ବିଷଧର ସାପ କାମୁଡାରେ ବୃଦ୍ଧଙ୍କ ମୃତ୍ୟୁ

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଉମୁରାହାଣ୍ଡି ଗ୍ରାମର ଜଣେ ୬୦ ବର୍ଷ ବୃଦ୍ଧଙ୍କର ବିଷଧର ସାପ କାମୁଡ଼ାରେ ଆଜି ସକାଳେ ମୃତ୍ୟୁ ଘଟିଛି। ମୃତ ବୃଦ୍ଧ ଜଣକ ଉମୁରାହାଣ୍ଡି ଗ୍ରାମର ଡମ୍ବରୁ ଭତରା (୬୦) ବୋଲି ଜଣା ପଡିଛି। ଏ ନେଇ ପରିବାର ଲୋକେ ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ସୂଚନା ଅନୁଯାୟୀ ଆଜି ସକାଳ ପ୍ରାୟ ୮ ଘଣ୍ଟା ସମୟରେ ଉମୁରାହାଣ୍ଡି ଗ୍ରାମର ଡମ୍ବରୁ ଭତରା ନିଜ ରୋଷେଇ ଘର ଥାକ (ଆଟୁ) ଉପରେ ଥିବା ଚିନି କାଡି ବାକୁ ଗଲା ବେଳେ ଥାକ ଉପରେ ରହିଥିବା ଏକ ବିଷଧର ସାପ ବୃଦ୍ଧ ଡମ୍ବରୁଙ୍କର ବାମ ହାତ ପାପୁଲିରେ କାମୁଡି ଥିଲା। ଏହି ସମୟରେ ବୃଦ୍ଧ ଡମ୍ବରୁ ଚିତ୍କାର କରିବାରୁ ପାଖରେ ଥିବା ତା ସ୍ତ୍ରୀ କଣ ହେଲା ବୋଲି ଜାଣିବା ବେଳକୁ ବିଷଧର ସାପ କାମୁଡି ଥିବା ଜାଣିଥିଲା। ଡମ୍ବରୁ ଭତରାର କେହି ପୁଅ ନ ଥିବାରୁ ତାଙ୍କ ସମ୍ପର୍କୀୟମାନେ ଆସି ଏମ୍ବୁଲାନ୍‌ସକୁ ଫୋନ୍‌ କରିଥିଲେ। ଏମ୍ବୁଲାନ୍‌ସରେ ଡମ୍ବୁରୁ ଭତରାଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିବା ପରେ ଡ଼ାକ୍ତର ସେଠାରେ ଡମ୍ବରୁଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ମୃତ ଡମ୍ବରୁଙ୍କ ନାତି ବିଶ୍ୱନାଥ ଭତରା ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ଏହାର ତଦନ୍ତ ପୁଲିସ ଏ.ଏସ୍‌.ଆଇ ଜଗଦୀଶ ଚନ୍ଦ୍ର ପାଣିଗ୍ରାହୀ କରୁଛନ୍ତି।

ସମ୍ବନ୍ଧିତ ଖବର