ରାୟଗଡା: ଗରିବ ଆଦିବାସୀଙ୍କ ଥଇଥାନ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ରହଛି। କିନ୍ତୁ ରାୟଗଡା ଜିଲ୍ଲାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଜିଲ୍ଲା ସଦର ମହକୁମାରେ ରହୁଥିବା ବୃଦ୍ଧ ଦମ୍ପନ୍ତିଙ୍କ ନିକଟରେ ଆଜି ବି ପହଞ୍ଚି ପାରିନି ପ୍ରଧାନମନ୍ତ୍ରୀ ଆବାସ କିମ୍ବା ମୋ ଘର ଯୋଜନାରେ ଘର ଖଣ୍ଡିକ। ଯାହାଫଳରେ ଭଙ୍ଗା ଦଦରା କୁଡିଆ ତଳେ ନିଜ ଭାଗ୍ୟକୁ ଆଦରି ପଡି ରହିନ୍ତି ବୃଦ୍ଧ ଦମ୍ପତି। ଚାରି ଖଣ୍ତ କାଠ ଉପରେ ପଡିଛି କେଇ ଖଣ୍ଡ ଭଙ୍ଗା ଆଜବେଷ୍ଟ। ଚାରିପଟେ ଘେରାଯାଇଛି ଭଙ୍ଗା ଆଜବେଷ୍ଟ ଓ ଚିରାଫଟା ପୋଲିଥିନ ଜରି। ଝରକା କି କବାଟ ନାହିଁ। ସଞ୍ଜ ହେଲେ ସରିସୃପ ଘରେ ପଶି ଯାଉଛନ୍ତି। ଡିଭିଜନ ଅଫିସ ନିର୍ମାଣ ଲାଗି ଦୀର୍ଘ ୭ ଦଶନ୍ଧୀ ଧରି ରହି ଆସୁଥିବା ଘରକୁ ଭାଙ୍ଗିଦେଲେ ରେଳ କର୍ତ୍ତୃପକ୍ଷ। ରହିବାକୁ ଘର ଖଣ୍ଡିଏ ନାହିଁ। ପରିଣତ ବୟସରେ ବିସ୍ଥାପିତ ହୋଇ ବେସାହାରା ହୋଇ ପଡିନ୍ତି ଏହି ବୃଦ୍ଧ ଦମ୍ପତି। ମୁଣ୍ଡ ଗୁଞ୍ଜିବାକୁ ଅଳ୍ପ ଜାଗାରେ ଦୁହେଁ ଭଗବାନଙ୍କ ଭରସାରେ ପଡି ରହିଛନ୍ତି।
ଜୀବନ ଯୁଦ୍ଧରେ ସଂଘର୍ଷ କରି ଚାଲିଛନ୍ତି ବୃଦ୍ଧ ଦମ୍ପନ୍ତି ଦାଶ କଣ୍ଡାଗରି (୮୨) ଓ ତାଙ୍କ ପତ୍ନୀ ତୁଳସୀ କଣ୍ଡାଗରି (୭୨)ତାଙ୍କର କହିବା ଅନୁଯାୟୀ ଘର ଖଣ୍ଡିଏ ପାଇଁ ସେମାନେ ଦୀର୍ଘବର୍ଷ ହେଲା ସଂଘର୍ଷ ଜାରି କରି ଆସୁଛନ୍ତି। ଘର ଖଣ୍ଡିଏ ପାଇଁ ସେମାନେ ସାଂସଦ, ବିଧାୟକ, ଜିଲ୍ଲାପାଳ ଓ ବିଭାଗିୟ ଅଧିକାରୀଙ୍କ ନିକଟରେ ଗୁହାରି କରି ଆବଶ୍ୟକ କାଗଜପତ୍ର ଦେଇ ସାରିଛନ୍ତି। ହେଲେ ଘର ମିଳିବା ପରିବର୍ତ୍ତେ ଖାଲି ମିଳିଛି ପ୍ରତିଶୃତି। ଏହି ପ୍ରତିଶୃତି ଭିତରେ ଘର ସିନା ମିଳିଲା ନାହିଁ, ଥିବା ଘରକୁ ଭାଙ୍ଗିଦେଲେ ରେଳବିଭାଗ। ବର୍ତ୍ତମାନ ଘର ନଥିବାରୁ ବୃଦ୍ଧ ଦମ୍ପତି ସେଇ ଜାଗାରେ ଭାଗ୍ୟକୁ ଆଦରି ପଡି ରହଛିନ୍ତ। ଏହି ବୃଦ୍ଧ ବୟସରେ କୁଆଡେ ଯିବେ କିଛି ବୁଝି ପାରୁ ନାହାନ୍ତି।