ରାଉରକେଲା : ଉପକନିଷ୍ଠ ମହିଳା ଜାତୀୟ ହକି ପ୍ରତିଯୋଗିତାରେ ଓଡ଼ିଶା ଦଳ ଚମତ୍କାର ପ୍ରଦର୍ଶନ ଜାରି ରଖିଛି। ପ୍ରଥମ ମ୍ୟାଚ୍‌ରେ କେରଳକୁ ୨୦-୦ ଗୋଲ୍‌ରେ ପରାସ୍ତ କରିଥିବାବେଳେ ଓଡ଼ିଶା ଆଜି ରାଜସ୍ଥାନ ବିପକ୍ଷରେ ମଧ୍ୟ ବୃହତ୍‌ ବିଜୟ ହାସଲ କରିଛି। ଓଡ଼ିଶା ୯-୦ ଗୋଲ୍‌ରେ ରାଜସ୍ଥାନକୁ ପରାଜୟ କରି ପଏଣ୍ଟ୍‌ ଟେବଲ୍‌ ଶୀର୍ଷରେ ରହିଛି। ମ୍ୟାଚ୍‌ର ପ୍ରଥମ ମିନିଟରେ ଓଡ଼ିଶାର କରୁଣା ମିଞ୍ଜ ପ୍ରଥମ ଗୋଲ୍‌ ଦେଇ ଦଳକୁ ୧-୦ ଗୋଲରେ ଆଗୁଆ କରିଥିଲେ। ଏହାପରେ ବୀନତି ମିଞ୍ଜଙ୍କ ହ୍ୟାଟ୍ରିକ୍‌ ଗୋଲ୍‌(୨୭,୨୮,୪୮) ଏବଂ ଅମୀଷା ଏକ୍କା(୩୮), ଜାହ୍ନବୀ ବାଡ଼ା(୧୩), ଡଳି ଭୋଇ(୬), ତନୁଜା ଟପ୍ପୋ(୫) ଓ ଜ୍ୟୋତି ଖାଖା(୪୨)ଙ୍କ ଗୋଟିଏ ଲେଖାଏ ଗୋଲ୍‌ ଦେଇ ବ୍ୟବଧାନ ୧୨-୦କୁ ବୃଦ୍ଧି କରିଥିଲେ। ରାଜସ୍ଥାନ ଖେଳାଳି ଗୋଟିଏ ବି ଗୋଲ୍‌ ପରିଶୋଧ କରିନପାରି ଶୋଚନୀୟ ପରାଜୟ ଭୋଗିଛି।

Advertisment

ଶନିବାର ହରିୟାଣା ଓ ତ୍ରିପୁରା ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ଗୋଲ୍‌ ବର୍ଷା ଦେଖିବାକୁ ମିଳିଥିଲା। ହରିୟାଣା ମ୍ୟାଚ୍‌ସାରା ବିପକ୍ଷ ଖେଳାଳିଙ୍କୁ ଚାପରେ ରଖି ଗୋଟିଏପରେ ଗୋଟିଏ, ମୋଟ୍‌ ୩୨ଟି ଗୋଲ୍‌ ଦେଇଥିଲା। ଦଳ ପକ୍ଷରୁ ଶଶୀ ଖାସା ସର୍ବାଧିକ ୧୦ଟି ଗୋଲ୍‌ ଦେଇଥିବାବେଳେ ରବୀନା ୫ଟି, ଖୁସୀ ୪ଟି, ସୀମା ୩ଟି, ଅଞ୍ଜଳି ୨ଟି, ପ୍ରିୟଙ୍କା ୨ଟି, ପୂଜା ୨ଟି ଏବଂ ନିଧି, ସିମ୍ରନ କଟାରିଆ, ଭାବ୍ୟା ଓ କୀର୍ତ୍ତି ଗୋଟିଏ ଲେଖାଏ ଗୋଲ୍‌ ଦେଇଥିଲେ। ଦ୍ବିତୀୟ ମ୍ୟାଚ୍‌ରେ ଝାଡ଼ଖଣ୍ଡ ୪-୦ ଗୋଲରେ ଉତ୍ତରାଖଣ୍ଡକୁ ପରାସ୍ତ କରିଥିବାବେଳେ ଉତ୍ତରପ୍ରଦେଶ ୧୨-୦ ଗୋଲରେ ଦିଲ୍ଲୀ, ହିମାଚଳପ୍ରଦେଶ ୪-୦ ଗୋଲ୍‌ରେ ଆସାମ ଓ ମିଜୋରାମ ୪-୨ ଗୋଲରେ କେରଳକୁ ପରାସ୍ତକରିଛି।