ଓକିଲଗୁଡ଼ା ପଥର ଖାଦାନର ଖୋଲୁଛି ଗୁମର: ୧୩ ବର୍ଷ ଧରି ଚାଲିଥିଲା ଟେଣ୍ଡର ଫିକ୍ସିଂ! 

ଜଣେ ମାତ୍ର ଲିଜଧାରୀଙ୍କୁ ଅନୁକମ୍ପା ଦେଖାଇଥିଲା ପ୍ରଶାସନ, ଅତିରିକ୍ତ ତହସିଲଦାର, ସୁପରଭାଇଜରକୁ କାରଣ ଦର୍ଶାଅ ନୋଟିସ୍

ରାୟଗଡ଼ା: ବର୍ଷେ କି ଦୁଇ ବର୍ଷ ନୁହଁ, ଦୀର୍ଘ ୧୩ ବର୍ଷ ହେଲା ଜଣେ ଲିଜଧାରୀଙ୍କ ହାତରେ ରହିଛି ଓକିଲଗୁଡ଼ା ପଥର ଖାଦାନ। ଟେଣ୍ଡର ଫିକ୍ସିଂ କରି ଶାଗମାଛ ଦରରେ ଖାଦାନ ହାତେଇଛନ୍ତି ଲିଜଧାରୀ। ଏପଟେ ମୋଟା ଅଙ୍କର ଉତ୍କୋଚ ନେଇ ଲିଜଧାରୀଙ୍କୁ ପ୍ରତି ଟେଣ୍ଡରରେ ଅନୁକମ୍ପା ଦେଖାଇବା ସହ ସବୁ ଦୋଷ, ଦୁର୍ବଳତାକୁ ଘଣ୍ଟ ଘୋଡାଇ ଚାଲିଛନ୍ତି ତହସିଲ କର୍ତ୍ତୃପକ୍ଷ। ଯାହା ଲିଜ୍, ପରିବେଶ ମଞ୍ଜୁରୀ, ବ୍ଲାଷ୍ଟିଂ ଅନୁମତି ନଥାଇ ଖାଦାନରୁ ପଥର ଉତ୍ତୋଳନ ଜାରି ରହିଥିବା ଘଟଣାରୁ ସ୍ପଷ୍ଟ।

ଅଘଟଣ ପରେ ଲିଜଧାରୀଙ୍କ ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଥିବାରୁ କଠୋର ହୋଇଛି ଜିଲ୍ଲା ପ୍ରଶାସନ। ଅକାଳରେ ୩ ଶ୍ରମିକଙ୍କ ଜୀବନ ଦୀପ ଲିଭିବା ପରେ ଲିଜଧାରୀ ଓ ଦୋଷୀ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଆରମ୍ଭ ହୋଇଛି ତଦନ୍ତ। ପୁଲିସ୍ ଓ ପ୍ରଶାସନିକ ସ୍ତରରେ ଅଲଗା ତଦନ୍ତ ଚାଲିଥିବା ବେଳେ ଶ୍ରମ ବିଭାଗ ଆଜି ମୃତକଙ୍କ ପରିବାରର ବୟାନ୍ ରେକର୍ଡ କରିଛି। ଓଡ଼ିଶା ଏମ୍ପ୍ଲୋୟେଜ୍ କମ୍ପାନସେସନ୍ ଆକ୍ଟରେ ଶ୍ରମ ବିଭାଗ ଲିଜଧାରୀଙ୍କ ନାମରେ ଖୁବ୍ ଶୀଘ୍ର ମାମଲା ରୁଜୁ କରିବ।

ରାଜସ୍ବ ବିଭାଗ ପ୍ରମୁଖ ସଚିବଙ୍କୁ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଦେଇଥିବା ପ୍ରାଥମିକ ତଦନ୍ତ ରିପୋର୍ଟରେ ତହସିଲଦାର ଲକ୍ଷ୍ମୀନାରାୟଣ ସାବତଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିଛନ୍ତି। ସେହିପରି ଆଜି ଅତିରିକ୍ତ ତହସିଲଦାର କୁଶ ଗରଡ଼ା, ରାଜସ୍ବ ସୁପରଭାଇଜର ଶରତ ଚନ୍ଦ୍ର ଆନନ୍ଦଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ଜିଲ୍ଲାପାଳ।

