ଜୟପୁର: ଭୋଟର ପରିଚୟପତ୍ର ଅନୁଯାୟୀ ଆଧାରକାର୍ଡରେ ବୟସ ସମାନ ରହିବା କଥା। କିନ୍ତୁ ଆଧାରକାର୍ଡରେ ବୟସ କମ୍ ରହିଥିବା ବୃଦ୍ଧ ଦମ୍ପତି ସରକାରୀ ଯୋଜନା ପାଇବାରୁ ବଞ୍ଚିତ। ବାରମ୍ବାର ଆଧାରକେନ୍ଦ୍ରକୁ ସଂଶୋଧନ ପାଇଁ ଯାଉଥିଲେ ହେଁ ଏହା ହୋଇ ପାରୁ ନଥିବାରୁ ଏବେ ଚିନ୍ତାରେ ପଡ଼ିଛନ୍ତି ବୃଦ୍ଧ ଦମ୍ପତି। ଉଭୟ ବୃଦ୍ଧ ଓ ବୃଦ୍ଧା ହୋଇଥିଲେ ହେଁ ଭତ୍ତା କିମ୍ବା ପକ୍କାଘର ଖଣ୍ଡିକ ପାଇବାରୁ ବଞ୍ଚିତ। ଆଧାରକେନ୍ଦ୍ରରେ ପ୍ରଥମେ ବୟସ ଦାଖଲ କରିଥିବା କର୍ମଚାରୀଙ୍କ ଭୁଲର ଦଣ୍ଡ ଭୋଗୁଛନ୍ତି। ଏମାନେ ହେଲେ ଜୟପୁର ବ୍ଲକ ଅନ୍ତର୍ଗତ କୁମୁଲିପୁଟ ପଞ୍ଚାୟତର ଡୁଟିଗୁଡା ରୁକଧର ଭୂମିଆ ଓ ତୁଳସା ଭୁମିଆ।
ସୂଚନା ଅନୁଯାୟୀ, ଜୟପୁର ବ୍ଲକ ଅନ୍ତର୍ଗତ କୁମୁଲିପୁଟ ପଞ୍ଚାୟତର ଡୁଟିଗୁଡା ଗ୍ରାମର ରୁକଧର ଭୂମିଆଙ୍କୁ ଏବେ ଭୋଟ ପରିଚୟପତ୍ର ଅନୁଯାୟୀ ବୟସ ୮୩ ବର୍ଷ। କିନ୍ତୁ ଆଧାରରେ ଭୁଲବଶତଃ ୪୮ବର୍ଷ ଲେଖା ଯାଇଛି। ସେଭଳି ତାଙ୍କ ପତ୍ନୀ ତୁଳସା ଭୁମିଆଙ୍କ ଭୋଟ ପରିଚୟପତ୍ର ଅନୁଯାୟୀ ୬୯ ବର୍ଷ କିନ୍ତୁ ଆଧାରରେ ୫୩ବର୍ଷ ଲେଖା ଯାଇଛି। ଆଧାର କେନ୍ଦ୍ରକୁ ଏମାନେ ଏହାର ସଂଶୋଧନ ପାଇଁ ବାରମ୍ବାର ଯାଇ ଦିନ ତମାମ ଲାଇନରେ ଅପେକ୍ଷା କରିବା ପରେ କେନ୍ଦ୍ରରେ ଥିବା କର୍ମଚାରୀ ଜଣକ ଏମାନଙ୍କ ପ୍ରକୃତ ବୟସ ପ୍ରମାଣ ପତ୍ର ପାଇଁ ବିଦ୍ୟାଳୟ ପରିତ୍ୟାଗ ପ୍ରମାଣ ପତ୍ର କିମ୍ବା ପାନ କାର୍ଡ ମାଗିଥିବା କହିଛନ୍ତି ରୁକଧର।
ଦମ୍ପତି ବିଦ୍ୟାଳୟ କେବେ ଯାଇ ନଥିବା ବେଳେ ଗରିବ ଲୋକଙ୍କୁ ପ୍ୟାନ କାର୍ଡ କେଉଁଠାରୁ ଆସିବ। ତେବେ ଆଧାରକାର୍ଡ ନେଲେ ହିଁ ଭତ୍ତା ଓ ପକ୍କା ଘର ମିଳିପାରିବ ବୋଲି ପଞ୍ଚାୟତରେ ପିଇଓ, ଜିଆରଏସ୍ ଆଦି କହିବା ପରେ କେଉଁଠୁ ପ୍ରମାଣ ପତ୍ର ଆଣିବେ ବୋଲି ଚିନ୍ତାରେ ଅଛନ୍ତି ଦମ୍ପତ୍ତି। ବୃଦ୍ଧ ଦମ୍ପତି ବାରମ୍ବାର ବ୍ଲକ କାର୍ଯ୍ୟାଳୟ, ପଞ୍ଚାୟତ କାର୍ଯ୍ୟାଳୟ ଗୁହାରି କରିଥିଲେ ସୁଦ୍ଧା ଭତ୍ତା ବର୍ତମାନ ପର୍ଯ୍ୟନ୍ତ ମିଳି ପାରି ନାହିଁ। ଗୋଟିଏ ବୋଲି ପୁଅ ଅଛି ଯିଏ କି ଅତ୍ୟନ୍ତ ଶାରୀରିକ ଦୁର୍ବଳ। ଏମାନଙ୍କୁ ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ଜଣକ ପିଛା ୫କିଲୋ ଲେଖାଏଁ ଚାଉଳ ପାଉଛନ୍ତି। ଗ୍ରାମର କିଛି ବଦାନ୍ୟ ବ୍ୟକ୍ତି ଆର୍ଥିକ ସାହାଯ୍ୟ କଲେ ଘର ଚଳୁଛି ନୋହିଲେ ଭୋକ ଉପାସରେ ଚାଳ ଛପର ମାଟି ଘରେ ଦିନ କଟୁଛି। ପ୍ରଶାସନ ଏହି ବୃଦ୍ଧ ଦମ୍ପତ୍ତିଙ୍କ ଆଧାର ଜନିତ ସମସ୍ୟା ଦୂର କରି ଭତ୍ତା ପ୍ରଦାନ କରିବା ସହ ପକ୍କାଘର ଯୋଜନାରେ ସାମିଲ କଲେ ପ୍ରକୃତ ଯୋଗ୍ୟ ହିତାଧିକାରୀ ଉପକୃତ ହେବା ସହ ସାମ୍ବିଧାନିକ ମୌଳିକ ଅଧିକାର ପାଇପାରନ୍ତେ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।