ମାଲକାନଗିରି: ବଞ୍ଚିବା ପାଇଁ ଖାଦ୍ୟ ଯେପରି ଆବଶ୍ୟକ, ଖାଦ୍ୟ ପାଇଁ ରୋଜଗାର ସେମିତି ଆବଶ୍ୟକ। ଲୋକଙ୍କୁ ରୋଜଗାରକ୍ଷମ କରାଇବା ନେଇ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। ଏଥିସହ ଶ୍ରମିକଙ୍କ ପାଇଁ କର୍ମଦିବସ ତିଆରି ହେଉଛି, ଫଳରେ ଶ୍ରମିକ କାମ ପାଇବ ଓ ପରିବାରକୁ ପ୍ରତିପୋଷଣ କରିବ। ଏଥିସହ ପଞ୍ଜୀକରଣ ଶ୍ରମିକଙ୍କ ପାଇଁ ସରକାର ବିଭିନ୍ନ ସହାୟତା ରାଶି ମଧ୍ୟ ପ୍ରଦାନ କରୁଛନ୍ତି। ପିଲାଙ୍କ ପାଠ ପଢ଼ା ଠାରୁ ଆରମ୍ଭ କରିବ ବିବାହ ଓ ମୃତ୍ୟୁକାଳୀନ ସହାୟତା ଏଥିରେ ସାମିଲ ହୋଇଛି। କିନ୍ତୁ ସରକାରଙ୍କ ଏହି ଯୋଜନାକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ଆବଶ୍ୟକୀୟ କର୍ମଚାରୀ ନାହାନ୍ତି। ମାଲକାନଗିରି ଜିଲ୍ଲାର ଶ୍ରମ ବିଭାଗରେ ଅଚଳଅବସ୍ଥା ଦେଖିବାକୁ ମିଳିଛି। ଜିଲ୍ଲାର ୭ଟି ବ୍ଲକ ମଧ୍ୟରୁ ଗୋଟିଏ ବି ବ୍ଲକରେ ଶ୍ରମ ଅଧିକାରୀ ନଥିବା ବେଳେ ବିଭାଗ କେମିତ ଚାଲିବ ଏବଂ ଶ୍ରମ ଆଇନ କିଭଳି କାର୍ଯ୍ୟକାରୀ ହେଉଥିବ ଏଥିରୁ ସ୍ପଷ୍ଟ ଜଣାପଡୁଛି। ମାଲକାନଗିରି ସହରର ପୁରୁଣା ଜିଲ୍ଲପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହେଉଛି। ସେଠାରେ ପ୍ରଭାଗୀୟ ଶ୍ରମ ଆୟୁକ୍ତ ପଦବୀ ରହିଥିବା ବେଳେ ସେଥିରେ କୌଣସି ଅଧିକାରୀ ନାହାନ୍ତି। କଳାହାଣ୍ଡିର ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କୁ ଏହି ଦାୟିତ୍ବ ଦିଆଯାଇଛି। ଜିଲ୍ଲାରେ ୨ଟି ଜିଲ୍ଲା ଶ୍ରମ ଅଧିକାରୀ ପଦବୀ ରହିଥିବା ବେଳେ ଜଣେ ହିଁ ଦୁଇଟି ଦାୟିତ୍ବ ତୁଲାଉଛନ୍ତି। ଜିଲ୍ଲାରେ ୮ଟି ସହକାରୀ ଶ୍ରମ ଅଧିକାରୀ ପଦବୀ ରହିଥିବା ବେଳେ କେବଳ ଜଣେ ହିଁ ରହିଛନ୍ତି। ଏଥିସହ ଜିଲ୍ଲାରେ ଜଣେ ସିନିୟର ଆସିଷ୍ଟାଣ୍ଟ, ଜଣେ ଜୁନିୟର ଆସିଷ୍ଟାଣ୍ଟ ଓ ୨ ଟି ପିଅନ ପଦବୀ ରହିଥିବା ବେଳେ ସେଥିରେ ମଧ୍ୟ କେହି କର୍ମଚାରୀ ନାହାନ୍ତି। ଜିଲ୍ଲାରେ କେବଳ ଜଣେ ଜିଲ୍ଲା ଶ୍ରମ ଅଧିକାରୀ ଓ ଜଣେ ସହକାରୀ ଶ୍ରମ ଅଧିକାରୀ ରହିଛନ୍ତି। ଏହି ଦୁଇ ଜଣକୁ ବାଦ ଦେଲେ ଜିଲ୍ଲାରେ ଶ୍ରମ ବିଭାଗରେ କୌଣସି ଅଧିକାରୀ ହିଁ ନାହାନ୍ତି।