ଏଥି ସହିତ ଆଗୁଆ ପଦକ୍ଷେପ ନେଇ ଅଘଟଣ ରୋକିବାକୁ ସମସ୍ତ ପଥର ଖାଦାନର ଯାଞ୍ଚ କରିବାକୁ ରାୟଗଡ଼ା, ଗୁଣପୁର ଉପଜିଲ୍ଲାପାଳଙ୍କ ସମେତ ୧୧ ତହସିଲଦାରଙ୍କୁ ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ପଦକ୍ଷେପ ପରେ ଯଦି ଭବିଷ୍ୟତରେ କିଛି ଅଘଟଣ ଘଟେ ତାହାହେଲେ ସେଥିପାଇଁ ସଂପୃକ୍ତ ତହସିଲଦାର ବ୍ୟକ୍ତିଗତ ଭାବେ ଦାୟୀ ରହିବେ ବୋଲି ସୂଚନା ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା। ଅନ୍ୟପକ୍ଷରେ ଘଟଣାକୁ ୪ ଦିନ ବିତିଥିଲେ ମଧ୍ୟ ପୁଲିସ୍ ତଦନ୍ତରେ ମୁଖ୍ୟ ଅଭିଯୁକ୍ତ ଥିବା ପ୍ରତାପ ଯୋଗୀ, ପ୍ରଦୀପ ଯୋଗୀକୁ ଗିରଫ କରିବାରେ ପୁଲିସ୍ ବିଫଳ ହୋଇଛି। ଖୁବ୍ ଶୀଘ୍ର ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ୍ ପ୍ରୟାସ ଜାରି ରଖିଥିବା କହିଛନ୍ତି ଏସପି ଡା. ଶର୍ବଣା ବିବେକ ଏମ୍।

ଗୁଣପୁର ତହସିଲର ଗୁଣପୁର ମୌଜା ଖାତା ନଂ-୩୩୦, ପ୍ଲଟ୍ ନଂ-୧୫୨୨ରେ ରହିଛି ୧୧ ଏକର ପରିମିତ ଓକିଲଗୁଡ଼ା ପଥର ଖାଦାନ। ଯାହାର ଟେଣ୍ଡର ୨୦୦୭-୦୮ ମସିହାରୁ ହାତେଇ ଆସୁଛନ୍ତି ଯୋଗୀ ପରିବାର। ବାପା ଘାସି ଯୋଗୀ, ଦୁଇ ପୁଅ ପ୍ରତାପ ଓ ଯୋଗୀ ତହସିଲ କର୍ତ୍ତୃପକ୍ଷଙ୍କ ହାତବାରିସ୍ କରି ୧୩ ବର୍ଷ ହେଲା ଟେଣ୍ଡର ଫିକ୍ସିଂ ଜାରି ରଖିଛନ୍ତି।

ମିଳିଥିବା ସୂଚନାନୁଯାୟୀ, ୨୦୦୭-୦୮ ରେ ଏହି ଖାଦାନକୁ ଘାସି ଯୋଗୀ ୬୦,୫୦୦ ଟଙ୍କାରେ, ୨୦୦୮-୦୯ରେ ୬୬,୪୦୦ ଟଙ୍କାରେ, ୨୦୦୯-୧୦ରେ ୭୩,୦୦୦ ଟଙ୍କାରେ, ୨୦୧୦-୧୧ରେ ୧,୪୫,୫୦୦ ଟଙ୍କାରେ ଲିଜ୍ ନେଇଥିଲେ। ୨୦୧୧-୧୨ରେ ପ୍ରତାପ ଯୋଗୀ ୧,୬୫,୫୦୦, ୨୦୧୨-୧୩ରେ ୨,୦୫,୦୦୦, ୨୦୧୩-୧୪ରେ ପ୍ରଦୀପ ଯୋଗୀ ୫,୫୫,୦୦୦, ୨୦୧୪-୧୫ରେ ପ୍ରତାପ ଯୋଗୀ ୬,୨୦,୦୦୦, ୨୦୧୫-୧୬ରେ ପ୍ରଦୀପ ଯୋଗୀ ୨,୯୯,୪୩୩, ୨୦୧୬-୧୭ରେ ୨,୯୨,୪୫୮, ୨୦୧୭-୧୮ରେ ପ୍ରଦୀପ ଯୋଗୀ ୩,୭୫,୩୨୨, ୨୦୧୮-୧୯ରେ ୩,୮୩,୯୫୯, ୨୦୧୯-୨୦ରେ ପ୍ରଦୀପ ଯୋଗୀ ୩,୭୫,୩୨୩ ଟଙ୍କାରେ ଲିଜ୍ ନେଇଛନ୍ତି। ୨୦୧୪-୧୫ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ବର୍ଷିକିଆ ଟେଣ୍ଡର ହେଉଥିବା ବେଳେ ୨୦୧୫-୧୬ ଆର୍ଥିକ ବର୍ଷରୁ ୫ ବର୍ଷିଆ ଟେଣ୍ଡରର ନିୟମ କରିଛି ରାଜସ୍ବ ବିଭାଗ। ଏହା ସତ୍ତ୍ବେ ଯୋଗୀ ପରିବାରକୁ ବାଦ୍ ଦେଲେ ଅନ୍ୟ କୌଣସି ଲିଜଧାରୀ ଓକିଲଗୁଡ଼ା ପଥର ଖାଦାନ ହାତେଇ ନଥିବା ବିଭାଗୀୟ ରେକର୍ଡରୁ ଜଣା ପଡିଛି।

ସୂଚନାଯୋଗ୍ୟ, ଗତ ୧୬ ତାରିଖରେ ଏହି ଖାଦାନରେ ଶ୍ରମିକମାନେ କାମ କରୁଥିବା ବେଳେ ଭୟଙ୍କର ବିସ୍ଫୋରଣ ଘଟିବା ଯୋଗୁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଶ୍ରମିକ ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର