କେନାଲରେ ଗାଧୋଇଥିବା ବେଳେ ଗୋଡ଼ ଖସି ବୃଦ୍ଧ ମୃତ, ପୋଖରୀରେ ବୁଡ଼ି କଲେଜ ଛାତ୍ରଙ୍କ ମୃତ୍ୟୁ

ନୂଆପଡ଼ା/ବାଲିଅନ୍ତା: ଖଡ଼ିଆଳ ଥାନା ଭୁଲିଆଁସିକୁଆଁ ଗ୍ରାମର ଜଣେ ବୃଦ୍ଧ ଗାଧୋଇବାକୁ ଯାଇ ଯାଇଥିବା ବେଳେ କେନାଲରେ ପଡ଼ି ମୃତ୍ୟୁବରଣ କରିଛନ୍ତି। ସୂଚାନା ମତେ ଶୁକ୍ରବାର ଭୁଲିଆଁସିକୁଆଁ ଗ୍ରାମର ଅର୍ଜୁନ ମେହେର  (୮୦) ଲୋୟର ଇନ୍ଦ୍ର ବାମ ମୁଖ୍ୟ କେନାଲକୁ ଗାଧୋଇବାକୁ ଯାଇଥିଲେ। ହେଲେ ଗାଧୋଇବା ସମୟରେ ତାଙ୍କର ଗୋଡ଼ ଖସି ଯାଇଥିଲା। ପରିବାର ଲୋକେ ବୃଦ୍ଧଙ୍କୁ ଖୋଜା ଖୋଜି କଲାପରେ ମଧ୍ୟ ପାଇନଥିଲେ। ପରେ ବାମ ମୁଖ୍ୟ କେନାଲରେ ଶବ ଭାସୁଥିବା ଖବର ମିଳିଥିଲା। ମୃତଦେହ ଅର୍ଜ୍ଜୁନ ମେହେରଙ୍କ ବୋଲି ଜଣାପଡ଼ିବା ପରେ ଖଡ଼ିଆଳ ପୁଲିସକୁୁ ଖବର ଦିଆଯାଇଥିଲା। ଖଡ଼ିଆଳ ଆଇଆଇସି କୈଳାସ ଚନ୍ଦ୍ର ସେଠୀ, ସବ୍‌ଇନ୍ସପେକ୍ଟର ସୁନିତା ବେହେରାଙ୍କୁ ଘଟଣାସ୍ଥଳକୁ ତଦନ୍ତ ଅଫିସର ଭାବେ ପଠାଇଥିଲେ। ମୃତ ଅର୍ଜୁନ ମେହେରଙ୍କ ଶବକୁ କେନାଲରୁ ଉଦ୍ଧାର କରି ବ୍ୟବଚ୍ଛେଦ କଲା ପରେ ପରିବାରଙ୍କୁ ହସ୍ତାନ୍ତର କରାଯାଇଛି। ଖଡ଼ିଆଳ ଥାନାରେ ଏନେଇ ଏକ ମାମଲା ରୁଜ୍ଜୁ କରାଯାଇ ଥିବା ଆଇଆଇସି ଶ୍ରୀ ସେଠି ପ୍ରକାଶ କରିଛନ୍ତି।

ବାଲିପାଟଣା ଥାନା ଅନ୍ତର୍ଗତ ବିଶୁନିଆପଡ଼ା ଗ୍ରାମରେ ଆଜି ପୂର୍ବାହ୍ନରେ ଏକ ଦୁଃଖଦ ଘଟଣା ଘଟିଛି। ସାଥୀ ପିଲାଙ୍କ ସହ ପୋଖରୀରେ ଗାଧୋଉଥିବା ବେଳେ ଜଣେ କଲେଜ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ପ୍ରଶାନ୍ତ ମହାନ୍ତିଙ୍କର ଏକମାତ୍ର ପୁଅ ଦେବାଶିଷ ମହାନ୍ତି(୧୮)। ଦେବାଶିଷ ପାଣିରେ ବୁଡ଼ିଯିବା ଦେଖି ପୋଖରୀରେ ଗାଧୋଉଥିବା ଅନ୍ୟ ପିଲାମାନେ ଚିତ୍କାର କରି ଡାକ ପଖାଇଥିଲେ। ସେମାନଙ୍କ ପାଟିଶୁଣି ଲୋକମାନେ ଦୀର୍ଘସମୟ ଧରି ଖୋଜାଖୋଜି କରିବା ପରେ ଦେବାଶିଷଙ୍କୁ ଉଦ୍ଧାର କରିଥିଲେ। ହେଲେ ସେତେବେଳକୁ ଦେବାଶିଷଙ୍କ ମୃତ୍ୟୁ ହୋଇଯାଇଥିଲା। ପରିବାର ଲୋକ ତାଙ୍କୁ ଅଟୋରେ କ୍ୟାପିଟାଲ  ହସ୍ପିଟାଲକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ବାଲିପାଟଣା ଥାନା ପୁଲିସ କ୍ୟାପିଟାଲ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ କରାଇ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଦେବାଶିଷଙ୍କ ମୃତ୍ୟୁରେ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧିତ ଖବର