ଲଗାଣ ବର୍ଷା ନେଲା ଜୀବନ, କାନ୍ଥ ପଡି ବୃଦ୍ଧା ମୃତ

କୋରାପୁଟ: କୋରାପୁଟ ସଦର ଥାନା ଅନ୍ତର୍ଗତ ପାଇକଫୁଲବେଢାର ପରଜା ସାହିର ଚନ୍ଦ୍ର ମୁଦୁଲି (୬୫)ଙ୍କର ମୃ୍ତ୍ୟୁ ଘଟିଛି। ତେବେ ଅଳ୍ପକେ ବର୍ତ୍ତିଯାଇଛନ୍ତି ସ୍ତ୍ରୀ ଡମୁଣୀ ମୁଦୁଲି। ଘରେ ଶୋଇ ରହିଥିବାବେଳେ ଲଗାଣ ବର୍ଷାରେ ରାତି ପ୍ରାୟ ଦୁଇଟାରେ କାନ୍ଥ ଭାଙ୍ଗି ପଡିଥିଲା। ଯେଉଁପଟ କାନ୍ଥ ଭାଙ୍ଗିଲା ସେହିପଟେ ଚନ୍ଦ୍ର ଶୋଇଥିବାବେଳେ ବିପରିତ ପଟେ ଡମୁଣି ଶୋଇଥିବାରୁ କିଛି ହୋଇ ନ ଥିବା ଜଣାପଡିଛି। ଘଟଣାସ୍ଥଳରେ ପାଇକଫୁଲବେଢା ପିଇଓ ପହଞ୍ଚି ୩ ହଜାର ଟଙ୍କା ସହାୟତା ଦେଇଥିବାବେଳେ ଅଧିକ କ୍ଷତିପୁରଣ ଦାବି କରିଛନ୍ତି ପୂର୍ବତନ ସରପଞ୍ଚ ହୀରାମଣି ଗାଦବା ଓ ଯୁବ ନେତା ରମେଶ ଖରା। ୧୪ଟି ବ୍ଲକରେ ୧୧୦ ଟି ଘର ଭାଙ୍ଗିଥିବା ଜଣାପଡିଛି। କୋରାପୁଟ ଜିଲ୍ଲାରେ ଗତ ଦଶ ଦିନ ମଧ୍ୟରେ ସମୁଦାୟ ୩୬୫୦.୩ ମିଲିମିଟର ବୃଷ୍ଟିପାତ ରେକର୍ଡ କରାଯାଇଛି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ଦ୍ୱାରା କୋରାପୁଟ ଜିଲ୍ଲା ପାଇଁ ଅରେଞ୍ଜ ସଂକେତ ଦିଆଯାଇଥିବା ଯୋଗୁଁ ଜିଲ୍ଲା ଜରୁରୀକାଳୀନ ବିଭାଗ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେଇ ଯେକୌଣସି ପରିସ୍ଥିତିକୁ ସାମନା କରିବା ନିମନ୍ତେ ପ୍ରସ୍ତୁତ ଥିବା ଜିଲ୍ଲାପାଳ ଅବଦଲ ଏମ. ଅଖତର ସ୍ପଷ୍ଟ କରିଛନ୍ତି।

ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ସୂଚନା ଅନୁଯାୟୀ ସ୍ଥାନେ ସ୍ଥାନେ ରାସ୍ତା ଉପରକୁ ମାଟି ଖସି ଆସିବା ଓ କିଛି ସମୟ ପର୍ଯ୍ୟନ୍ତ ଯାତାୟାତରେ ଅସୁବିଧା ସୃଷ୍ଟି ହୋଇଥିଲେ ହେଁ ପ୍ରାଶାସନିକ ଅଧିକାରୀ ଘଟଣା ସ୍ଥଳକୁ ଯାଇ ପରିସ୍ଥିତିର ଅନୁଧ୍ୟାନ କରିବାସହ ଆବଶ୍ୟକୀୟ ପଦକ୍ଷେପ ନେଉଥିବା ଜିଲ୍ଲାପାଳ ଜଣାଇଛନ୍ତି। ଗତ ୫ ଦିନ ହେବ କୋରାପୁଟ ଜିଲ୍ଲାରେ ବର୍ଷା ଛାଡିବା ନାଁ ଧରୁନି। ୧୨ ଘଣ୍ଟା ଧରି କୋରାପୁଟ ଜିଲ୍ଲାରେ ଅବିରତ ବର୍ଷା ଲାଗିଥିବାବେଳେ ୧୪ ଟି ବ୍ଲକରେ ହାରାହାରି ୨୬୦.୭୪ ପ୍ରତିଶତ ମିମି ଓ ବର୍ଷା ହୋଇଥିବାରୁ ଲୋକେ ନାହିଁ ନ ଥିବା ହଇରାଣ ହୋଇଛନ୍ତି।କୋରାପୁଟ ଜିଲାରେ ୫ ଦିନ ହେଲା ଅନବରତ ଢାଳୁଛି ବର୍ଷା। ବର୍ଷା ଯୋଗୁଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଘରୁ ବାହାରିଲେ ଡର ଲାଗୁଛି। ବର୍ଷା ସାଙ୍ଗକୁ ପବନ ବହୁଛି। ଅଦିନେ ଶୀତର ଅନୁଭବ ହେଉଛି। ଲୋକେ ବର୍ଷା ପୋଷାକ ସହ ଶୀତବସ୍ତ୍ର ମଧ୍ୟ ପରିଧାନ କରିବାକୁ ବାଧ୍ୟ ହେଉଛନ୍ତି। ଦୋକାନ ବଜାର ଖାଁ ଖାଁ ଲାଗୁଥିବାବେଳେ ରାକ୍ଷୀ ବଜାର ଶୂନଶାନ। ଅନେକ ହାତ ବାନ୍ଧି ଘରେ ବସି ରହିଛନ୍ତି। ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ତଳି ଅଞ୍ଚଳରେ ବସବାସ କରୁଥିବା ଦିନ ମଜୁରିଆ ଓ ଖଟିଖିଆ। ନିର୍ମାଣ କାର୍ଯ୍ୟ ବନ୍ଦ ରହିଥିବାରୁ ଅନେକଙ୍କ ହାତ ବନ୍ଦ ହୋଇଯାଇଛି। ଦୋକାନ ବଜାରରେ ମଧ୍ୟ ପୂର୍ବ ଭିଡ଼ ଦେଖିବାକୁ ମିଳୁନି।

 

ସମ୍ବନ୍ଧିତ ଖବର