କିଶନନଗର: ପକ୍ଷାଘାତରେ ଆକ୍ରାନ୍ତ ହୋଇଥିବା କିଶନନଗର ଥାନା ପୁରୁଣାହାଟ କୂଳସମିତଙ୍ଗା ଗ୍ରାମର ସ୍ବର୍ଗତ ମହେଶ୍ବର ବେହେରାଙ୍କ ପତ୍ନୀ ଧଡ଼ି ଦେଈ (୭୭)ଙ୍କୁ ଗୁହାଳରେ ପକାଇ ୩ପୁଅ ଓ ବୋହୂ ଛାଡ଼ି ଚାଲି ଯାଇଥିବା ଅଭିଯୋଗ ହୋଇଛି। ୨୦ଦିନ ଧରି ଖରାବର୍ଷାରେ ପଡ଼ି ରହିଥିବା ବୃଦ୍ଧାଙ୍କୁ ପଡ଼ୋଶୀମାନେ ବାରଣ୍ଡାକୁ ଆଣି ଖାଇବାକୁ ଦି’ ମୁଠା ଦେଇ ବଞ୍ଚାଇ ରଖିଥିବା ଜଣାଯାଇଛି। ଏ ନେଇ ବୃଦ୍ଧାଙ୍କ ପକ୍ଷରୁ ଗତ ୨୮ ତାରିଖ କିଶନନଗର ପୁଲିସ ନିକଟରେ ଗୁହାରି କରାଯାଇଛି। ଘରେ ରହିବା ସହ ଖାଦ୍ୟପେୟର ବ୍ୟବସ୍ଥା କରିବା ପାଇଁ ବୃଦ୍ଧାଜଣକ ଆକୁଳ ନିବେଦନ କରିଛନ୍ତି। ହେଲେ, ୫ ଦିନ ପରେ ବି ତାଙ୍କୁ ନ୍ୟାୟ ମିଳିପାରି ନାହିଁ। ସୂଚନା ମୁତାବକ, କୂଳସମିତଙ୍ଗା ଗ୍ରାମର ଧଡ଼ି ଦେଈ ୮ ମାସ ହେବ ପକ୍ଷାଘାତରେ ଆକ୍ରାନ୍ତ ହୋଇଛନ୍ତି। ପୁଅମାନେ ଭାଗବାଣ୍ଟ କରି ତାଙ୍କର ସେବା କରୁଥିଲେ। ହଠାତ୍ ପୁଅମାନେ ମା’ଙ୍କୁ ଗୁହାଳରେ ପକାଇ ଦେବା ସହ ନିଜ ନିଜ ବଖରାରେ ତାଲା ପକାଇ ପତ୍ନୀଙ୍କ ସହ ପଳାଇ ଯାଇଥିଲେ।
ବଡ଼ ଦୁଇପୁଅ କଟକରେ ଘରଭଡ଼ା ନେଇ ରହୁଥିଲା ବେଳେ ସାନପୁଅ ଶ୍ୱଶୁର ଘରକୁ ଚାଲି ଯାଇଥିବା ଜଣାପଡ଼ିଛି। ବୃଦ୍ଧାଜଣକ ଏଭଳି ଅବସ୍ଥାରେ ପଡ଼ିଥିବା ଦେଖି ପଡ଼ୋଶୀମାନେ ତାଙ୍କୁ ଉଠାଇ ଘର ବାରଣ୍ଡାକୁ ନେଇ ଆସିଥିଲେ। ଖବର ପାଇ ଏକମାତ୍ର ଜ୍ବାଇଁ ଗତ ୨୨ ତାରିଖ ସମିତଙ୍ଗାରେ ପହଞ୍ଚି ଶାଶୂଙ୍କ ଅବସ୍ଥା ଦେଖିଥିଲେ। ପରେ ସେ କିଶନନଗର ପୁଲିସ ନିକଟରେ ଶାଶୂଙ୍କ ତରଫରୁ ଲିଖିତ ଅଭିଯୋଗ କରିଥିଲେ। ହେଲେ, ଆଜିଯାଏ ସୁଫଳ ମିଳି ନ ଥିବାରୁ ୭୭ ବର୍ଷ ବୟସରେ ଖରାବର୍ଷା ସହି ବିନା ସେବାରେ ବୃଦ୍ଧାଜଣକ ପର ହାତଟେକାରେ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି। ପୁଲିସ ଓ ପ୍ରଶାସନ ତୁରନ୍ତ ଏଥିରେ ହସ୍ତକ୍ଷେପ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।