ଦୁର୍ଘଟଣାରେ ଯୁବକ ମୃତ, ୧୯ ବର୍ଷରୁ କମ ଓଡ଼ିଶାଦଳର କ୍ରିକେଟ ଖେଳାଳି ଗୁରୁତର

ବାଲିଅନ୍ତା: ଭୁବ‌ନେଶ୍ବର–ପୁରୀ ଜାତୀୟ ରାଜପଥର ମଙ୍ଗଳପୁର ଛକ ପେଟ୍ରୋଲ ପମ୍ପ ନିକଟରେ ଗତକାଲି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତକ ହେଲେ ବାଳକାଟି ଫାଣ୍ଡି ଅଧୀନ ଅଶିଘର ସାହିର ସତ୍ୟବାଦୀ ସାହୁ ଓ  ଆହତଙ୍କ ନାମ ଆଶୁତୋଷ ସାହୁ (୧୭) । ଆଶୁତୋଷ ୧୯ ବର୍ଷରୁ କମ ଓଡ଼ିଶା କ୍ରିକେଟ ଦଳର ଜଣେ ଖେଳାଳି ।

ସୂଚନା ଅନୁସାରେ ଜଣାଶୁଣା ପୋଷାକ ବ୍ୟବସାୟୀ ଆଲୋକ ସାହୁଙ୍କ ଏକମାତ୍ର ପୁଅ ଆଶୁତୋଷ ଗତକାଲି ତାଙ୍କର ମଝିଆଁ ଭଉଣୀ ବାହାଘର ନେଇ ଗୁଆଦିଆ ଲାଗି ପୁରୀରେ ଥିବା ତାଙ୍କ ବଡ଼ ଭଉଣୀଙ୍କ ଘରକୁ ଯାଇଥିଲେ । ଗୁଆଦେଇ ସାରି ଅପରାହ୍ନରେ ସତ୍ୟବାଦୀ ଓ ଆଶୁତୋଷ ବାଇକ ଯୋଗେ ବାଳକାଟି ଅଭିମୁଖେ ଫେରୁଥିଲେ । ହେଲେ ସେମାନଙ୍କୁ ପଛପଟୁ ଏକ ଦ୍ରୁତଗାମୀ କାର  ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ସତ୍ୟବାଦୀଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଆଶୁତୋଷଙ୍କ ଅବସ୍ଥା ସଂକଟାପନ୍ନ ହୋଇପଡ଼ିଥିଲା । ଉଭୟ ସତ୍ୟବାଦୀ ଓ ଆଶୁତୋଷଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକ ସେଠାରେ ଥିବା ସରକାରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଇଥିଲେ । ହେଲେ ଡାକ୍ତର ସତ୍ୟବାଦୀଙ୍କୁ ମୃତ ଘୋଷଣା କରିଥିବା ବେଳେ ଆଶୁତୋଷଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଥିଲା ।

ଏବେ ଆଶୁତୋଷ ଲୁଇସରୋଡ଼ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ସାମାନ୍ୟ ଉନ୍ନତି ଘଟିଥିବା ଖବର ମିଳିଛି । ଏନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ଆଶୁତୋଷଙ୍କ ଆଶୁ ଆରୋଗ୍ୟ କାମନା କରି କ୍ରିକେଟ ପ୍ରେମୀ ସାଥୀମାନେ ମନ୍ଦିରରେ ଦୀପ ପ୍ରଜ୍ଜ୍ବଳନ କରୁଥିବା ଦେଖିବାକୁ ମିଳିଛି । ଦୁର୍ଘଟଣା ଘଟାଇଥିବା କାରକୁ ପିପିଲି ଥାନା ପୁଲିସ ଜବତ କରି ଚାଳକକୁ ଗିରଫ କରିଛି ।

ସମ୍ବନ୍ଧିତ ଖବର