ମାଲକାନଗିରି: ସୋମାଲିଆରେ ଯେପରି ଦାରିଦ୍ର୍ୟର ତାଡନାରେ ଲୋକେ ଖାଦ୍ୟ ପାଇଁ ଡହଳ ବିକଳ ହେଉଥିବାର ଦୃଶ୍ୟ ସେତେବେଳେ ସମଗ୍ର ପୃଥିବୀକୁ ଆଚମ୍ବିତ କରିଥିଲା। ସେହିଭଳି ଏକ ଦୃଶ୍ୟ ମାଲକାନଗିରି ସଦର ମହକୁମାରେ ଆଜି ଦେଖିବାକୁ ମିଳିଥିଲା। ଜଣେ ଅସହାୟ ବୃଦ୍ଧା ଯେପରି ତଳେ ପଡିଥିବା ତରକାରିକୁ ଗୋଟାଇ ଖାଉଥିଲେ, ତାହା ହୃଦୟସ୍ପର୍ଶୀ ଥିଲା।

Advertisment

ବୃଦ୍ଧାଙ୍କ ବୟସ ୭୦ ଡେଇଁବଣି। ଚାଲିବା ପାଇଁ ବଳ ପାଉ ନାହିଁ। ବୃଦ୍ଧାଙ୍କୁ କେହି ଜଣେ ଟିଫିନ ଦେଇଥିଲେ। ତେବେ ସେହି ଟିଫିନକୁ ଧରି ସେ ଧିରେ ଧିରେ ଚାଲୁଥିବା ବେଳେ ହଠାତ୍ ରାସ୍ତା ଉପରେ ତରକାରି ଜରିଟି ଖସି ପଡିଥିଲା। ଜରିଟି ଖସିପଡିବା ଫଳରେ ତରକାରି ରାସ୍ତାରେ ବିଛାଡ଼ି ହୋଇଯାଇଥିଲା। ତରକାରି ଜରି ତଳେ ପଡିଯିବାରୁ ସେ ବହୁ ଦୁଃଖ ପ୍ରକାଶ କରିଥିଲେ ଏବଂ ସେଠାରେ ହିଁ ବସି ପଡିଥିଲେ। ବୃଦ୍ଧା ଜଣକ ମିଳିଥିବା ପୁରୀ ପ୍ୟାକେଟକୁ ଖୋଲି ପୁରୀକୁ ସେହି ତଳେ ପଡିଥିବା ତରକାରି ସହ ଖାଇଥିଲେ। ଏହି ଦୃଶ୍ୟ ଅତ୍ୟନ୍ତ ହୃଦୟ ବିଦାରକ ଥିଲା। ବୃଦ୍ଧା ଜଣକ ଠିକ ଭାବେ କଥା କହିପାରୁ ନଥିବା ବେଳେ ନିଜ ନାମକୁ ମଧ୍ୟ ସେ ସ୍ପଷ୍ଟ କହିପାରୁ ନ ଥିଲେ।

ଜିଲ୍ଲାରେ ବୃଦ୍ଧାଶ୍ରମ ଥିବା ବେଳେ ଏଭଳି ଅସହାୟ ବୃଦ୍ଧାଙ୍କୁ ଚିହ୍ନଟ କରି ସେଠାରେ ରଖା ଯାଇ ନଥଇବାରୁ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ବୃଦ୍ଧା ଜଣକ ଭତ୍ତା ପାଉଛନ୍ତି କି ନାହିଁ ତାହା ପଚାରିବାରୁ ମଧ୍ୟ କିଛି କହିପାରି ନ ଥିଲେ ସେ । ପାଟି ଖନେଇ ଯାଉଥିବା ବେଳେ ତାଙ୍କ ହାତ ଥରୁଥିଲା। ହାତ ଥରୁଥିବାରୁ ହିଁ ତରକାରି ପ୍ୟାକେଟ ତଳେ ପଡିଯାଇଥିଲା। ଦୀର୍ଘ ସମୟ ଧରି ସେ ରାସ୍ତା ଉପରେ ହିଁ ବସି ରହିଥିଲେ। ହାତରେ ମୁଣିଟିଏ ନେଇ ଅଣ୍ଟା ନଇଁ ନଇଁ ଧିରେ ଧିରେ ସେଠାରୁ ସେ ଚାଲିଯାଇଥିଲେ।

ତେବେ ମାଲକାନଗିରିରେ ଏହି ଜଣେ ଅସହାୟ ବୃଦ୍ଧା ନୁହନ୍ତି, ବରଂ ଶତାଧିକ ଏଭଳି ବୃଦ୍ଧବୃଦ୍ଧା ସହରରେ ବୁଲୁଛନ୍ତି। ଯେଉଁମାନଙ୍କର କେହି ନ ଥିବା ବେଳେ କିଏ ଦୟା କରି କିଛି ଦେଲେ ତାକୁ ଖାଇ ଜୀବନ ନିର୍ବାହ କରନ୍ତି।