୮୦ ବୟସର ସୁବର୍ଣ୍ଣ ଭତ୍ତା ପାଇବା ପାଇଁ ଯୋଗ୍ୟ, ହେଲେ ମିଳୁନି

ପୂର୍ବରୁ ତାଲିକାରେ ସଂଯୋଗ କଲେନି, ଏବେ ଆଧାର ଲିଙ୍କର ବାହାନା

ଜୟପୁର: ବହୁ ବୃଦ୍ଧ, ବୃଦ୍ଧା, ବିଧବା, ଦିବ୍ୟାଙ୍ଗ ଆଦି ଭତ୍ତା ପାଇବା ପାଇଁ ଯୋଗ୍ୟ। ତେବେ ବହୁ ବର୍ଷ ଧରି ସରକାରୀ ବାବୁ ,ବାବୁଆଣୀ, ରାଜନୈତିକ ନେତାଙ୍କ ଖାମଖିଆଲି, ଇଛାଶକ୍ତି ଅଭାବରୁ ଯୋଗ୍ୟ ହିତାଧିକାରୀମାନେ ଏଥିରୁ ବଂଚିତ। କେନ୍ଦ୍ର ଓ ରାଜ୍ୟ ସରକାର ଏଭଳି ସବୁ ଯୋଗ୍ୟ ହିତାଧିକାରୀଙ୍କୁ ତୁରନ୍ତ ଭତ୍ତା ଦିଆଯାଉ ବୋଲି କହୁଥିଲେ ହେଁ ଏମାନଙ୍କୁ ବିଭିନ୍ନ ବାହାନାରେ ସାମିଲ କରାଯାଇନି। ଏପରିକି ବହୁ ହିତାଧିକାରୀ ବାରମ୍ବାର ପଂଚାୟତକାର୍ଯ୍ୟାଳୟ, ବ୍ଲକ କାର୍ଯ୍ୟାଳୟ, ସରପଂଚ, ଗାଁର କୁଜି ନେତା, ୱାର୍ଡ ସଭ୍ୟ ଆଦିଙ୍କ ଘରକୁ ଘୁରି ବୁଲିବା ପରେ ବି ସାମିଲ ହୋଇ ପାରିନାହାନ୍ତି। ଏମାନଙ୍କୁ ପୂର୍ବରୁ ଭତ୍ତା ତଥା ଅନ୍ୟାନ୍ୟ ସରକାରୀ ଯୋଜନାରେ ସାମିଲ କରାଯାଇ ନଥିଲା। ଏବେ ଅଧାରକାର୍ଡ ଲିଙ୍କ ବାହାନାରେ ସାମିଲ କରାଯାଉନି। ଏପରିକି ସରକାରୀ ବାବୁ ମାନେ ହିତାଧିକାରୀ ମାନେ ଭତ୍ତା, ପ୍ରଧାନମନ୍ତ୍ରୀ ଆବସ ଯୋଜନା ଘର , ଚାଉଳ ଆଦି ପାଇବା ପାଇଁ ଯୋଗ୍ୟ ବୋଲି କହୁଥିଲେ ହେଁ ଏବେ ଆଧାରକାର୍ଡ ନଥିଲେ ହୋଇ ପାରିବ ନି ବୋଲି କହୁଛନ୍ତି।

ବୟସାଧିକ ବହୁ ବୃଦ୍ଧ ଓ ବୃଦ୍ଧାଙ୍କର ଅଧାରକାର୍ଡରେ ବ୍ୟାପକ ତ୍ରୁଟି ରହିଛି ଓ କିଛି ଜଣଙ୍କର ଆଧାରକାର୍ଡ ନାହିଁ। ନୂଆ ଆଧାର କାର୍ଡ କରିବା ସମୟ ହୋଇ ପାରୁନି। ଏପରି ଜଣେ ୮୦ବର୍ଷ ବୟସ୍କା ବୃଦ୍ଧା ହେଉଛନ୍ତି ଜାମୁଣ୍ଡା ପଂଚାୟତର ବରିଗୁଡା ଗାଁର ସୁବର୍ଣ୍ଣ ଗାଧବା। ସ୍ବାମୀ ମରିବାର ଦୀର୍ଘ ବହୁ ବର୍ଷ ହେଲାଣି। ବିଧବା ଭତ୍ତା ତାଙ୍କୁ ମିଳି ନଥିଲା। ବୃଦ୍ଧା ହେବା ପରେ ଏହି ଭତ୍ତା ବି ମିଳିନି। ବାରମ୍ବାର ପଂଚାୟତ କାର୍ଯ୍ୟାଳୟକୁ ଦଉଡି ଦଉଡି ହାଲିଆ ହେବା ପରେ ବି ତାଙ୍କୁ ମିଳି ନଥିଲା। ସରକାରୀ ଯୋଜନାରେ କେବଳ ଅନ୍ନପୁର୍ଣ୍ଣା ଯୋଜନାରେ ଗତ ମାସକ ହେବ ସାମିଲ କରାଯାଇଥିବା ବେଳେ ୧୦କିଲୋ ଚାଉଳ ଗୋଟିଏ ମାସର ମିଳିଛି।

ଚାଳ ଛପର ଘରେ ସେଭଳି ବୃଦ୍ଧା ଜଣକ ପଡ଼ି ରହିଛନ୍ତି। ଅଣ୍ଟା ପଡିଗଲାଣି। ଆଖିକୁ ସାମାନ୍ୟ କମ୍ ଦିଶୁଛି।   ଓଳିଏ ଖାଇଲେ ଓଳିଏ ଉପବାସରେ ରହୁଥିବା କହିଛନ୍ତି ସୁବର୍ଣ୍ଣ। ଅଧାର କାର୍ଡ ନଥିବାରୁ ଭତ୍ତା ମିଳୁନି ବୋଲି କହିଛନ୍ତି ପଂଚାୟତ ସଂପ୍ରସାରଣ ଅଧିକାରୀ। ଅଧାରକାର୍ଡ ସଂଯୋଗ ନଥିଲେ ଭତ୍ତା ହିଁ ନୁହେଁ ଆଗାମୀ ଦିନରେ ଚାଉଳ ବି ମିଳିବା ମୁସ୍କିଲ ବୋଲି କହିଛନ୍ତି ବିଡିଓ ସୂରଜ ପଟ୍ଟନାୟକ।

ସରକାର ଆଧାରସଂଯୋଗ ନ କରିଲେ ହିତାଧିକାରୀଙ୍କୁ କିଛି ବି ସହାୟତା ଦେବାକୁ ମନା କରିଥିବା କହିଛନ୍ତି ବିଡିଓ ଶ୍ରୀ ପଟ୍ଟନାୟକ। ଏପରି ବହୁ ବୟସ୍କ ବୃଦ୍ଧ ଓ ବୃଦ୍ଧାଙ୍କ ଆଧାର ସଂଯୋଗ ନ ହୋଇ ପାରିଲେ କଟିବା ସମ୍ଭାବନାକୁ ଏଡାଇ ହେବ ନି ବୋଲି କହିଛନ୍ତି ବିଡିଓ ଶ୍ରୀ ପଟ୍ଟନାୟକ। ତେବେ ଏଭଳି ନିୟମ ଆସିବା ପୂର୍ବରୁ ସରକାରୀ ବାବୁମାନେ ସୁବର୍ଣ୍ଣର ଦୁଃଖକୁ କିଭଳି ବୁଝି ପାରିଲେ ନାହିଁ ତାହାକୁ ନେଇ ସାଧାରଣରେ ପ୍ରଶ୍ନ।

ସମ୍ବନ୍ଧିତ ଖବର