ଅସହାୟ ବୃଦ୍ଧା ତଳୁ ଗୋଟାଇ ଖାଇବା ଘଟଣା: ଜିଲ୍ଲା ଆଇନ ସେବା ପ୍ରାଧିକରଣ ବୃଦ୍ଧାଙ୍କୁ ଉଦ୍ଧାର କରି ଥଇଥାନ କଲା

ମାଲକାନଗିରି: ମାଲକାନଗିରି ସଦର ମହକୁମାରେ ଗତକାଲି ଜଣେ ଅସହାୟ ୭୦ ବର୍ଷର ବୃଦ୍ଧା ତଳେ ପଡିଥିବା ତରକାରୀକୁ ନିଜ ପାଖେ ଥିବା ପୁରୀରେ ଲଗାଇ ଖାଉଥିବା ଦୃଶ୍ୟ ଅତି ହୃଦୟ ବିଦାରକ ଥିଲା। ଏହି ଖବର ଆଜି ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ରାଜ୍ୟରେ ହଟଚମକ ସୃଷ୍ଟି ହୋଇଥିଲା। ଆଜି ଜିଲ୍ଲା ପ୍ରଶାସନ ସମେତ ପୌର ପରିଷଦ, ବ୍ଲକ ପ୍ରଶାସନ ଏବଂ ଜିଲ୍ଲା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ରୋହିତଲାଲ ପଣ୍ଡା, ସଚିବ ଅମରେଶ ନାୟକଙ୍କ ସମେତ ବହୁ ଅନୁଷ୍ଠାନ ବୃଦ୍ଧାଙ୍କ ଖବର ନେବା ପାଇଁ ତତ୍ପରତା ଦେଖାଇଥିଲେ। ବୃଦ୍ଧାଙ୍କୁ ସକାଳୁ ଖୋଜିବା ଆରମ୍ଭ କରିଥିଲେ। ତେବେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସ୍ବେଚ୍ଛାସେବୀ ଡଃ. ରଂଜନ କୁମାର ସ୍ବାଇଁଙ୍କ ପ୍ରତ୍ୟକ୍ଷ ନେତୃତ୍ବରେ ଏକ ଟିମ ଗଠନ କରାଯାଇ ସହର ତମାମ ବୃଦ୍ଧାଙ୍କୁ ଖୋଜାଯାଇଥିଲା। ଶେଷେ ଶ୍ରୀ ସ୍ବାଇଁ ବୃଦ୍ଧାଙ୍କୁ ଅସହାୟ ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ଆଇନ ସେବା ପ୍ରାଧିକରଣ କାର୍ଯ୍ୟାଳୟକୁ ଆଣିଥିଲେ। ବୃଦ୍ଧାଙ୍କ ଗୋଟିଏ ପୁଅ ରହିଥିବା ବେଳେ ଦୁଇ ଜଣ ଝିଅ ରହିଛନ୍ତି। ସମସ୍ତେ ବାହା ହୋଇଯାଇଥିବା ବେଳେ ବୃଦ୍ଧା ଏକାକୀ। ପୁଅ ମୂଲ ଲାଗି ପରିବାର ଚଳାଉଛନ୍ତି। ବୃଦ୍ଧ ଜଣକ ହେଲେ ଫୁଲମତି ଦୁରୁଆ। ତାଂକ ପୁଅ ଲକ୍ଷ୍ମୀକାନ୍ତ ଦୁରୁଆ ମା’କୁ ନେବାକୁ ଆଇନ ସେବା ପ୍ରାଧିକରଣ କାର୍ଯ୍ୟାଳୟରେ ପହଞ୍ଚିଥିଲେ।

ସେ ଆଗକୁ ମା’କୁ ପାଖରେ ରଖି ଖାଇବା ପିଇବାକୁ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଲକ୍ଷ୍ମୀକାନ୍ତଙ୍କ କହିବା ଅନୁଯାୟୀ ଗତ ଦୁଇ ମାସରୁ ଉର୍ଦ୍ଧ୍ବ ସମୟ ହେଲା ତାଂକର ଭତ୍ତା, ପିଡିଏସ ଚାଉଳ ଇତ୍ୟାଦି ମିଳିନାହିଁ। ତାଂକର ଆଖି ଓ ହାତର ବୃଦ୍ଧ ଆଙ୍ଗୁଳି ଚିହ୍ନଟ ହୋଇ ପାରୁନଥିବାରୁ ସେ କୌଣସି ସରକାରୀ ସୁବିଧା ପାଇ ପାରୁନାହାଁନ୍ତି। ତେଣୁ ସେ ଏଣେ ତେଣେ ବୁଲି ଯିଏ ଯାହା ଦେହେ ଖାଇ ରହୁଥିଲେ। ସଚିବ ଶ୍ରୀ ନାୟକ ଆଗକୁ ଯେପରି ଫୁଲମତିଙ୍କୁ ଘର, ରାସନ କାର୍ଡ, ପିଡିଏସ୍‌ ଚାଉଳ ଇତ୍ୟାଦି ମିଳିବ ସେନେଇ ଜିଲ୍ଲା ପ୍ରଶାସନକୁ ନିର୍ଦେଶ ଦେଇଥିବା କୁହାଯାଇଛି। ମାଲକାନଗିରି ଜିଲ୍ଲାରେ ଏଭଳି ବହୁ ଅସହାୟ ବୃଦ୍ଧ ଓ ବୃଦ୍ଧା ସହର ସମେତ ଜିଲ୍ଲାର ବିଭିନ୍ନ ବ୍ଲକରେ ରହିଛନ୍ତି। ସେମାନଙ୍କୁ ପ୍ରଶାସନ ତରଫରୁ ଚିହ୍ନଟ କରାଯାଇ ବୃଦ୍ଧାଶ୍ରମରେ ରଖାଯିବାର ବ୍ୟବସ୍ଥା କରାଯିବା ପାଇଁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର