ତାତିଲେ ଚାଷୀ: ମଣ୍ଡି ଭିତରେ ତହସିଲଦାର ଓ ଅଧିକାରୀଙ୍କୁ ପକାଇଲେ ତାଲା

ବଲାଙ୍ଗୀର: ଚାରିଆଡ଼େ ଚାଷୀଙ୍କୁ ନେଇ ଉଠୁଛି ପଡୁଛି ରାଜନୀତି। ହେଲେ ବାହାରିପାରୁନି ସମାଧାନର ବାଟ। ଧାନ ବିକି ନପାରି ମଣ୍ଡିରେ ଡେରା ପକାଇଛନ୍ତି ଚାଷୀ। ଏପରିକି ମଣ୍ଡିରେ ଦିନଦିନ ଧରି ଧାନ ପଡ଼ି ରହିବା ପରେ ଚାଷୀ ଅସନ୍ତୋଷ ତେଜିବାରେ ଲାଗିଛି। ଶନିବାର ବଲାଙ୍ଗୀର ଜିଲ୍ଲା ପୁଇଁତଲା ବ୍ଲକ ଛତାପିପଲ ପେକ୍ସରେ ଉତ୍ତେଜନା ପ୍ରକାଶ ପାଇଛି। ଟାର୍ଗେଟ ଅଭାବରୁ ଚାଷୀ ଧାନ ବିକିପାରୁ ନଥିବା ବେଳେ ବହୁ ଚାଷୀଙ୍କ ଟୋକନ ବି ଲାପ୍ସ ହୋଇଯିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଥିଲେ। ଆଉ ଆନ୍ଦୋଳନସ୍ଥଳକୁ ଯିଏ ଚାଷୀଙ୍କୁ ବୁଝାଇବାକୁ ଗଲେ ସେମାନଙ୍କୁ ମଣ୍ଡିର ଏକ କୋଠରିରେ ତାଲା ମାରି ଭର୍ତ୍ତି କରି ଚାଲିଥିଲେ। ପୁଇଁତଲା ତହସିଲଦାର ରୋହିତ ଭୋଇ, ସମବାୟ ବିଭାଗର ଉପନିବନ୍ଧକ ରବୀନ୍ଦ୍ର ପଣ୍ଡା, ଯୋଗାଣ ବିଭାଗର ଏସିଏସଓ ଶରତ ରାଉତ ଓ ପେକ୍ସ ସଂପାଦକ ଓ ଅନ୍ୟ କର୍ମଚାରୀମାନଙ୍କୁ ଚାଷୀମାନେ ପେକ୍ସ କାର୍ଯ୍ୟାଳୟରେ ଭର୍ତ୍ତି କରି ତାଲା ମାରିଥିଲେ। ପୁଇଁତଲା ଥାନାଧିକାରୀ ପହଞ୍ଚି ଅଧିକାରୀଙ୍କୁ ମୁକୁଳାଇବାକୁ ଉଦ୍ୟମ କରିବାରୁ ତାଙ୍କୁ ମଧ୍ୟ ଚାଷୀମାନେ ଛାଡ଼ିନଥିଲେ। ବହୁ ସମୟ ଧରି ଅଧିକାରୀମାନେ ଚାଷୀଙ୍କ ଆକ୍ରୋଶର ଶିକାର ହୋଇଥିଲେ। ଚାଷୀଙ୍କ ଆନ୍ଦୋଳନସ୍ଥଳକୁ ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ ମଧ୍ୟ ପହଞ୍ଚି ସେମାନଙ୍କ ଦାବି ପୂରଣ କରିବାକୁ ଦାବି କରିଥିଲେ। ଶେଷରେ ବଲାଙ୍ଗୀର ଉପଜିଲ୍ଲାପାଳ ସୁଧାକର ନାଏକ ଆନ୍ଦୋଳନସ୍ଥଳକୁ ପହଞ୍ଚି ଚାଷୀଙ୍କ ସବୁ ଧାନ କିଣାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ସମସ୍ତଙ୍କୁ ଛାଡ଼ିଥିଲେ।

ଚାଷୀଙ୍କ କହିବା ହେଲା, ଅନେକ ଦିନ ହେଲା ପେକ୍ସରେ ହଜାର ହଜାର କ୍ୱିଣ୍ଟାଲ ଧାନ ପଡ଼ିରହିଛି। କିନ୍ତୁ ସେମାନଙ୍କ ଧାନ ବିକ୍ରି ପାଇଁ ଯୋଗାଣ ବିଭାଗ ଟାର୍ଗେଟ ଦିଆଯାଉ ନାହିଁ। ପେକ୍ସ ସଂପାଦକ ଓ କର୍ମଚାରୀ ମନମାନୀ ଚଳାଇଛନ୍ତି। ପୂର୍ବରୁ ଯାହା ଧାନ କିଣା ହୋଇଛି ସେଥିରେ ମହାଦୁର୍ନୀତି ହୋଇଛି। ପ୍ରକୃତ ଚାଷୀଙ୍କ ଧାନ ଏବେ ବି ପେକ୍ସ ବାହାରେ ପଡ଼ିରହିଛି। ଚାଷୀମାନେ ପ୍ରଶାସନକୁ ଅନେକ ଥର ଗୁହାରି କରିଥିଲେ ହେଁ ଠିକରେ ଟାର୍ଗେଟ ଦିଆଗଲା ନାହିଁ। ଏଣୁ ସେମାନେ ଆନ୍ଦୋଳନକୁ ଓହ୍ଲାଇଥିବା କହିଥିଲେ। ଦିନ ୧୧ଟାରୁ ସେମାନେ ପେକ୍ସ ଆଗରେ ଧାରଣା ଦେଇଥିଲେ। ଯେଉଁ ଅଧିକାରୀ ପହଞ୍ଚିଲେ ସେମାନେ ତାଙ୍କୁ ପେକ୍ସ ଭିତରେ ତାଲା ମାରି ଚାଲିଥିଲେ। ଧାନ ଚାଷୀଙ୍କ ନଉଠିବା ଯାଏ ସେମାନେ କାହାକୁ ଛାଡ଼ିବେ ନାହିଁ ବୋଲି କହିଥିଲେ। ଖବର ପାଇ ଲୋଇସିଂହା ବିଧାୟକ ଡ. ମହାଲିଙ୍ଗ ଓ ଜିଲ୍ଲାପରିଷଦ ସଭ୍ୟ ରାଜକିଶୋର ନାଏକ ପହଞ୍ଚି ଆନ୍ଦୋଳନକାରୀ ଚାଷୀଙ୍କ ସହିତ ଧାରଣାରେ ବସିଥିଲେ।

ସମ୍ବନ୍ଧିତ ଖବର