ଲଗାମହୀନ ତେଲ ଦର: ଜୟପୁରରେ ପେଟ୍ରୋଲରେ ସର୍ବକାଳୀନ ରେକର୍ଡ

ଜୟପୁର: ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି ତୈଳ ଦର। ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧିରେ ଅତିଷ୍ଟ ହେଲେଣି ଖାଉଟି। ପୂର୍ବଭଳି ଘରୋଇ ବଜାରରେ  ପେଟ୍ରୋଲ ଓ ଡିଜେଲ ମୁଲ୍ୟରେ ବୃଦ୍ଧି ପରିଲକ୍ଷିତ ହୋଇଛି। ଏହି କ୍ରମରେ କୋରାପୁଟ ଜିଲ୍ଲାର ଜୟପୁରରେ ସାଧାରଣ ପେଟ୍ରୋଲ ଲିଟର ପିଛା ୯୦ଟଙ୍କା ଟପି ନୂଆ ସର୍ବକାଳୀନ ରେକର୍ଡ ପ୍ରତିଷ୍ଠା ହୋଇଛି।

ଏହା ପାୱର ପେଟ୍ରୋଲ ବି ୯୪ଟଙ୍କା ଟପିଛି।  କେବଳ ପେଟ୍ରୋଲ ହିଁ ନୁହେଁ ଡିଜେଲ ବି ଲିଟର ପିଛା ୮୬ଟଙ୍କା ଟପି ନୂଆ ରେକର୍ଡ କରିଛି। ଗତ ଡିସେମ୍ବର ୮ତାରିଖରୁ ଜାନୁଆରି ୫ତାରିଖ ପର୍ଯ୍ୟନ୍ତ ପେଟ୍ରୋଲ ୮୮ଟଙ୍କା୪୩ ପଇସା , ପାୱର ପେଟ୍ରୋଲ ୯୨ଟଙ୍କା ୬୬ ପଇସା ଓ ଡିଜେଲ ୮୪ଟଙ୍କା ୪୩ପଇସା ରହିଥିଲା।

୬ ଜାନୁଆରିରୁ ଆଜି ପର୍ଯ୍ୟନ୍ତ ୭ଥର ପେଟ୍ରୋଲ ଓ ଡିଜେଲରେ ଦର ବଢ଼ିଛି। ଗତ ୨୨ତାରିଖରୁ ପେଟ୍ରୋଲ ୯୦ଟଙ୍କା ୪୯ପଇସା, ପାୱର ପେଟ୍ରୋଲ ୯୪ଟଙ୍କା ୨୨ପଇସା ଓ ଡିଜେଲ ୮୬ଟଙ୍କା ୬୭ପଇସାରେ ବିକ୍ରୀ ହେଉଛି। ଗତ ୪ଦିନ  ଦିନ ହେବ ଯଦିଓ ଦରବୃଦ୍ଧି ହୋଇ ନଥିଲେ ହେଁ ଗତ ସପ୍ତାହକ ମଧ୍ୟରେ ଏହି ରେକର୍ଡ ସ୍ଥାପନ ହୋଇଛି।

କରୋନା ମହାମାରୀ ସମୟରେ ଶେଷଥର ପାଇଁ ୨୦୨୦ମାର୍ଚ୍ଚ ୧୭ରୁ ଜୁନ ୬ମଧ୍ୟରେ କ୍ରମାଗତ ଭାବେ ୫୨ଦିନ ଧରି ଦେଶରେ ତୈଳଦର ଅପରିବର୍ତ୍ତିତ ରହିଥିଲା। ସଂପ୍ରତି ଅର୍ନ୍ତଜାତୀୟ ବଜାରରେ ଅଶୋଧିତ ତୈଳ ଦରକୁ ଭିତ୍ତି କରି ଘରୋଇ ବଜାରରେ ଦୈନିକ ଭିତ୍ତିରେ ସରକାର ତୈଳ ମୂଲ୍ୟ ସଂଶୋଧନ କରୁଛନ୍ତି । ପଡୋଶୀ ରାଜ୍ୟ  ଆନ୍ଧ୍ର ପ୍ରଦେଶରେ ପେଟ୍ରୋଲ ଓଡିଜେଲ ଦର ଲିଟର ପିଛା ଏକ ଟଙ୍କାରୁ ୨ଟଙ୍କା ପର୍ଯ୍ୟନ୍ତ ଅଧିକା ରହୁଥିବାରୁ ସେଠାରୁ ଆସୁଥିବା ବସ, ଟ୍ରକ, କାର ଆଦି ଏଠାକାର ପେଟ୍ରୋଲ ପମ୍ପ ଗୁଡ଼ିକରେ ତେଲ ଭରୁଥିବା ଦେଖିବାକୁ ମିଳିଛି।

ତେଲ ଦର ବୃଦ୍ଧି ପରେ ଏବେ ମାଲପରିବହନ କରୁଥିବା ଟ୍ରକ, ଭ୍ୟାନ, ଯାତ୍ରୀ ପରିବହନ କରୁଥିବା ଟ୍ୟାକ୍ସି, କାର, ଓ ବସଗୁଡିକ ବି ଭଡ଼ା ବୃଦ୍ଧି କରିବାକୁ ବିଭିନ୍ନ ବସ, ଟ୍ରକ ଓ ଟ୍ୟାକ୍ସି ସଂଘ ଗୁଡିକ ପକ୍ଷରୁ ଯୋଜନା କରିବା ସହ ସରକାରଙ୍କୁ ଘେରିବାକୁ ଯୋଜନା କରୁଛନ୍ତି। ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ସିଧାସଳଖ ଭାବେ ବଜାର ଉପରେ ପଡ଼ୁଥିବାରୁ ଆଗାମୀ ଦିନରେ ବିଭିନ୍ନ ଦୈନନ୍ଦିନ ସାମଗ୍ରୀର ବି ଦରବୃଦ୍ଧିର ସମ୍ଭାବନାକୁ ଏଡ଼ାଇ ହେବ ନାହିଁ ବୋଲି ବୁଦ୍ଧିଜୀବୀ , ବ୍ୟବସାୟୀ ମହଲରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର