ଜଗତସିଂହପୁର: ବାର୍ଦ୍ଧକ୍ୟ ଆସିଲେ ପୁଅ ବୋହୂଙ୍କର ସାହାରା ଲୋଡ଼ା ପଡ଼େ। ନାତି-ନାତୁଣୀଙ୍କ କୋଳାହଳରେ ସମୟ ବିତାଇବାକୁ ଇଚ୍ଛା ହୁଏ। ସେଥିପାଇଁ ବାପା-ମାଆ ପୁଅଟିଏ ପାଇଁ କେତେ ଦିଅଁ ଦେବତାଙ୍କୁ ଡାକନ୍ତି। ମାତ୍ର ସେହି ପୁଅ, ବୁଢ଼ା ବାପା ମା’ଙ୍କ ଦୁଃଖ ଦୂର କରିବା ତ ଦୂରରେ ଥାଉ, ବୟସର ଅପରାହ୍ଣରେ ସେମାନଙ୍କୁ ଓଲଟା ଅତ୍ୟାଚାର କରୁଥିବା ଅଭିଯୋଗ ହୋଇଛି। କୁଜଙ୍ଗ ବ୍ଲକ୍ ପାଟପୁର ଗାଁରୁ ଏଭଳି ଅଭାଭନୀୟ ଚିତ୍ର ସାମ୍ନାକୁ ଆସିଛି। ଏଣୁ ଭଗବାନଙ୍କୁ ଡାକିବା ଛଡ଼ା ବୃଦ୍ଧ ଦମ୍ପତିଙ୍କ ପାଖରେ ଆଉ କୌଣସି ରାସ୍ତା ନାହିଁ। ବାଧ୍ୟ ହୋଇ ପାଟପୁର ଗାଁର ୮୫ ବର୍ଷର ବୃଦ୍ଧ ବିନ ଦାଶ ଓ ପତ୍ନୀ ୮୦ ବର୍ଷର ବୃଦ୍ଧା ସୁର ଦାଶ କୁଜଙ୍ଗ ଥାନାର ଦ୍ବାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଛନ୍ତି। ବର୍ତ୍ତମାନ ଏହି ଦୁଇ ଜଣଙ୍କ ଭାଗ୍ୟ ଭବିଷ୍ୟତ ଏକପ୍ରକାର ଅନ୍ଧାର ମଧ୍ୟକୁ ଠେଲି ହୋଇଯାଇଛି। ସୁରଙ୍କ ଅଭିଯୋଗ ମୁତାବକ, ଏକମାତ୍ର ପୁଅ ସେମାନଙ୍କୁ ଦୀର୍ଘ ଦିନ ହେବ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଆସୁଛି।
ଏ ସମ୍ପର୍କରେ ବୃଦ୍ଧ ଦମ୍ପତି ଅନେକଥର ମୁରବି ଓ ସମ୍ପର୍କୀୟଙ୍କୁ ଏକାଠି କରାଇ ନ୍ୟାୟ ନିଶାପ କଲେ ମଧ୍ୟ କୌଣସି ଫଳ ମିଳୁନି। ଗତ ଦୁଇ ଦିନ ପୂର୍ବେ ପୁଅର ଅତ୍ୟାଚାର ଚରମ ସୀମାରେ ପହଞ୍ଚି ଥିଲା। ବୃଦ୍ଧ ବାପା-ମାଆଙ୍କୁ ଖାଇବାକୁ ନ ଦେବା ସହିତ ମାଡ଼ ମାରି ଘରୁ ବାହାର କରି ଦେଇଥିଲା। ଫଳରେ ଅନ୍ୟ ଉପାୟ ନ ପାଇ ଏହି ଦୁଇ ଜଣ ବ୍ୟାସ ଫାଉଣ୍ଡେସନ୍ ଅଧ୍ୟକ୍ଷା ସ୍ନେହମୟୀ ଆଚାର୍ଯ୍ୟଙ୍କୁ ଯୋଗାଯୋଗ କରିଥିଲେ। ଶ୍ରୀମତୀ ଆଚାର୍ଯ୍ୟ ଘଟଣା ସମ୍ପର୍କରେ ଅବଗତ ହେବା ପରେ ଫାଉଣ୍ଡେସନର ବରିଷ୍ଠ ସଭ୍ୟ ବିଜୟ କୁମାର ବିଶ୍ବାଳ, ଟାଇଟସ୍ ପଣ୍ଡା, ଉପ-ସଭାପତି ରଶ୍ମିତା ନାୟକଙ୍କ ସହ ଅସହାୟ ଦମ୍ପତିଙ୍କୁ ନ୍ୟାୟ ଦେବା ପାଇଁ କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏହି ଅଭିଯୋଗ ଆଧାରରେ ସୁରଙ୍କ ପୁଅକୁ ଥାନାକୁ ଡକାଇ ଆପୋସ ବୁଝାମଣା କରିବା ପାଇଁ ପ୍ରୟାସ କରିବ। ନଚେତ ଏହି ମାମଲାରେ ଆଇନ ଅନୁଯାୟୀ ପୁଲିସ ପଦକ୍ଷେପ ଗ୍ରହଣ କରିବ ବୋଲି ଶ୍ରୀମତି ଆଚାର୍ଯ୍ୟ କହିଛନ୍ତି। ଆବଶ୍ୟକ ପଡ଼ିଲେ ଏହି ଅସହାୟ ଦମ୍ପତିଙ୍କୁ ଜରାଶ୍ରମରେ ଛଡ଼ାଯିବ ବୋଲି ସେ କହିଛନ୍ତି। କିଛିଦିନ ପୂର୍ବେ ଜଣେ ଅବସରପ୍ରାପ୍ତ ହୋମ୍ଗାର୍ଡଙ୍କୁ ତାଙ୍କ ପିଲାମାନେ ନିର୍ଯାତନା ଦେଉଥିବା ପାରାଦୀପ ଆଦର୍ଶ ଥାନାରେ ଅଭିଯୋଗ କରିଥିଲେ। ବର୍ତ୍ତମାନ ସୁରଙ୍କର ଏହି ଅଭିଯୋଗ ପରେ ଏହି ଘଟଣାକୁ ନେଇ ଅଞ୍ଚଳରେ ନାନା ଚର୍ଚ୍ଚା ହେଉଛି।