୨୫ ଦିନ ପରେ ପୁଣି ଲେଉଟିଲା ତାଲିବାନୀ ‘ମାନବବାଦୀ ସଂଗଠନ’ର କହର, ସଂଗଠନରେ ନ ମିଶିବାରୁ ବୃଦ୍ଧ ଓ ତାଙ୍କ ପୁଅଙ୍କୁ ନିସ୍ତୁକ ମାଡ଼

ଖୋର୍ଦ୍ଧା: ଚଳିତମାସ ୨ ତାରିଖ ରାତିରେ ବେଗୁନିଆ ବ୍ଲକ ଅଭିମାନପୁର (ମାନପୁର)ରେ ସତ୍ୟବାଦୀ ନାୟକ ନାମକ ଜଣେ ଆଦିବାସୀ ଯୁବକଙ୍କୁ କଙ୍ଗାରୁ କୋର୍ଟରେ ନିଷ୍ପତ୍ତି ହେବା ପରେ ମାଡ଼ ମାରି ହତ୍ୟା କରି ପୋଡ଼ି ଦେବା ଘଟଣାରେ ପୁଲିସ ୭ଜଣଙ୍କୁ ଗିରଫ କରିଥିଲା। ଏହାର ୨୫ ଦିନ ପରେ ଆଜି ପୁଣି ସେହି ଗାଁର ଏକ ଅତି ଅମାନବୀୟ ଘଟଣାର ଭିଡ଼ିଓ ଭାଇରାଲ୍ ହୋଇଛି। କ୍ରମାଗତ ଭାବେ ଉକ୍ତ ଅଂଚଳରେ ‘ମାନବବାଦୀ ସଂଗଠନ’ ଏଭଳି ବର୍ବର କାଣ୍ଡ କରି ଚାଲିଥିବାବେଳେ ପୁଲିସର ନିରବତା ଘଟଣାକୁ ଆହୁରି ରହସ୍ୟମୟ କରିଛି। ଏକ ୨ମିନିଟ ୩୦ ସେକେଣ୍ଡର ଭିଡ଼ିଓ ଭାଇରାଲ୍ ହୋଇଛି।

ଏଥିରେ ଏକ ପ୍ରକୋଷ୍ଠରେ ଜଣେ ୬୦-୬୫ ବର୍ଷୀୟ ବୃଦ୍ଧ ଓ ତାଙ୍କ ପୁଅକୁ ଉଲଗ୍ନ କରି ୭-୮ଜଣ ନିସ୍ତୁକ ମାଡ଼ ମାରୁଥିବା ଦେଖିବାକୁ ମିଳିଛି। ଭିଡ଼ିଓ ସମ୍ପର୍କରେ ଅନୁସନ୍ଧାନ କରିବାରୁ ଜଣାପଡ଼ିଛି ଯେ ଉକ୍ତ ଭିଡ଼ିଓଟି ମାନପୁର ଅଞ୍ଚଳ ଏବଂ ଏହା ୪୦-୪୫ ଦିନର ପୁରୁଣା ଭିଡ଼ିଓ। ଏହାପରେ ପୀଡ଼ିତଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲା। ମାଡ଼ ଖାଇଥିବା ବୃଦ୍ଧ ମାଗୁଣୀ ନାୟକ ସହ ଯୋଗାଯୋଗ କରାଯାଇଥିଲା। ସେ ଏହି ଘଟଣାର ସଠିକ ତାରିଖ ମନେ ପକାଇ ପାରିନଥିଲେ।

ତେବେ ତାଙ୍କ କହିବାନୁଯାୟୀ, ମାନବବାଦୀ ସଂଗଠନର ସଦସ୍ୟ ମାନେ ତାଙ୍କୁ ଓ ତାଙ୍କ ପୁଅଙ୍କୁ ପ୍ରାୟ ସକାଳ ୧୦ଟାରେ କୋଠଘରକୁ ଡାକି ନେଇଥିଲେ। ‌ସେଠାରେ ୧୦-୧୨ଜଣ ଯୁବକ ରହିଥିଲେ। ପ୍ରଥମେ ସେମାନଙ୍କୁ ପିନ୍ଧିଥିବା ପୋଷାକ ଦେହରୁ ଓହ୍ଲାଇ ଅ‌ାଣ୍ଠେଇ ବସିବାକୁ କହିଥିଲେ। ତା’ପରେ ସଂଗଠନ ବିରୋଧରେ କାମ କରୁଛୁ ବୋଲି କହି ନିସ୍ତୁକ ପିଟିବାକୁ ଲାଗିଥିଲେ। ପ୍ରତିବାଦ କିମ୍ବା କିଛି କହିବାର ସୁଯୋଗ ମଧ୍ୟ ଦେଇ ନଥିଲେ। ସେମାନେ କହୁଥିଲେ, ତୁମ ମାନଙ୍କୁ ଏଠାରେ ମାରି ପକାଇ ଦେଲେ ମଧ୍ୟ କେହି ଆମର କିଛି କରିପାରିବେ ନାହିଁ।

ତେବେ ଏନେଇ କାହିଁକି ପୁଲିସକୁ ଅଭିଯୋଗ କଲ ନାହିଁ ବୋଲି ପଚାରିବାରୁ ସେ କହିଥିଲେ ଯେ ସଂଗଠନ କଥାରେ ପଡ଼ି କିଛି ମାସ ପୂର୍ବେ ଏକ ଗଣ୍ଡଗୋଳରେ ଜଡ଼ିତ ହୋଇଥିଲେ। ଏହି ଘଟଣାରେ ଥାନାରେ ତାଙ୍କ ବିରୋଧରେ ଏକ ମାମଲା ମଧ୍ୟ ରହିଛି। ଏଣୁ ସେ ଭୟରେ ପୁଣି ପୁଲିସ ପାଖକୁ ଗଲେ ନାହିଁ। ତେବେ ସଂଗଠନର ମୁଖ୍ୟ ମାନସ ଦାସ ପୁଲିସକୁ ହାତ କରିଥିବାରୁ ସଂଗଠନ ବିରୋଧରେ କୌଣସି ପଦକ୍ଷେପ ହେଉ ନାହିଁ ବୋଲି ସେ କହିଛନ୍ତି। ବର୍ତ୍ତମାନ ସେଇ ଘଟଣା ପ୍ରଘଟ ହୋଇଥିବାରୁ ତାଙ୍କ ପରିବାରର ଜୀବନ ପ୍ରତି ବିପଦ ରହିଛି ବୋଲି କହିବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ତାଙ୍କୁ ସୁରକ୍ଷା ଦେବାକୁ ଅନୁରୋଧ କରିଛନ୍ତି।

ଅପରପକ୍ଷରେ ଏନେଇ ଗ୍ରାମାଞ୍ଚଳ ଏସ୍‌ପି ରାଜ କିଶୋର ଦୋରାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ସଂଗଠନ ବିରୋଧରେ କିମ୍ବା ଏହି ଆକ୍ରମଣ ଘଟଣାରେ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନାହିଁ। ତେବେ ଘଟଣାର ତଦନ୍ତ କରି ପଦକ୍ଷେପ ନିଆଯିବ। ଦୋଷୀଙ୍କୁ ଘଣ୍ଟ ଘୋଡ଼ାଉଛି ପୁଲିସ (ଫାଇଲ୍ ଫଟୋ- ୨୦୧୦ ଘଟଣାର) ବର୍ତ୍ତମାନ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠୁଛି, ୨ ତାରିଖରେ ସତ୍ୟବ୍ରତ ନାୟକଙ୍କୁ ହତ୍ୟା ଓ ପୋଡ଼ି ଘଟଣାରେ ଆଇନଜୀବୀ ତଥା ସଂଗଠନର ମୁଖ୍ୟ ମାନସ ଦାସଙ୍କ ସମ୍ପୃକ୍ତି ବିଷୟରେ ଅଭିଯୋଗ ହୋଇଥିଲା।

