୨ ତେଲ ବୋଝେଇ ଟ୍ରକ୍‌ ସହ, ୩ ଅଟକ

ତେଲକୋଇ: ‌କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥରୁ ୧୦ ତାରିଖ ରାତି ପ୍ରାୟ ସାଢେ ୯ଟା ବେଳେ ଲୁଟ୍‌ ହୋଇଥିବା (ଡବ୍ଲ୍ୟୁବି-୫୭-ଡି- ୫୫୪୪) ନମ୍ବର ବିଶିଷ୍ଟ ୧୪ ଚକିଆ ଟ୍ରକ୍‌ର ଏଯାଏ ପତ୍ତା ମିଳିନାହିଁ। ତେବେ ଉକ୍ତ ଟ୍ରକ୍‌ରୁ ଲୁଟ୍‌ ହୋଇଥିବା ୨୧୦୦ ପେଟି ସୋୟାବିନ ତେଲ ସହ (ଡବ୍ଲ୍ୟୁବି-୧୧-ସି-୨୬୬୭) ଓ (ଡବ୍ଲ୍ୟୁବି-୧୧-ସି-୦୨୪୭) ନମ୍ବର ବିଶିଷ୍ଟ ୨ଟି ଟ୍ରକ୍‌ ଏବଂ ୩ଜଣ ବ୍ୟକ୍ତିଙ୍କୁ ତେଲକୋଇ ପୁଲିସ ଅଟକ ରଖି ପଚରାଉଚରା କରୁଛି।

ସୂଚନାଯୋଗ୍ୟ, ଲୁଟ୍‌ ଟ୍ରକ୍‌ ୯ ତାରିଖ ରାତିରେ ପଶ୍ଚିମବଙ୍ଗ ହଳଦିଆରୁ ୩୦ ଲକ୍ଷ ଟଙ୍କା ମୂଲ୍ୟର ୨୫ ଟନ୍‌ ସୋୟାବିନ ତେଲ ହିନ୍ଦୁସ୍ତାନ ଟ୍ରାନ୍ସପୋର୍ଟରୁ ବୋଝେଇ କରି ଝାରସୁଗୁଡ଼ା ଯାଉଥିଲା। ୧୦ ତାରିଖ ରାତିରେ ତେଲକୋଇ ଥାନା ୪୯ ନମ୍ବର ଜାତୀୟ ରାଜପଥରେ ଗାଡ଼ି ଡ୍ରାଇଭର ଜହରୁଦ୍ଦିନ ଶେଖ୍‌ (୩୩) ଓ ଖଲାସି ଭୋଲା ଶେଖ୍‌ (୩୧)ଙ୍କୁ ୫/୬ ଜଣ ଲୁଟେରା ଆକ୍ରମଣ କରିବା ସହ ନିଶା ଔଷଧ ପିଆଇ ଗାଡ଼ି ଲୁଟି ନେଇଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ରାସ୍ତାରେ ଫୋପାଡ଼ି ଦେଇଥିଲେ।

ରାଉରକେଲା ଜିଏସ୍‌ଟି ବିଭାଗ ଅଧିକାରୀମାନେ କୁଆରମୁଣ୍ଡା ଫାଣ୍ଡି ନିକଟରେ ତନଖି କରୁଥିବା ବେଳେ ୨ଟି ତେଲ ବୋଝେଇ ଟ୍ରକ୍‌ର ଓ୍ବେବିଲ୍‌ ତଥା କାଗଜପତ୍ରରେ କୌଣସି ତାଳମେଳ ନଥିବା ଜାଣିବାକୁ ପାଇଥିଲେ। କୁଆରମୁଣ୍ଡା ଫାଣ୍ଡିରେ ଗାଡ଼ି ସହ ୨ଜଣ ଡ୍ରାଇଭର ଓ ଜଣେ ଖଲାସିକୁ ଅଟକ ରଖାଯାଇଥିଲା। ଆଜି ତେଲକୋଇ ପୁଲିସ ସଂପୃକ୍ତ ବ୍ୟକ୍ତିଙ୍କୁ ସେଠାରୁ ଆଣି ତେଲକୋଇ ଥାନାରେ ଅଟକ ରଖିଛି।

ସମ୍ବନ୍ଧିତ ଖବର