ଗଞ୍ଜେଇ ଜବତରେ ଓଡ଼ିଶା ପୁଲିସ୍‌ର ରେକର୍ଡ, ନଭେମ୍ବର ସୁଦ୍ଧା ଜବତ ହେଲାଣି ୧୨୯୨ କ୍ବିଣ୍ଟାଲ

କଟକ: ଗଞ୍ଜେଇ ଜବତ କରିବାରେ ଓଡ଼ିଶା ପୁଲିସ୍‌ ଚଳିତ ବର୍ଷ ରେକର୍ଡ କରିଛି। ଚଳିତ ବର୍ଷ ଆରମ୍ଭରୁ ନଭେମ୍ବର ୩୦ ତାରିଖ ସୁଦ୍ଧା ୧୨୯୨ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିସାରିଛି। ଏବେ ବି ବର୍ଷର ଶେଷ ମାସରେ ବିଭିନ୍ନ ଜିଲ୍ଲାମାନଙ୍କରେ ଗଞ୍ଜେଇ ଜବତ କରାଯାଉଥିବା ଦେଖାଯାଉଛି। ତେଣୁ ଏହି ସ˚ଖ୍ୟା ଆହୁରି ବଢିପାରେ ବୋଲି ଅନୁମାନ କରାଯାଉଛି। ଅନ୍ୟପକ୍ଷରେ ଗତ ୧୦ ବର୍ଷ ମଧ୍ୟରେ ଚଳିତ ବର୍ଷ ସର୍ବକାଳୀନ ରେକର୍ଡ ବୋଲି ଓଡ଼ିଶା ପୁଲିସ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଏଥିପୂର୍ବରୁ ୨୦୧୦ରେ ୭୩ କ୍ବିଣ୍ଟାଲ, ୨୦୧୧ରେ ୨୦୮ କ୍ବିଣ୍ଟାଲ, ୨୦୧୨ରେ ୧୦୭ କ୍ବିଣ୍ଟାଲ, ୨୦୧୩ରେ ୩୭୧ କ୍ବିଣ୍ଟାଲ, ୨୦୧୪ରେ ୨୮୮ କ୍ବିଣ୍ଟାଲ, ୨୦୧୫ରେ ୧୯୮ କ୍ବିଣ୍ଟାଲ, ୨୦୧୬ରେ ୪୨୮ କ୍ବିଣ୍ଟାଲ, ୨୦୧୭ରେ ୩୦୪ କ୍ବିଣ୍ଟାଲ, ୨୦୧୮ରେ ୫୨୩ କ୍ବିଣ୍ଟାଲ, ୨୦୧୯ରେ ୬୧୮ କ୍ବିଣ୍ଟାଲ ଗଞ୍ଜେଇ ଜବତ ହୋଇଥିଲା। ଯେହେତୁ ନିଶାଦ୍ରବ୍ୟ ଚୋରାଚାଲାଣ ରୋକିବାକୁ ରାଜ୍ୟ ସରକାର ପ୍ରାଧାନ୍ୟ ଦେଉଛନ୍ତି, ସେଥିପାଇଁ ଚଳିତ ବର୍ଷ ଓଡ଼ିଶା ପୁଲିସ୍‌ ପକ୍ଷରୁ ଅନ୍ୟାନ୍ୟ ନିଶାଦ୍ରବ୍ୟ ସହ ଗଞ୍ଜେଇ ଚାଲାଣକୁ ପ୍ରତିହତ କରିବା ପାଇଁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଥିଲା। ବିଗତ ୧୦ ବର୍ଷ ମଧ୍ୟରେ ଯେକୌଣସି ପୂର୍ଣ୍ଣ ବର୍ଷରେ ଓଡ଼ିଶା ପୁଲିସ ଦ୍ବାରା ଜବତ ହୋଇଥିବା ଗଞ୍ଜେଇ ପରିମାଣଠାରୁ ଚଳିତ ବର୍ଷର ଜବତ ପରିମାଣ ଦୁଇଗୁଣାଠାରୁ ଅଧିକ। କୋରାପୁଟ ଜିଲ୍ଲାରୁ ସର୍ବାଧିକ ୫୨୮ କ୍ବିଣ୍ଟାଲ ଜବତ କରାଯାଇଥିବାରୁ ଡିଜିପି ଏସ୍‌ପିଙ୍କୁ ପ୍ରଶ˚ସା କରିଛନ୍ତି। ସେହିପରି ମାଲକାନଗିରି, ଗଜପତି ଜିଲ୍ଲା ଏସ୍‌ପିଙ୍କୁ ମଧ୍ୟ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଡିଜିପି ପ୍ରଶ˚ସା କରିଥିବା ରାଜ୍ୟ ପୁଲିସ୍‌ ମୁଖ୍ୟାଳୟ ପକ୍ଷରୁ ଜାରି ହୋଇଥିବା ପ୍ରେସ୍‌ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର