ଥାନାରେ ନାବାଳକ ଅଟକ ମାମଲାରେ ନିଜ ଆଡ଼ୁ ହସ୍ତକ୍ଷେପ କରିବେ
ପ୍ରଦୂଷଣ, ସ୍ବାସ୍ଥ୍ୟସେବା ନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା

Advertisment

ରାଉରକେଲା: ଓଡିଶା ମାନବାଧିକାର ଆୟୋଗର ସଦସ୍ୟ ଅସୀମ ଅମିତାଭ ଦାସ ଆଜି ଦୁଇଦିନିଆ ରାଉରକେଲା ଗସ୍ତରେ ଆସିଛନ୍ତି। ଏହି ଗସ୍ତ ଅବସରରେ ଶ୍ରୀ ଦାସ ବିଭିନ୍ନ ପ୍ରସଙ୍ଗ ଯଥା-ମାନବାଧିକାର ଉଲଂଘନ, ସ୍ବାସ୍ଥ୍ୟସେବା, ପ୍ରଦୂଷଣ ଓ ବିସ୍ଥାପିତ ସମସ୍ୟା ନେଇ ପ୍ରତିକ୍ରିୟା ରଖିଛନ୍ତି। ନୀଳଗିରି ସାମ୍ବାଦିକଙ୍କୁ ବେଡ଼ି ପକାଯିବା ଓ ରାଉରକେଲାରେ ୫ ଜଣ ନାବାଳକଙ୍କୁ ରାତିସାରା ଅଟକ ରଖାଯିବା ମାମଲାରେ କମିଶନଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ନୀଳଗିରି ମାମଲା ଭଳି ରାଉରକେଲା ମାମଲାକୁ ମଧ୍ୟ କମିଶନ ଗୁରୁତର ସହିତ ନେଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ସ୍ଥାନୀୟ ପାନ୍ଥନିବାସରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦାସ କହିଲେ,‌ ପାର୍କିଂ ଫି’କୁ କେନ୍ଦ୍ର କରି ସେକ୍ଟର-୭ ଥାନାରେ ୫ ଜଣ ନାବାଳକଙ୍କୁ ରାତିସାରା ଅଟକ ରଖିବାନେଇ ଆଜି ଗଣମାଧ୍ୟମରେ ପ୍ରକାଶିତ ଖବରରୁ ଅବଗତ ହେଲି। ରାଜ୍ୟର ପ୍ରତ୍ୟେକ ନାଗରିକଙ୍କ ମାନବାଧିକାରକୁ ଅକ୍ଷୂର୍ଣ୍ଣ ରଖିବାକୁ ରାଜ୍ୟ ମାନବାଧିକାର ଆୟୋଗ ନିଷ୍ଠାପରଭାବେ କାର୍ଯ୍ୟରତ। ଏଣୁ ଏହି ମାମଲାକୁ ମଧ୍ୟ ଗୁରୁତ୍ବର ସହ ବିଚାରକୁ ନିଆଯିବ। ଏ ସଂକ୍ରାନ୍ତରେ ଆମକୁ ଲିଖିତ ଅଭିଯୋଗ ପାଇଁ ନିବେଦନ କରୁଛି। ଯଦି କେହି ଲିଖିତ ଅଭିଯୋଗ ନ କରନ୍ତି, ତା’ହେଲେ ଆସନ୍ତା ସୋମବାର ଦିନ ଆୟୋଗ ନିଜ ଆଡ଼ୁ ମାମଲାରେ ହସ୍ତକ୍ଷେପ କରିବବୋଲି କହିଥିଲେ। ରାଉରକେଲାରେ ବ୍ୟାପକ ପ୍ରଦୂଷଣ ନେଇ ଶ୍ରୀ ଦାସ ଚିନ୍ତାପ୍ରକଟ କରିଥିଲେ। କହିଲେ, ଇସ୍ପାତସହରରେ ପ୍ରଦୂଷଣ ଏବେ ଉତ୍କଟ ହେଲାଣି। ବଣାଇଁପଟୁ ଗାଡ଼ିରେ ଆସିଲେ, ପ୍ରଦୂଷଣ ମାତ୍ରା କେତେ ଅଧିକ ତାହା ଅନୁଭୂତ ହୁଏ। ଏନେଇ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଅତିରିକ୍ତ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛି।

