ମୁଖ୍ୟ କେନାଲରେ ଗୋଡ଼ ଖସି ବୃଦ୍ଧ ନିଖୋଜ: ଓଡ୍ରାଫ ଓ ଅଗ୍ନିଶମ ଖୋଜି ଖୋଜି ନୟାନ୍ତ 

ଜୟପୁର: ଆଜି ସକାଳ ୧୧ଟାବେଳେ ଜୟପୁର ବ୍ଲକ ଅର୍ନ୍ତଗତ ଦଣ୍ଡସେନାଗୁଡ଼ା ନିକଟ ଦେଇ ଯାଇଥିବା କୋଲାବ ମୁଖ୍ୟ କେନାଲରେ ଜଣେ ବୃଦ୍ଧ ମଇଁଷିକୁ ଗାଧେଇବାକୁ ଯାଇ ଗୋଡ଼ ଖସି ନିଖୋଜ ହୋଇଛନ୍ତି। ନିଖୋଜ ବ୍ୟକ୍ତି ଜଣକ ହେଉଛନ୍ତି ଦଣ୍ଡସେନାଗୁଡ଼ାର ସମ୍ବାରୁ ଜାନି(୭୦)।  ରିପୋର୍ଟ ଲେଖା ହେବା ଯାଏଁ ଜୟପୁର ଅଗ୍ନିଶମ ବିଭାଗ, କୋରାପୁଟ ଓଡ୍ରାଫ ଟିମ୍ ଖୋଜୁଥିଲେ ହେଁ ସମ୍ବାରୁ ମିଳିନଥିବା କହିଛନ୍ତି ଜୟପୁର ଅଗ୍ନିଶମ ଅଧିକାରୀ କୁନୁ ନାୟକ।

ମିଳିଥିବା ସୂଚନା ଅନୁଯାୟୀ, ସମ୍ବାରୁ ମଇଁଷି ଚରାଇବାକୁ ଯାଇଥିଲେ। ସେ ନେଇ ଯାଇଥିବା ମଇଁଷିକୁ ଗାଧୋଇ ଦେବାକୁ ନେଇ ଯାଇଥିଲେ। ସଂପ୍ରତି ରବି ଚାଷ ପାଇଁ କୋଲାବ ଜଳଭଣ୍ଡାରରୁ ମୁଖ୍ୟକେନାଲରେ ପାଣି ଛଡାଯାଇଛି। ତଳମୁଣ୍ଡ କୋଟପାଡ ପର୍ଯ୍ୟନ୍ତ ପାଣି ପହଚୁଂନଥିବା ଅଭିଯୋଗ ହେଉଥିବାରୁ ଅଧିକା ପାଣି ଛଡାଯାଇଛି। ତେବେ ସବୁ ଦିନ ଭଳି ଆଜି ବି ସମ୍ବାରୁ ପାଣିରେ ମଇଁଷିକୁ ଗାଧେଇବାକୁ କେନାଲ ମଧ୍ୟକୁ ଓହ୍ଲାଇ ଥିଲେ। ପାଣିର ସ୍ରୋତ ଏତେ ପ୍ରଖର ଥିଲା ଯେ ଗୋଡ଼ ଖସିବା ମାତ୍ରକେ ସମ୍ବାରୁ ଭାସି ଯାଇଥିଲେ। ଏହା ଅନ୍ୟ ଗାଇ ଚରାଉଥିବା ଲୋକେ ଦେଖି ଦଣ୍ଡସେନାଗୁଡ଼ା ଗାଁରେ ଖବର ଦେଇଥିଲେ।

ଅଗ୍ନିଶମ ବିଭାଗ ଜୟପୁର ଏହି ସୂଚନା ପାଇ ଘଟଣାସ୍ଥଳରେ ପହଂଚି ବୋଟ ଦ୍ବାରା ଏବଂ ବିଭାଗର ବୁଡାଳିମାନେ ଖୋଜିଥିଲେ ହେଁ ପାଇ ପାରି ନଥିଲେ ଏବଂ ଓଡ୍ରାଫ ଟିମକୁ ସୂଚନା ଦେଇଥିଲେ। ମଧ୍ୟାହ୍ନରେ କୋରାପୁଟ ଓଡ୍ରାଫ ଟିମ ବି ପହଂଚି ଖୋଜିଥିଲେ। ତେବେ ରିପୋର୍ଟ ଲେଖା ହେବା ଯାଏଁ ଓଡ୍ରାଫ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଖୋଜା ଯାଉଥିଲେ ହେଁ ନିଖୋଜ ସମ୍ବାରୁଙ୍କ ଖୋଜ ଖବର କିଛି ମିଳିପାରିନି।

ସମ୍ବନ୍ଧିତ ଖବର