ଜୀବନର ଅପରାହ୍ନରେ ପହଞ୍ଚି ଦୁହେଁ ଦୁହିଁଙ୍କ ଦୁଃଖରେ ଦୁଃଖୀ ହୋଇ ବଞ୍ଚି ରହିଥିବା କହିଛନ୍ତି। ନିର୍ବାଚନ ବେଳେ ସମସ୍ତେ ଆସି ବିଭିନ୍ନ ପ୍ରକାର ପ୍ରତିଶୃତି ଦେଇଥିଲେ ହେଲେ ନିର୍ବାଚନ ପରେ କାହାରି ଦେଖା ନାହିଁ ବୋଲି ବୃଦ୍ଧ ଦମ୍ପନ୍ତି ଦ୍ୱୟ ଅଭିଯୋଗ କରିଛନ୍ତି। ଛୋଟ ବେଳୁ ବାପାଙ୍କ ସହ ଆସି ରାୟଗଡାରେ ବସବାସ କରୁଛନ୍ତି। ଯୁବ ବୟସରେ କୁଲି କାମକରି ଚଳି ଆସୁଥିଲେ।
/sambad/media/post_attachments/wp-content/uploads/2023/09/Rgda-old-couple-survive-in-kudia-2.jpg)
ବିବାହ ପରେ ପତ୍ନୀ, ଦୁଇ ପୁଅ ଓ ଗୋଟିଏ ଝିଅକୁ ନେଇ ତାଙ୍କ ସଂସାର ଥିଲା। ବୟସ ଥିବା ସମୟରେ ଶଗଡ ଗାଡି ଚଲାଇ ପରିବାର ଚଲାଇ ଆସୁଥିଲେ। ୨୨ ନମ୍ବର ଓାର୍ଡ ମେଡିକାଲ କଲୋନିରେ ଝାଟିମାଟି କୁଡିଆ କରି ରହି ଆସୁଥିଲେ। କିଛିବର୍ଷ ତଳେ କୌଣସି କାରଣ ବଶତଃ ବଡ ପୁଅର ମୃତ୍ୟୁ ହୋଇଗଲା।ବର୍ତମାନ ସାନ ପୁଅ କ୍ରିଷ୍ଣା କଣ୍ଡାଗରି ରୋଗରେ ପୀଡିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ। ପତ୍ନୀ ତୁଳସୀ ଲୋକଙ୍କ ଘରେ ଅଇଁଠା ବାସନ ମାଜି ଯାହା ରୋଜଗାର କରନ୍ତି ସେଥିରେ ପରିବାର ଚଳେ। ସ୍ୱାମୀ ଦାଶ କଣ୍ଡାଗରି ବୟସ ଅଧିକ ହୋଇ ଯାଇଥିବାରୁ ସେ କାମ କରିବା ପାଇଁ ସକ୍ଷମ ନୁହନ୍ତି। ସରକାରୀ ସହାୟତା କହିଲେ ମୁଣ୍ଡ ପିଛା ୫ କେଜି ପିଡିଏସ୍ ଚାଉଳ ଓ ୫ ଶହ ଟଙ୍କା ଭତ୍ତା ମିଳୁଛି। ରାୟଗଡା ପୌରପରିଷଦ ୨୨ ନମ୍ବର ଓାର୍ଡରେ ମତଦାନ ସାବ୍ୟସ୍ତ ଅଧିକାର ପାଇବା ସହ ଆଧାର କାର୍ଡ ମଧ୍ୟ ପାଇଛନ୍ତି। ଏନେଇ ରାୟଗଡା ପୌରପରିଷଦ ଅଧକ୍ଷ୍ୟ ମହେଶ ପଟନାୟକ କହିଛନ୍ତି ଯେ ଏହାର ତଦନ୍ତ କରିବେ ଯଦି ସେମାନେ ପାଇବା ପାଇଁ ଯୋଗ୍ୟ ତାଙ୍କୁ ଥଇଥାନ କରି ଘର ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି।