ହରଭଙ୍ଗା(ବୌଦ୍ଧ): ଭାରତୀୟ ଆଇନ ପ୍ରାବଧାନରେ ଶହେ ଦୋଷୀ ବରଂ ଖସି ଯାଆନ୍ତୁ ହେଲେ ଜଣେ ନିର୍ଦ୍ଦୋଷୀ ଯେପରି କୌଣସି ପରିସ୍ଥିତିରେ ଦଣ୍ଡ ନପାଉ ବୋଲି ଉଲ୍ଲେଖ ରହିଛି। ମାତ୍ର ବିଡମ୍ବନାର କଥା ବୌଦ୍ଧ ଜିଲ୍ଲା ହରଭଙ୍ଗା ପଞ୍ଚାୟତ ଅନ୍ତର୍ଗତ ବୁକେସିଙ୍ଗା ଗ୍ରାମରେ ଗୋଟିଏ ପୁଅର ଦୋଷ ପାଇଁ ଦୀର୍ଘ ୬ବର୍ଷ ହେବ ତାର ବୃଦ୍ଧ ନିର୍ଦ୍ଦୋଷ ବାପ ସୁଦର୍ଶନ ବାରିକ(୬୮), ମା’ ଜିରା ବାରିକ(୬୪), ସାନଭାଇ ନରେଶ ବାରିକ (୨୭), ବୋହୁ ଓ ଜଣେ ଶିଶୁଙ୍କୁ ବିତାଇବାକୁ ପଡୁଛି ବାରବୁଲା ଜୀବନ। ଏହି ଅଭାବନୀୟ ଘଟଣା ପଛର ପ୍ରକୃତ କାରଣଟି ହେଲା ଗ୍ରାମର ପିଲାମାନେ ମିଶି ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ସମସ୍ତେ ମିଳିମିଶି ପଡିଆ ସଫା କରିବା ସମୟରେ ସାମାନ୍ୟ କଥାକୁ କେନ୍ଦ୍ରକରି ବୀରେନ ବାରିକ ଓ ଯାଦବ ଦେହୁରୀ ନାମକ ଦୁଇଜଣ ପିଲାଙ୍କ ଭିତରେ ବଚସା ଓ ଉଚ୍ଚବାଚ ହୋଇଥିଲା। ଏହା ୨୦୧୪ ମସିହା ନଭେମ୍ବର ମାସ୧୪ ତାରିଖର ଘଟଣା।
ଏଥିରେ ଉତକ୍ଷିପ୍ତ ହୋଇ ବୀରେନ ପାଖରେ ଥିବା ଏକ କ୍ରିକେଟ ବ୍ୟାଟରେ ଯାଦବଙ୍କୁ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଏହି ମାମଲାରେ ପୁଲିସ ଅଭିଯୁକ୍ତ ବୀରେନଙ୍କୁ ହତ୍ୟା ଅପରାଧରେ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମାତ୍ର ପୁଲିସର ଆଇନ ଗତ କାର୍ଯ୍ୟାନୁଷ୍ଠାନ ପରେ ଆରମ୍ଭ ହୋଇଥିଲା ଗାଁ ସଭାପତି ଓ ତାଙ୍କ ସହଯୋଗୀଙ୍କ ଦ୍ୱାରା ଆୟୋଜିତ କାଙ୍ଗାରୁ କୋର୍ଟର ବିଚାର ପ୍ରକ୍ରିୟା। ବୀରେନର ଏହି ଦୋଷ ପାଇଁ ତାର ବାପ ମା ଭାଇଙ୍କୁ ସବୁଦିନ ପାଇଁ ନିଜ ଭିଟାମାଟିରେ ଥିବା ଘରଦ୍ୱାର ଛାଡି ଚାଲିଯିବାକୁ ମିଳିଥିଲା କଠୋର ନିର୍ଦ୍ଦେଶ। ନିରୁପାୟ ହୋଇ ଅସହାୟ ସୁଦର୍ଶନ ଓ ତାଙ୍କ ପରିବାର ନିଜର ୪ବଖରାଘର ଓ ୪ଏକର ୮୮ଡେସିମିଲ ଜମିବାଡ଼ିକୁ ଛାଡି ଚାଲିଯାଇଥିଲେ। ସେଦିନ ଠୁ ସେମାନେ ଆଜକୁ ଦୀର୍ଘ ପ୍ରାୟ ୬ ବର୍ଷ ହେବ ଦୟନୀୟ ଭାବେ ପ୍ରଥମେ ଛତ୍ରଙ୍ଗ ପଞ୍ଚାୟତର ଭାଲିଆଗୋରା, ବୌଦ୍ଧବ୍ଲକର ବହିରା ପଞ୍ଚାୟତର ଜୁରାମୁଣ୍ଡା, ଆମ୍ବଝରି ପଞ୍ଚାୟତର କରଡାପଡା ଓ ଏବେ ଛତ୍ରଙ୍ଗ ପଞ୍ଚାୟତର ଝାରଖମଣ ଆଦି ଅଞ୍ଚଳରେ ଏଠିସେଠି ରହିରହି ବାରବୁଲା ଜୀବନ ଅତିବାହିତ କରି ଆସୁଛନ୍ତି।