Sambad

କିନ୍ତୁ ପରବର୍ତ୍ତୀ ସମୟରେ ଅଭିଯୋଗରୁ ତାଙ୍କ ନାମ ଆଶ୍ଚର୍ଯ୍ୟଜନକ ଭାବେ ହଟିଯିବା ସହ ପୁଲିସ ସ୍ଥାନୀୟ ନେତା ତଥା ପିପିଲି ବିଧାନସଭା ଉପନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ହୋଇଥିବା ସ୍ୱପ୍ନେଶ୍ୱର ନାୟକ ଓ ସଂଗଠନର ଅନ୍ୟ ୬ ଜଣ ଧରାପଡ଼ିଥିଲେ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଥିବା ବେଳେ ଏକାଧିକ ସଂଗଠନ ପକ୍ଷରୁ ଏସ୍‌ପିଙ୍କୁ ମାନବବାଦୀ ସଂଗଠନ ଓ ଏହାର ନେତା ମାନସ ଦାସଙ୍କ ବିରୋଧରେ ଲିଖିତ ଭାବେ ଅଭିଯୋଗ କରାଯାଇଥିଲା।

ସଂଗଠନର କାମ ସନ୍ଦିଗ୍ଧ ରହିଥିବାରୁ ଏନେଇ ତଦନ୍ତ କରିବାକୁ ଦାବି କରାଯାଇଥିଲା। ସେହି ସମୟରେ ଏସ୍‌ପି କହିଥିଲେ ଯେ ସଂଗଠନ ସମ୍ପର୍କରେ ତଦନ୍ତ କରିବା ପୁଲିସର କାମ ନୁହେଁ। କେବଳ ଏହାନୁହେଁ, ୨୦୧୦ରେ ଚୁଡ଼ିପାଳଙ୍ଗ ଗାଁରେ ଗଣେଶ ପୂଜା ସମୟରେ ଉକ୍ତ ସଂଗଠନର ସଦସ୍ୟ ମାନେ ଆସି ସେହି ଗାଁର ଆଦିବାସୀ ମାନେ କରିଥିବା ଗଣେଶ ପୂଜା ମଣ୍ଡପ ଭଙ୍ଗାରୁଜା କରିବା ସହ ଆଦିବାସୀଙ୍କୁ ଆକ୍ରମଣ କରିଥିଲେ। ଏଥିରେ ଚୁଡ଼ିପାଳଙ୍ଗ ଗାଁର ଅନେକ ଆହତ ହୋଇଥିଲେ। ଏହି ଘଟଣାରେ ତତ୍କାଳୀନ ବାଘମାରୀ ଫାଣ୍ଡିରେ ସଂଗଠନ ବିରୋଧରେ ମାମଲା ରୁଜୁ ହେବାସହ ଅନେକଙ୍କୁ ଗିରଫ କରାଯାଇଥିଲା।

ପରବର୍ତ୍ତୀ ସମୟରେ, ସଂଗଠନର ସଦସ୍ୟ ମାନେ ସେହି ଗାଁର ନାମ ‘ଚୁଡ଼ିପାଳଙ୍ଗ’କୁ ବଦଳାଇ ମନରେଗା କାର୍ଯ୍ୟର ଫଳକରେ ଏକ ଅସଭ୍ୟମାନ ଲେଖିବାକୁ କେନ୍ଦ୍ର କରି ଉତ୍ତେଜନା ପ୍ରକାଶ ପାଇଥିଲା। ସଂଗଠନ ଓ ଏହାର ମୁଖିଆ ମାନସ ଦାସ ବିରୋଧରେ ଏଭଳି ଏକାଧିକ ଅଭିଯୋଗ ରହିଥିଲେ ମଧ୍ୟ ପୁଲିସ କିମ୍ବା ପ୍ରଶାସନ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ସାଧାରଣରେ ଆଶ୍ଚର୍ଯ୍ୟ ସୃଷ୍ଟି ହୋଇଛି। ମାନସ ଦାସ ପଛରେ କୌଣସି କ୍ଷମତାଶାଳୀ ରାଜନୈତିକ ଦଳ ଓ ନେତାର ପୃଷ୍ଠପୋଷକ ରହିଥିବାରୁ ପୁଲିସ ସେମାନଙ୍କ ବିରୋଧରେ କୌଣସି ପଦକ୍ଷେପ ନେଉନାହିଁ ବୋଲି ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର