ନଦୀ ଆରପଟରେ ଥିବା ଜମିକୁ ଯାଉଥିଲେ ବୃଦ୍ଧ, ଭସାଇ ନେଲା ଜଳସ୍ରୋତ

ମାଲକାନଗିରି: ମାଲକାନଗିରି ବ୍ଲକ ଅନ୍ତର୍ଗତ ଉଡୁପା ପଞ୍ଚାୟତର ଆକୁର ନଦୀରେ ଆଜି ସକାଳେ ଜଣେ ବୃଦ୍ଧ ନଦୀରେ ଭାସିଯାଇ ମୃତ୍ୟୁବରଣ କରିଥିବା ଜଣାପଡିଛି। ସୂଚନା ଅନୁଯାୟୀ ନରସିଂହ ଡୁରୁକା ନାମକ ବ୍ୟକ୍ତି ଆଜି ସକାଳେ ନିଜର ଜମିକୁ ଯଇବା ପାଇଁ ଆକୁର ନଦୀକୁ ପାର କରୁଥିଲେ। ପ୍ରାୟତଃ ସବୁଦିନ ଏଭଳି ସେ ନଦୀକୁ ପାର କରି ନିଜ ଜମିରେ କାମ କରି ପୁଣି ଘରକୁ ଫେରୁଥିଲେ। ତେବେ ଆଜି ସକାଳେ ହଠତା ସେ ନଦୀ ପାର କରୁଥିବା ସମୟରେ ପାଣି ବଢିଯାଇଥିଲା, ଯାହାଫଳରେ ସେ ନଦୀରେ ଭାସିଯାଇଥିଲେ। ତୁରନ୍ତ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।

ମାଲକାନଗିରି ଅଗ୍ନିଶମ ବିଭାଗର ଜିଲ୍ଲା ଅଧିକାରୀ ସୁଶାନ୍ତ କୁମାର ବେହେରାଙ୍କ ନେତୃତ୍ବରେ ଏକ ଟିମ ଆକୁର ନଦୀ ନିକଟରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ତେବେ ବହୁ ଡେରି ହୋଇଯାଇଥିଲା। ନରସିଂହଙ୍କର ପାଣିରେ ବୁଡି ମୃତ୍ୟୁ ହୋଇସାରିଥିଲା। ଅଗ୍ନିଶମ ବିଭାଗର କର୍ମଚାରୀ ଶବକୁ ଉଦ୍ଧାର କରି ପରିବାରକୁ ହସ୍ତାନ୍ତର କରିଥିଲେ।

ପ୍ରକାଶ ଥାଉକି ମାଲକାନଗିରିରେ ଲଗାଣ ବର୍ଷା ଲାଗି ରହିଛି। ଉପରମୁଣ୍ଡରୁ ପାଣି ଆସିବା ଯୋଗୁଁସବୁ ନଦୀନାଳ ଏବେ ପୂର୍ଣ୍ଣ ହେବା ସହ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବିଭାଗ ତରଫରୁ ହାବିଲଦାର ନିଳାଞ୍ଚଳ ପ଼ଟ୍ଟନାୟକ, ଜଗବନ୍ଧୁ ପାଡାଲ, ଧନସିଂହ ଭତ୍ରା, ଗୌରାଙ୍ଗ ଚରଣ ସମରଥ, ଅଜିତ ଶବର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର