ଅକ୍ଟୋବର ୨୫ରେ ଓଡ଼ିଶା ବନ୍ଦ ଡାକରା ଦେଲା ମାଓ ସଂଗଠନ

ରାୟଗଡା: ସରକାରଙ୍କ ଫାଶୀବାଦ ଶାସନ, ମାଓ ଦମନ ଅଭିଯାନକୁ ବିରୋଧ କରି ସିପିଆଇ ମାଓ ସଂଗଠନ ଅକ୍ଟୋବର ୨୫ ରେ ଓଡ଼ିଶା ଏବଂ ପୂର୍ବ ଛତିଶଗଡ ବନ୍ଦ ଡାକରା ଦେଇଛି । ଏହି ବନ୍ଦକୁ ସଫଳ କରିବା ପାଇଁ ବଂଶଧାରା-ଘୁମୁସର-ନାଗାବଳୀ ଡିଭିଜନ୍‌ ସଂପାଦିକା ମାଓ ନେତ୍ରୀ ମିତା ଆଜି ଏକ ଅଡ଼ିଓ ଟେପ୍‌ ଜାରି କରିଛନ୍ତି।

ଡିଭିଜନସ୍ତରରେ ବନ୍ଦକୁ ସଫଳ କରିବାକୁ ଉତ୍ପୀଡିତ ଜନତା, ଚାଷୀ, ମହିଳା, ଆଦିବାସୀ, ପରିବହନ କର୍ମଚାରୀ, ସରକାରୀ କର୍ମଚାରୀ, ବ୍ୟବସାୟୀ, ଶିକ୍ଷକ, ଛାତ୍ରଛାତ୍ରୀଙ୍କୁ ମିତା ନିବେଦନ କରିଛନ୍ତି।

୨୦୦୯ରୁ ସରକାର ଚଳାଇଥିବା ଲୋକ ବିରୋଧୀ ଯୁଦ୍ଧ ଅପରେସନ୍‌ ଗ୍ରୀନ୍‌ ହଣ୍ଟ୍‌ ବିଫଳ ହେବା ପରେ୨୦୨୨ ସୁଦ୍ଧା ସିପିଆଇ ମାଓ ଆନ୍ଦୋଳନକୁ ଶେଷ କରିଦେବା ଲକ୍ଷ୍ୟରେ ଚଳାଇଥିବା ଦମନ ଅଭିଯାନକୁ ପ୍ରତିରୋଧ ପାଇଁ ମାଓ ସଂଗଠନ ସ୍ତରରେ ଦମନ ଅଭିଯାନକୁ ତୀବ୍ର କରାଯାଇଥିବା ମିତା କହିଛନ୍ତି।

ସରକାରଙ୍କ ଦମନ ଅଭିଯାନର ଖୁଲାସା କରି ମିତା କହିଛନ୍ତି, ବଂଶଧାରା-ଘୁମୁସର-ନାଗାବଳୀ ଡିଭିଜନରେ ଚାଲୁଥିବା ସମସ୍ତ ଗଣତାନ୍ତ୍ରିକ, ବିପ୍ଲବୀ ଆନ୍ଦୋଳନକୁ କ୍ରୁର ଭାବେ ସରକାର ଚପାଇ ଦେଇ ନିୟମଗିରି, କାଶୀପୁର, କର୍ଲାପାଟ, କଟକ ଡଙ୍ଗରରେ ଥିବା ବକ୍ସାଇଟ୍‌ ଓ ପ୍ରାକୃତିକ ସଂପଦକୁ ବହୁରାଷ୍ଟ୍ରୀୟ କମ୍ପାନି ହାତରେ ଟେକି ଦେବାକୁ ଚକ୍ରାନ୍ତ କରିଛନ୍ତି।

ସରକାରଙ୍କ ଏହି ଦମନ ଅଭିଯାନକୁ ମାଓ ସଂଗଠନ ବିରୋଧ କରିବା ସହ ଗତ କିଛି ଦିନ ତଳେ କଳାହାଣ୍ଡିରେ ମିଥ୍ୟା ଗୁଳି ବିନିମୟରେ ମାଓ କମ୍ରେଡ୍‌ ସୁରେଶକୁ ହତ୍ୟା କରାଯାଇଥିବା ଦାବି କରିଛି।ଏହି ହତ୍ୟାର ତଦନ୍ତ କରାଯାଇ ସଂପୃକ୍ତ ଦୋଷୀ ପୁଲିସ୍‌ ଅଫିସରକୁ ଦଣ୍ଡ ପ୍ରଦାନ, ନିୟମଗିରି ତ୍ରିଲୋଚନପୁରରୁ ସିଆରପିଏଫ୍‌ କ୍ୟାମ୍ପ ତୁରନ୍ତ ପ୍ରତ୍ୟାହାର, ମିଛ ମାଓବାଦୀ କେଶରେ ନିରୀହ ଜନସାଧାରଣଙ୍କୁ ମାଡ ମାରିବା, ଗିରଫ କରିବା ବନ୍ଦ କରିବାକୁ ଆହ୍ଵାନ ଦେଇଛି।

ସେହିପରି ଚିନ୍ତଲଗୁଡା, ନିୟମଗିରିର ଗଣ ହତ୍ୟାକାରୀ ପୁଲିସ୍‌ ଅଫିସରକୁ ଦଣ୍ଡ ଦେବା, ଲାଞ୍ଜିଗଡର ଆନ୍ଦୋଳନକାରୀ, ନିରୀହ ଜନତାଙ୍କୁ ଗିରଫ ବନ୍ଦ କରିବା, ଜନ ଆନ୍ଦୋଳନ କର୍ମୀ, ନେତାଙ୍କୁ ଅପହରଣ କରି ମାଡ ମାରିବା, ମିଛ ମାଓବାଦୀ କେଶରେ ଫଶାଇବା, ମିଛ ମାଓବାଦୀ କେଶରେ ଜେଲରେ ବନ୍ଦୀ ଥିବା ସମସ୍ତ ବନ୍ଦୀଙ୍କୁ ତୁରନ୍ତ ନିସର୍ତ ଭାବେ ମୁକ୍ତି କରିବା, କମ୍ବିଂ ନାଁରେ ଲୋକଙ୍କୁ ଭୟଭୀତ କରିବା, ଚାପ ନ ପକାଇବା, ଖଣିଜ ଓ ଅନ୍ୟ ପ୍ରାକୃତିକ ସଂପଦକୁ ଲୁଟ୍‌ କରିବା, ଆନ୍ଦୋଳନକୁ ଦମନ କରିବା ନିମନ୍ତେ ବିକାଶ ନାମରେ ଚାଲୁଥିବା ବଡ ବଡ ପିଚୁ ରୋଡ୍‌, ମୋବାଇଲ୍‌ ଟାୱାର୍‌ ନିର୍ମାଣ କାମ ବନ୍ଦ, ଟଂକା, ମୋବାଇଲ୍‌, ଅନ୍ୟାନ୍ୟ ସୁଖ ସୁବିଧାର ଲୋଭ ଦେଖାଇ ନୀରିହ ଲୋକଙ୍କୁ ପୁଲିସ୍‌ ଇନଫର୍ମର ବନାଇବା ବନ୍ଦ କରିବାକୁ ମିତା ଦାବି କରିଛନ୍ତି।

ସରକାର ଷଡଯନ୍ତ୍ର ପୂର୍ବକ ଚଳାଇଥିବା ଏକ ପାଖିଆ ଆକ୍ରମଣକୁ ମିତା ନିନ୍ଦା କରିବା ସହ ସରକାର ଏପରି କାର୍ଯ୍ୟରୁ ନିବୃତ୍ତ ରହିବାକୁ ଅଡିଓ ଟେପରେ କହିଛନ୍ତି।

ସମ୍ବନ୍ଧିତ ଖବର