ମଦଭାଟି ଗୁଣ୍ଡାଙ୍କ ଅବକାରୀ ଚଢ଼ଉ, ବୃଦ୍ଧଙ୍କୁ ମାଡ଼

ସୁନ୍ଦରଗଡ଼: ବେଆଇନ ଚୋରା ମଦ ଧରିବାକୁ ଅବକାରୀ ବିଭାଗ ଓ ପୁଲିସ ବିଭିନ୍ନ ସମୟରେ ଚଢ଼ଉ କରିଥିବା ଦେଖାଯାଏ । କିନ୍ତୁ ସୁନ୍ଦରଗଡ଼ରେ ଅବକାରୀ ଟିମ୍ ବ୍ୟତୀତ ମଦଭାଟିର ଗୁଣ୍ଡାବାହିନୀ ମଧ୍ୟ ଅବକାରୀ ଚଢ଼ଉ କରି ମଦ ଜବତ କରନ୍ତି। ଏପରିକି ଅଭିଯୁକ୍ତଙ୍କୁ ମାଡ଼ପିଟ କରୁଥିବାର ସଂଗୀନ ଅଭିଯୋଗ ମଧ୍ୟ ରହିଛି। ଆଜି ଏମିତି ଏକ ଅଭିଯୋଗରେ ମଦଭାଟିର ଗୁଣ୍ଡା ଜଣେ ନିରୀହ ବୃଦ୍ଧଙ୍କୁ ମାଡ଼ ମାରି ଆହତ କରିଛନ୍ତି। ଅଭିଯୋଗ ଆସିଛି ଟାଉନଥାନା ଲୁହୁରାଢିପାରୁ। ଏନେଇ ଆହତ ବ୍ୟକ୍ତି ଟାଉନଥାନାରେ ଏତଲା ଦେଇଛନ୍ତି।

ଲୁହୁରାଢିପାର ଫୁଲେଶ୍ବର ରୋହିଦାସ କୁଲିମଜୁରି କରି ପରିବାର ପ୍ରତିପୋଷଣ କରନ୍ତି। ଆଜି ସକାଳ ୭ଟାରେ ୧୦ରୁ ୧୨ ଜଣ ବ୍ୟକ୍ତି ଏକ ବଲେରୋରେ ଆସି ତାଙ୍କ ଘରକୁ ପଶି ମଦ କେଉଁଠି ରଖିଛୁ ବୋଲି ପଚାରିଥିଲେ। ଫୁଲେଶ୍ବର ମଦ ବିକ୍ରି କରେନି ବୋଲି କହିଥିଲେ ମଧ୍ୟ ସେମାନେ ନ ମାନି ଘରେ ଖୋଜିଥିଲେ। ମଦ ନମିଳିବାରୁ ବାଡ଼ିରେ ପିଟିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ମାଡ଼ ଖାଇ ଫୁଲେଶ୍ବର ଚିତ୍କାର କରିବାରୁ ପଡ଼ା ଲୋକେ ଘଟଣାସ୍ଥଳକୁ ଚାଲି ଆସିବାରେ ସେମାନେ ତରବର ହୋଇ ପଳାଇ ଯାଇଥିଲେ। ଦେଶୀ ମଦଭାଟିର ଗୁଣ୍ଡା ଏପରି କରିଥିବା ସେ ଏତଲାରେ ଉଲ୍ଲେଖ କରି ତୁରନ୍ତ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଘଟଣାଟି ସହରରେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର