ଓଡ଼ିଶା ହ୍ଵିଲ୍‌ଚେୟାର ଫେନ୍‌ସିଂ ଦଳର ହରିଆନା ଗସ୍ତ

ଭୁବନେଶ୍ୱର: ଅକ୍ଟୋବର ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ହରିଆନାର କର୍ନଲ୍‌ ଇନ୍‌ଡୋର୍‌ ଷ୍ଟାଡିୟମ୍‌ରେ ଖେଳାଯିବାକୁ ଥିବା ଦଶମ ହ୍ଵିଲ୍‌ଚେୟାର ଫେନସିଂ ପ୍ରତିଯୋଗିତା ଲାଗି ଓଡ଼ିଶା ଦଳ ମଙ୍ଗଳବାର ହିରାଦୁକ ଏକ୍ସପ୍ରେସ୍‌ଯୋଗେ ଗସ୍ତ କରିଛି। ଗତବର୍ଷ ଓଡ଼ିଶା ନବମ ସଂସ୍କରଣରେ ଉପ ବିଜେତା ହୋଇଥିବାରୁ ଏଥର ଉନ୍ନତ ପ୍ରଦର୍ଶନ କରିବ ବୋଲି ଆଶା ରଖିଛି। ବିଦେଶୀ ପ୍ରଶିକ୍ଷକ ସୁହାତୋ ବଳଦେବ ସିଂହଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଓଡ଼ିଶା ଦଳ ଗତ ଏକ ସପ୍ତାହ ଧରି କଳିଙ୍ଗ ଷ୍ଟାଡିୟମ୍‌ରେ ଅଭ୍ୟାସ କରିଥିବାରୁ ଏହାର ସୁଫଳ ମିଳିବ ବୋଲି ଆଶା କରାଯାଉଛି। ଏହା ପରେ ଇଟାଲିର ରୋମ୍‌ରେ ଡିସେମ୍ବର ୬ରୁ ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ହ୍ଵିଲ୍‌ଚେୟାର୍‌ ଫେନ୍‌ସିଂ ପ୍ରତିଯୋଗିତା ଲାଗି ରଖାଲ୍‌ ସେଠୀ ଏବ ଭି ରମେଶ ରାଓ ମନୋନୀତ ହୋଇଥିବାରୁ ଏହି ଜାତୀୟ ପ୍ରତିଯୋଗିତା ସେମାନଙ୍କ ପାଇଁ ଭଲ ପ୍ରସ୍ତୁତି ଭଳି ହେବ।
ଓଡ଼ିଶା ଦଳ: ଭି ରମେଶ ରାଓ, ରାଖାଲ କୁମାର ସେଠୀ, ପ୍ରଭାକର ବେହେରା, ଅକ୍ଷୟ କୁମାର ସାହୁ, ଦେବମୃତ ସାହୁ, ପ୍ରଫୁଲ୍ଲ କୁମାର ଖଣ୍ଡାୟତରାୟ, ମାଳତି ପନୌରେ। ପ୍ରଶିକ୍ଷକ: ସନ୍ତୋଷ ସଜ୍ୱାଲ୍‌।

ସମ୍ବନ୍ଧିତ ଖବର