ଇତି ମଧ୍ୟରେ କାଳେ ଗାଁ ମୁଖିଆଙ୍କ କୌଣସି ଦୟାଭାବ ଆସିଥାଇ ପାରେ ବୋଲି ଚିନ୍ତାକରି କିଛି ମାସ ତଳେ ସୁଦର୍ଶନ ବାରିକ ଦରଖାସ୍ତ ଜରିଆରେ ଘରେ ରହିବାକୁ ଅନୁମତି ଦେବାକୁ ଆକୁଳ ନିବେଦନ କରିଥିଲେ। ହେଲେ ତାଙ୍କ କଥା ଶୁଣିବାକୁ ନାରାଜ ହେବାରୁ ନୈରାଶ ହୋଇ ଫେରିବା ପରେ ଗତ ଜାନୁଆରି ୬ତାରିଖରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନଶୁଣାଣି ପ୍ରକୋଷ୍ଠରେ ଫେରାଦ ହୋଇ ବାସଗୃହ ନିର୍ମାଣକୁ ଫେରିବା ପାଇଁ ଆଇନଗତ ସୁରକ୍ଷା ଯୋଗାଇ ଦେବାକୁ ମିନତି କରିଥିଲେ।
ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ତାଙ୍କ ପରିବାରର ଦୁଃଖଭରା କରୁଣ ସ୍ଥିତି ବିଷୟ ଜାଣିବା ପରେ ଆସନ୍ତା ୧୫ଦିନ ଭିତରେ ବୁଝାସୁଝା କରି ଏ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ପ୍ରତିଶ୍ରୁତି ଅନୁଯାୟୀ ପଦକ୍ଷେପ ନିଆନଯିବାରୁ ପୀଡିତ ପରିବାର ସଦସ୍ୟ ପୁନର୍ବାର ଫେବ୍ରୁଆରି ମାସ ୩ ତାରିଖରେ ବୌଦ୍ଧ ଓ ୧୭ହରଭଙ୍ଗା ବ୍ଲକରେ ଆୟୋଜିତ ଜନଶୁଣାଣି ପ୍ରକୋଷ୍ଠରେ ଭେଟି ନ୍ୟାୟ ଭିକ୍ଷା କରିଥିଲେ ମଧ୍ୟ କିଛି ସୁଫଳ ମିଳିନଥିବା ଜଣାପଡ଼ିଛି।
ତେବେ ବୁକେସିଙ୍ଗା ଗ୍ରାମରେ କେବଳ ସୁଦର୍ଶନଙ୍କ ପରିବାର ନୁହନ୍ତି। ବିଭିନ୍ନ ସମୟରେ ଗାଁ ମୁଖିଆଙ୍କ ଦ୍ୱାରା ବାସନ୍ଦର ଶିକାର ହୋଇ ଏବେ ମଧ୍ୟ ଆହୁରି ୬ଟି ପରିବାର ମଧ୍ୟ ଏକଘରିଆ କରି ରଖାଯାଇ ଥିବା ନଜିର ରହିଛି। ଗ୍ରାମାଞ୍ଚଳରେ ରହିଥିବା ଏଭଳି କୁସଂସ୍କାର ର ସୁଯୋଗ ନେଇ ସାମୁହିକ ନିଷ୍ପତ୍ତି ଆଳରେ ନିର୍ଦ୍ଧିଷ୍ଟ କିଛି ଅସାମାଜିକ ତତ୍ତ୍ୱ ଲୋକଙ୍କ ମାନବାଧିକାର କ୍ଷୁର୍ଣ୍ଣ କରୁଥିବା ବେଳେ ସରକାରଙ୍କ ପକ୍ଷରୁ ଏମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିବାରୁ ଏଭଳି ନଜିର ମାନ ପଦାକୁ ଆସୁଛି ବୋଲି ସାଧାରଣରେ ମତପ୍ରକାଶ ପାଉଛି। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଢ଼ ପଦକ୍ଷେପ ନେବାକୁ ବୁଦ୍ଧିଜୀବି ମହଲରେ ଦାବି ହେଉଛି।