ସମସ୍ତ ବ୍ଲକରେ ଶ୍ରମ ଆଇନକୁ ସଠିକ ଭାବେ କାର୍ଯ୍ୟ କରିବା ପାଇଁ ଜଣେ ଲେଖାଏଁ ସହକାରୀ ଶ୍ରମ ଅଧିକାରୀ ଆବଶ୍ୟକତା ଥିବା ବେଳେ କୌଣସି ବ୍ଲକରେ ଅଧିକାରୀ ନାହାନ୍ତି। ସମସ୍ତ ବ୍ଲକରେ ଏହି ପଦବୀ ଖାଲି ପଡିଛି। ଫଳରେ ନିର୍ମାଣ ଶ୍ରମିକ ପଞ୍ଜୀକରଣ ଏତେ କମ କର୍ମଚାରୀରେ ଆଗେଇ ପାରୁନାହିଁ। ଏଥିସହ ସହକାରୀ ଶ୍ରମ ଅଧିକାରୀଙ୍କ ଭୂମିକା ଅଧିକା ଗୁରୁତ୍ବପୂର୍ଣ୍ଣ ରହିଛି, ବ୍ଲକରେ ନିର୍ମାଣ ଶ୍ରମିକଙ୍କ ପଞ୍ଜୀକରଣ ଓ ସହାୟତା ପ୍ରମାଣପତ୍ରର ଯାଞ୍ଚ କରିବା, କୌଣିସ ଅଭିଯୋଗ ଆସିଲେ ତାହାର ତଦନ୍ତ କରିବା, ଶିଶୁ ଶ୍ରମିକ ନିୟୋଜନକୁ ରୋକିବା, ଶ୍ରମିକଙ୍କୁ ନିର୍ଯାତନାର ତଦନ୍ତ କରିବା ସହ ତୃଣମୂଳ ସ୍ତରରେ କାର୍ଯ୍ୟ କରିଥାନ୍ତି। ଜିଲ୍ଲାରେ ଏହି ପଦବୀ ଖାଲି ପଡିଥିବା ବେଳେ ଏଥିରେ ଆଜି ପର୍ଯ୍ୟନ୍ତ କୌଣସି ନିଯୁକ୍ତି ଦିଆଯାଉ ନାହିଁ। ସରକାର ଏଥିପ୍ରତି ଅବଗତ ଥିଲେ ମଧ୍ୟ କୌଣସି ପଦକ୍ଷେପ ନେଉନଥିବା ଦେଖିବାକୁ ମିଳିଛି। କେବଳ ଜିଲ୍ଲା କାର୍ଯ୍ୟାଳୟରେ ଆଉଟୋସୋର୍ସିଂରେ ୪ ଜଣ କର୍ମଚାରୀ କାମ କରୁଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ଜିଲ୍ଲାରେ ୫୪ ହଜାର ୧୮୫ ଜଣ ନିର୍ମାଣ ଶ୍ରମିକ ପଞ୍ଜୀକରଣ କରିଥିବା ବେଳେ ୧୧୦୭୭ ଜଣ ଅଣ ସଂଗଠିତ ଶ୍ରମିକ ରହିଛନ୍ତି। ଏଥିସହ ଶ୍ରମ ଆଇନ ବିରୋଧରେ କାର୍ଯ୍ୟ ହେଉଥିବା ସ୍ଥାନରେ ଚଢ଼ଉ ପାଇଁ ଅଧିକାରୀର ଆବଶ୍ୟକତା ରହିଛି। ମାଲକାନଗିରି ଜିଲ୍ଲାରୁ ଦାଦନ ଖଟିବା ପାଇଁ ଆନ୍ଧ୍ରପ୍ରଦେଶ, କେରଳ ଓ ତାମିଲନାଡୁ ରାଜ୍ୟକୁ ଯାଉଥିବା ବେଳେ ସେମାନଙ୍କୁ ରୋକିବା ପାଇଁ ମଧ୍ୟ ଅଧିକାରୀ ନାହାନ୍ତି। ଶ୍ରମ କାର୍ଯ୍ୟାଳୟ ଗୁଡିକରେ ଖାଲି ପଡିଥିବା ପଦବୀରେ ନିଯୁକ୍ତି ପ୍ରଦାନ କରିଲେ ଦଲାଲ ମାନଙ୍କୁ ରୋକିବା, ଶ୍ରମ ଆଇନର ଅବମାମନା କରୁଥିବା ଲୋକଙ୍କୁ କାବୁ କରିବା, ନିର୍ମାଣ ଶ୍ରମିକ ପଞ୍ଜୀକରଣ ସୁଚାର ରୂପେ ହୋଇ ପାରିବ ବୋଲି ସାଧାରଣରେ ଦାବି ହେଉଛି।