ପାର୍କ ନିର୍ମାଣ ଯୋଗୁ ଜଳ ନିଷ୍କାସନ ହେଉନାହିଁ: ପାଣି ଭିତରେ ଦିନରାତି କାଟୁଛନ୍ତି ବୃଦ୍ଧ

ଯାଜପୁର: ଯାଜପୁର ବ୍ଲକ୍‌ ଭୂଇଁପୁର ପଞ୍ଚାୟତ ହରିପୁର ଅଞ୍ଚଳରେ ଜଣେ ବୃଦ୍ଧ ପାଣି ଭିତରେ ଦିନ ରାତି କାଟୁଥିବାର ଏକ ଦୟନୀୟ ଚିତ୍ର ଦେଖିବାକୁ ମିଳିଛି । ସରକାରଙ୍କ ମାଳମାଳ ଯୋଜନା ଭିତରେ ଅସହାୟ ଟିଏ କିପରି ବଳି ପଡୁଛି ଓ ନିଜ ହକରୁ କିପରି ବଞ୍ଚିତ ହେଉଛି ତାହା ଉକ୍ତ ବୃଦ୍ଧଙ୍କୁ ଦେଖିଲେ ସ୍ପଷ୍ଟ ଅନୁମାନ କରି ହେଉଛି। ଗୋଟିଏ ପଟେ ଲକ୍ଷଲକ୍ଷ ଟଙ୍କାରେ ଗୋଚର ଜମି ଉପରେ ପାର୍କ ନିର୍ମାଣ ହେଉଥିବା ବେଳେ ଠିକ ତାର ବିପରୀତ ଦିଗରେ ଜଣେ ବେସାହାର ଲୋକ ଭଙ୍ଗା ଘରେ ଜଳବନ୍ଦୀ ଭିତରେ ଜୀବନ ବିତାଉଥିବା ଦେଖିବାକୁ ମିଳିଛି।

ସୂଚନା ଅନୁସାରେ, ଯାଜପୁର ବ୍ଲକ ଭୂଇଁପୁର ପଞ୍ଚାୟତ ଅନ୍ତର୍ଗତ ହରିପୁର ଗାଁର ବୟସ୍କ ବ୍ୟକ୍ତି ତାରିଣୀ ପ୍ରଧାନ ବହୁ କଷ୍ଟରେ ଜୀବନ ବିତାଉଛନ୍ତି । ଦୀର୍ଘ ଦିନରୁ ସରକାରୀ ଜାଗାରେ ଘର କରି ମୁଣ୍ଡ ଗୁଞ୍ଜୁଥିବା ତାରିଣୀକୁ ଏବେ ସ୍ଥାନାନ୍ତରିତ କରାଯାଇଛି। ଗାଁର ଉନ୍ନତି କାର୍ଯ୍ୟ କରିବା ପାଇଁ ସରପଞ୍ଚ ଗୋଚର ଜମିରେ ମାଟି ପକାଇ ୬ ଲକ୍ଷ ଟଙ୍କା ବ୍ୟୟରେ ପାର୍କ ନିର୍ମାଣ ପାଇଁ କାର୍ଯ୍ୟ ଆରମ୍ଭ କରିଛନ୍ତି। ଏପରିକି ଗାଁର ପ୍ରସିଦ୍ଧ କତରାପୁର କାଳୀ ମନ୍ଦିରକୁ ଉଧିଷ୍ଟ ଥିବା କଂକ୍ରିଟ ରାସ୍ତା ଉପରେ ମାଟି ପକାଯାଇଛି । ଫଳରେ ଜଳ ନିଷ୍କାସନ ହେଉ ନଥିବା ବେଳେ ରାସ୍ତାର ଅପରପାର୍ଶ୍ଵରେ ଘର କରି ରହିଥିବା ତାରିଣୀ ଏବେ ଜଳବନ୍ଦୀରେ ରହୁଛନ୍ତି।

ତାରିଣୀଙ୍କ ଘର ଚାରି ପାଖେ ଜମି ରହିଛି ବର୍ଷା ଜଳ । ବର୍ଷା ଲାଗି ରହିଥିବାରୁ ଘରଟି ଭାଙ୍ଗି ମାଟିରେ ମିଶିଛି । ତାଙ୍କର ଏହି ଦୁଃଖ କାହାଣୀ ସ୍ଥାନୀୟ ଲୋକ ପ୍ରତିନିଧିଙ୍କୁ ଜଣାଇଥିଲେ ମଧ୍ୟ ସେ ଏନେଇ କର୍ଣ୍ଣପାତ କରୁ ନଥିବା ବୃଦ୍ଧ ଜଣକ ଅଭିଯୋଗ କରିଥିବା ବେଳେ ସରକାରୀ ସହାୟତା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ବୃଦ୍ଧଙ୍କ ସମସ୍ୟା ସଂପର୍କରେ ସ୍ଥାନୀୟ ସମିତିସଭ୍ୟା ବାରମ୍ବାର ଯାଜପୁର ବିଡିଓଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ଯାଜପୁର ବିଡିଓ ଏହାକୁ ର୍ଣ୍ଣାପାତ କରୁ ନଥିବା ଅଭିଯୋଗ ହେଉଛି।

ବର୍ଷା ଯୋଗୁ ଘର ଚାରିପାଖେ ପାଣି ଜମି ରହିବାକୁ ଘର କାନ୍ଥ ଭୁଷୁଡି ପଡିଛି । ଶୋଇବାକୁ କି ଖାଇବାକୁ ଜାଗାଟିଏ ନାହିଁ । ପଥର ଟିଏ ପାଲଟିଛି ରୋଷେଇ ଘର। ଏହାରି ଉପରେ ଇଟା ଥୋଇ ତାରିଣୀ ପ୍ରଧାନ ରୋଷେଇ କରୁଛନ୍ତି । ଜୀବନକୁ ବାଜି ଲଗାଇ ପାଣି ଘେରରେ ରାତି କାଟୁଛନ୍ତି ବୃଦ୍ଧ ଜଣକ। ଘରକୁ ଯିବାକୁ ହେଲେ ପାଣିରେ ପଶି ଯିବାକୁ ପଡୁଛି । ନିର୍ମାଣ କାର୍ଯ୍ୟ ଯୋଗୁ ପାଣି ନିଷ୍କାସନ ବାଟକୁ ମାଟି ପକାଇ ବନ୍ଦ କରାଯାଇଥିବାରୁ ସାମାନ୍ୟ ବର୍ଷାରେ ଆଣ୍ଠୁଏ ଲେଖାଏଁ ପାଣି ଘର ପାଖରେ ଜମି ରହୁଛି । ପୂର୍ବରୁ ବୃଦ୍ଧ ଜଣକ ରହୁଥିବା ସ୍ଥାନକୁ ପାର୍କ କାର୍ଯ୍ୟରେ ବ୍ୟବହାର କରାଯାଇଥିବାରୁ ଏବେ ବୃଦ୍ଧଙ୍କୁ ସେହି ପାଣି ଘେରକୁ ପଠାଇ ଦିଆଯାଇଛି ।

କିନ୍ତୁ ସେଠାକାର ଯନ୍ତ୍ରଣା ଏବେ ବୃଦ୍ଧଙ୍କ ପକ୍ଷେ ସହିବା ସମ୍ଭବ ହେଉନି । ରାତି ହେଲେ ସରୀସୃପ ଭୟରେ କିଛି ଦିନ ହେବ ସ୍ଥାନୀୟ ସ୍କୁଲ ଘରେ ରାତି କାଟୁଛନ୍ତି । ତେବେ ଏନେଇ ଯାଜପୁର ବିଡିଓ ସୌରଭ ଚକ୍ର ବର୍ତ୍ତୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନର ଉତ୍ତର ଦେଇନାହାନ୍ତି।

ସମ୍ବନ୍ଧିତ ଖବର