ପ୍ରଦୂଷଣ ରୋକିବାକୁ କି କି ପଦକ୍ଷେପ ନିଆଯାଇଛି, କାହିଁକି ପ୍ରଦୂଷଣ ନିୟନ୍ତ୍ରଣରେ ରହୁନି, ସେନେଇ ବିଭାଗକୁ ରିପୋର୍ଟତଲବ କରାଯାଇଛି। ବିଭାଗୀୟ କର୍ତ୍ତୃପକ୍ଷ ଆସନ୍ତାକାଲି ସୁଦ୍ଧା ରିପୋର୍ଟ ଦେବେ। ଗସ୍ତ ଅବସରରେ ଶ୍ରୀ ଦାସ ରାଉରକେଲା ଏସ୍‌ପିଙ୍କ ସହ ମଧ୍ୟ ଆଲୋଚନା କରି ପ୍ରତ୍ୟେକ ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଗୁରୁତ୍ବାରୋପ କରିଥିଲେ। ସହରର ସ୍ବାସ୍ଥ୍ୟାବସ୍ଥା ନେଇ ମଧ୍ୟ ଉତ୍ତର ରଖିଥିଲେ ଶ୍ରୀ ଦାସ। କହିଲେ, ରାଜ୍ୟର ଅନ୍ୟ ସ୍ଥାନର ସ୍ବାସ୍ଥ୍ୟାବସ୍ଥା ଅପେକ୍ଷା ରାଉରକେଲା ସରକାରୀ ଡାକ୍ତରଖାନା(ଆର୍‌ଜିଏଚ୍‌)ରେ ସ୍ବାସ୍ଥ୍ୟାବସ୍ଥା ବେଶ୍‌‌ ଉନ୍ନତମାନର। ଆବଶ୍ୟକତା ଅନୁଯାୟୀ ବିଭିନ୍ନ ସେବାକୁ ବିକଶିତ କରାଯିବାର ଲକ୍ଷ୍ୟ ରହିଛି। ଏନେଇ ପ୍ରକ୍ରିୟା ମଧ୍ୟ ଆରମ୍ଭଯାଇଛି। ଅଧିକାର କ୍ଷୂର୍ଣ୍ଣ ହେଲେ ତୁରନ୍ତ ରାଜ୍ୟ ମାନବାଧିକାର ଆୟୋଗର ଦ୍ବାରସ୍ଥ ହେବାକୁ ଆହ୍ବାନ କରିଥିଲେ। ପ୍ରତ୍ୟେକ ନାଗରିକଙ୍କ ମାନବାଧିକାର ସୁରକ୍ଷା ପାଇଁ ସରକାର ପତିଶ୍ରୁତିବଦ୍ଧ। ଜନସାଧାରଣ ଏ ଦିଗରେ ଅଧିକ ସଚେତନ ହେବା ଆବଶ୍ୟକ। ଯେଉଁମାନେ ସର୍ବନିମ୍ନ ସମସ୍ୟାରୁ ବଞ୍ଚିତ ହେଉଛନ୍ତି, ସେମାନେ ସିଧାସଳଖ ଆୟୋଗର ଦ୍ବାରସ୍ଥ ହୁଅନ୍ତୁ। ଆୟୋଗ ନିୟମାନୁଯାୟୀ ପଦକ୍ଷେପ ନେବା ସହ ଆବଶ୍ୟକସ୍ଥଳେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିବ। ଆୟୋଗ ନିଜେ ତଦନ୍ତକରିବାର କ୍ଷମତା ରଖିଛନ୍ତି। ଯଦି ମାନବାଧିକାର ହନନ କରିଥିବା ସଂସ୍ଥା ବିଭ୍ରାନ୍ତିକର ରିପୋର୍ଟ ଦାଖଲ କରନ୍ତି, ତା’ହେଲେ ଆୟୋଗ ଖୋଦ୍‌ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିପାରିବେ। ଜନସାଧାରଣ ଇ-ମେଲ୍‌, ଡାକ, ଫୋନ୍‌ ଯୋଗେ ରାଜ୍ୟ ମାନବାଧିକାର ଆୟୋଗ ସହ ଯୋଗାଯୋଗ କରିବାକୁ ଆହ୍ବାନ କରିଥିଲେ।