ନୃତ୍ୟଗୁରୁ ପୂର୍ଣ୍ଣିମା ବାରିକଙ୍କ ପରଲୋକ

ବାଲେଶ୍ବର: ଖ୍ୟାତନାମା ଓଡ଼ିଶୀ ନୃତ୍ୟଗୁରୁ ତଥା ବାଲେଶ୍ବର ଜିଲ୍ଲା ରେମୁଣା କଲେଜର ଅଧ୍ୟାପିକା ପୂର୍ଣ୍ଣିମା ବାରିକ(୫୦) ବିଷପିଇ ମୃତ୍ୟୁ ହୋଇଥିବା ଜଣାଯାଇଛି। ଶନିବାର ବିଳମ୍ବିତ ରାତିରେ ସେ ବାଲେଶ୍ବର ସହର ମାଣିଖମ୍ବ ସ୍ଥିତ ନିଜ ଘରେ ଥିବା ସମୟରେ କୌଣସି କାରଣରୁ ହଠାତ୍‌ ବିଷ ପିଇ ଦେଇଥିଲେ। ପରିବାର ଲୋକ ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ଭର୍ତ୍ତି କରିଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ଖବର ପାଇଁ ଟାଉନ ଥାନା ପୁଲିସ ଘଟଣାର ତଦନ୍ତ କରିବା ସହ ୧୨୯/୨୧ରେ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏହାପରେ ମୃତ‌େଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ମୃତ୍ୟୁର କାରଣ ନେଇ ଟାଉନ ଥାନା ପୁଲିସ ତଦନ୍ତ ଜାରି ରଖିଥିବା ସୂଚନା ଦେଇଛି।

ପୂର୍ଣ୍ଣିମା ଅବିବାହିତା ଥିଲେ। ନିଜ ଘର ଭାସ୍କରଗଞ୍ଜରେ ହୋଇଥିବା ବେଳେ ମାଣିଖମ୍ବରେ ସେ ଜାଗା କିଣି ଘର କରି ନିଜ ମାଉସୀଙ୍କ ସହ ରହୁଥିଲେ। ଓଡ଼ିଶୀ ନୃତ୍ୟରେ ସେ ସ୍ନାତକୋତ୍ତର କରିଥିବା ବେଳେ ଦୂରଦର୍ଶନରେ ଜଣେ ଜଣାଶୁଣା କଳାକାର ଥିଲେ। ଓଡ଼ିଶୀ ନୃତ୍ୟରେ ସେ ଜାତୀୟସ୍ତରରେ ବାଲେଶ୍ବରର ପ୍ରଥମ ଝିଅ ଭାବେ ସମ୍ମାନୀତ ହୋଇଥିଲେ। ୧୯୬୩ ମସିହାରେ ଜନ୍ମ ଗ୍ରହଣ କରିଥିବା ପୂର୍ଣ୍ଣିମା ୧୦ ବର୍ଷ ବୟସରେ ନୃତ୍ୟ ସାଧନା ଆରମ୍ଭ କରିଥିଲେ। ପ୍ରାୟ ୩୫ ବର୍ଷ ଧରି ସେ ନୃତ୍ୟ ଗୁରୁ ଭାବେ ଅନେକ ନୃତ୍ୟଶିଳ୍ପୀଙ୍କୁ ସେ ସୃଷ୍ଟି କରିଛନ୍ତି। ନୃତ୍ୟ ପାଇଁ ସେ ଓଡ଼ିଶା ଏବଂ ଓଡ଼ିଶା ବାହାରୁ ଅନେକ ପୁରସ୍କାର ଓ ସମ୍ମାନ ହାସଲ କରିଥିଲେ। ଆଜି ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ମରଶରୀରକୁ ହସପିଟାଲରୁ ନୃତ୍ୟ ସଂଗୀତ କଳାମନ୍ଦିରକୁ ନିଆଯାଇଥିଲା। ସେଠାରେ ଛାତ୍ରଛାତୀ ଓ ଅନୁଷ୍ଠାନର ସଭ୍ୟମାନେ ତାଙ୍କର ଶେଷ ଦର୍ଶନ କରିଥିଲେ। ଏହାପରେ ବାଲିଘାଟସ୍ଥିତ ଶ୍ମଶାନରେ ଶେଷକୃତ୍ୟ ହୋଇଥିଲା। ପରିବାର ଲୋକଙ୍କ ସମେତ ଛାତ୍ରଛାତ୍ରୀ, ସହକର୍ମୀ, ରେମୁଣା କଲେଜ ଅଧ୍ୟାପକ ଅଧ୍ୟାପିକା, ସମାଜସେବୀ ସୁବାସିନୀ ଜେନା, ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା, ନୃତ୍ୟ ସଂଗୀତ କଳାମନ୍ଦିର ସମ୍ପାଦକ ଶରତ ଚନ୍ଦ୍ର ଦାଶଙ୍କ ଅନେକ ବ୍ୟକ୍ତି ବିଶେଷ ତାଙ୍କ ଶେଷ ଦର୍ଶନ କରି ଅମର ଆତ୍ମାର ସଦ୍‌ଗତି କାମନା କରିଥିଲେ।

ସମ୍ବନ୍ଧିତ ଖବର