୍ଭରେ ୨୦୦୭ ମସିହାରେ ଅର୍ନ୍ତଜାତି ବିବାହ ପାଇଁ ୫୦ ହଜାର ପ୍ରୋତ୍ସାହନ ରାଶି ଥିଲା।

୨୦୧୭ରେ ଏହା ୧ ଲକ୍ଷ ଏବଂ ୨୦୧୭ ସେପ୍ଟେମ୍ବର ୧୪ ତାରିଖରୁ ସରକାର ଏହି ରାଶିକୁ ୨ ଲକ୍ଷ ୫୦ ହଜାରକୁ ବୃଦ୍ଧି କରିଛନ୍ତି। ଏହା ସତ୍ତ୍ବେ ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲାରେ ଅର୍ନ୍ତଜାତିରେ ବିବାହ ପାଇଁ ଉତ୍ସାହ ପରିଲକ୍ଷିତ ହୋଇପାରୁନି। ବାଲ୍ୟ ବିବାହ ରୋକିବାରେ ସରକାରଙ୍କ ଏହି ଯୋଜନା ଫଳପ୍ରଦ ହେଉଥିବାରୁ ଜନସଚେତନତା ବୃଦ୍ଧି ପାଇଁ ପଦକ୍ଷେପ ନେବାକୁ ରାଜ୍ୟ ସରକାର ଜିଲ୍ଲା ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି। ଗ୍ରାମାଞ୍ଚଳରେ ହେଉଥିବା ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ, ଗ୍ରାମସଭା, ପଲ୍ଲୀସଭାରେ ଏ ନେଇ ଲୋକଙ୍କୁ ଅବଗତ କରାଯାଉଛି। ଆଶା, ଅଙ୍ଗନବାଡ଼ି, ଶିଶୁ ମଙ୍ଗଳ କମିଟି ଏ ଦିଗରେ ପ୍ରୟାସ ଜାରି ରଖିଛନ୍ତି। ୨୦୦୭ ରୁ ୨୦୧୫ ମସିହା ପର୍ଯ୍ୟନ୍ତ ଏହି ଯୋଜନା ଜିଲ୍ଲାରେ ଆଶାଜନକ ସଫଳ ହୋଇନଥିବା ବେଳେ ୨୦୧୬ ରେ ୨ ଦମ୍ପତି ପ୍ରୋତ୍ସାହନ ରାଶି ପାଇଛନ୍ତି।

ସେହିପରି ୨୦୧୭ ୬ଟି ଆବେଦନ ମଧ୍ୟରୁ ୪ ଦମ୍ପତି, ୨୦୧୮ ରେ ୧୦ଟି ଆବେଦନ ମଧ୍ୟରୁ ୪ଟି, ୨୦୧୯ ରେ ୧୩ଟି ଆବେଦନ ମଧ୍ୟରୁ ୪ଟି, ୨୦୨୦ ରେ ୭ଟି ଆବେଦନ ମଧ୍ୟରୁ ଜଣେ ଏବଂ ୨୦୨୧ ଆଜି ସୁଦ୍ଧା ହୋଇଥିବା ୧୨ଟି ଆବେଦନରୁ ଜଣେ ବି ପ୍ରୋତ୍ସାହନ ରାଶି ପାଇନାହାଁନ୍ତି। ୨୯ଟି ଆବେଦନର ତଦନ୍ତ ମଙ୍ଗଳ ସଂପ୍ରସାରଣ ଅଧିକାରୀଙ୍କ ସ୍ତରରେ ଥିବା ଜଣା ପଡିଛି। ବିବାହ ପରେ ନୋଡାଲ୍ ଅଫିସର ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟରେ ବିବାହ ପ୍ରମାଣପତ୍ର, ଜାତିଗତ ପ୍ରମାଣପତ୍ର, ଆଧାରକାର୍ଡ, ବ୍ୟାଙ୍କ ପାସ୍ ବୁକ୍ ପ୍ରଦାନ କରିବା ପାଇଁ ସରକାର ନିୟମ କରିଛନ୍ତି। କିନ୍ତୁ ଆବେଦନ କରିଥିବା କିଛି ଦମ୍ପତିଙ୍କ ମଧ୍ୟରେ ସମାନ୍ ଜାତିର ଥିବା ବେଳେ କିଛିଙ୍କ ବୟସ ଓ ଅନ୍ୟ ସମସ୍ୟା ରହିଛି। କାଗଜପତ୍ର ସଠିକ୍ ଥିବା ଦମ୍ପତିଙ୍କୁ ତୁରନ୍ତ ପ୍ରୋତ୍ସାହନ ରାଶି ପାସ୍ ବୁକ୍ ଜରିଆରେ ପ୍ରଦାନ କରାଯାଉଥିବା ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥୀ କହିଛନ୍ତି। ବ୍ୟାଙ୍କ ଆକାଉଣ୍ଟକୁ ଯାଉଥିବା ପ୍ରୋତ୍ସାହନ ରାଶି ୩ ବର୍ଷ ପର୍ଯ୍ୟନ୍ତ ଫିକ୍ସ ଡିପୋଜିଟ୍ ଆକାରରେ ରହିବ। ଏହା ପରେ ବ୍ୟବହାର କରିବା ନେଇ ସରକାର ଗାଇଡ୍ ଲାଇନ୍ ଜାରି କରିଛନ୍ତି।

ସମ୍ବନ୍ଧିତ ଖବର